Unknown

 

 

 

 

 

 

 

 

 

 

 

ସଳିତା

ରଜତ କୁମାର କର

 

ଉତ୍ସର୍ଗ

 

ଓଡ଼ିଶାର ଲବ୍ଧପ୍ରତିଷ୍ଠ ସାହିତ୍ୟିକ, କଳିଙ୍ଗଭାରତୀର ସୁଯୋଗ୍ୟ ପ୍ରତିଷ୍ଠାତା ଓ ସୁକବି ଗୁରୁଦେବ ସ୍ୱର୍ଗତ ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କ ପବିତ୍ରସ୍ମୃତି ଉଦ୍ଦେଶ୍ୟରେ

 

ରଜତ

 

ରୂପକାରଗଣ

 

ପରିବେଷକ

ଜନତା ରଙ୍ଗମଞ୍ଚ

ପରିଚାଳକ

ଶ୍ରୀ ନିରଞ୍ଜନ ଶତପଥୀ

ସହକାରୀ ପରିଚାଳକ

ଶ୍ରୀ ନଟବର ସେଣ

ସଙ୍ଗୀତ ପରିଚାଳକ

କିଶୋର କବି ଶ୍ରୀ ଶ୍ୟାମସୁନ୍ଦର ଦାସ

ସହକାରୀ ସଙ୍ଗୀତ ପରିଚାଳକ

ହରିବାବୁ

 

ଭୂମିକା

 

ପୁରୁଷ

ବୀର

ନିରଞ୍ଜନ

ଅଦ୍ୱୈତ

ବାଲୁକେଶ୍ୱର

ଘନ

ଗୋବର୍ଦ୍ଧନ

ଶଙ୍କର

ନଟବର

ବୃଷଭାନୁ

ଶରତ ମହାନ୍ତି

ଜୀବନେଶ୍ୱର

ଶରତ ଶତପଥୀ

ସ୍ତ୍ରୀ

 

 

 

ରମା

ବାସନ୍ତୀ

କଳ୍ପନା

ମଣିମାଳା

ଅରୁନ୍ଧତୀ

ମାଧୁରୀ

ମିନି

କୃଷ୍ଣମଣି

 

ଏ ସମସ୍ତ ଶିଳ୍ପୀଙ୍କଠାରେ ଲେଖକ କୃତଜ୍ଞ

Image

 

ଅଭିମତ

 

ଗତ କେତେ ଦିନ ହେଲା କଟକର ଅନ୍ୟତମ ରଙ୍ଗମଞ୍ଚ ଜନତାରେ ଶ୍ରୀ ରଜତକୁମାର କରଙ୍କ ଲିଖିତ ‘ସଳିତା’ ନାଟକ ଅଭିନୀତ ହେଉଛି । ଏକ ପାରିବାରିକ ଦୃଷ୍ଟିକୋଣରୁ ଲିଖିତ ଏ ନାଟକଟି ସ୍ୱାମୀସ୍ତ୍ରୀ ଭିତରର ସମ୍ପର୍କ ଓ ବିଶ୍ୱାସ ଅବିଶ୍ୱାସର ସମସ୍ୟାକୁ କେନ୍ଦ୍ରକରି ଗଢ଼ି ଉଠିଛି ଓ ସେ ଦିଗରୁ ଯଥେଷ୍ଟ ମନୋମୁଗ୍ଧକର ହୋଇଛି, ଏଥିରେ ସନ୍ଦେହ ନାହିଁ ।

 

‘ସଳିତା’ର ଲେଖକଙ୍କର ଭବିଷ୍ୟତ ଉଜ୍ଜ୍ୱଳ ବୋଲି ଆମର ବିଶ୍ୱାସ । ସଂଳାପ ରଚନା ଓ ଦୃଶ୍ୟ ସଂଯୋଜନା ଭିତରେ ତାଙ୍କର ଦକ୍ଷତା ପରିସ୍ଫୁଟ । ନାଟକ ଲେଖିବାରେ ଯେ ଲେଖକଙ୍କର ପ୍ରକୃତ ଆନ୍ତରିକତା ରହିଛି, ସେ କଥାଟି ଯେ କୌଣସି ଦର୍ଶକ ବୁଝି ପାରିବେ । ପୁର୍ବରୁ ମଧ୍ୟ ଲେଖକଙ୍କର ‘‘ଉପେନ୍ଦ୍ର ଭଞ୍ଜ’’ (କବି ସମ୍ରାଟ), ‘‘ସୁରେନ୍ଦ୍ର ସାଏ’’ ଓ ‘‘ଚାଖିଖୁଣ୍ଟିଆ’’ ପ୍ରମୁଖ ନାଟକ ସୌଖିନ ସମ୍ପ୍ରଦାୟମାନଙ୍କଦ୍ୱାରା ଅଭିନୀତ ହୋଇ ଉପଯୁକ୍ତ ପ୍ରଶଂସା ଅର୍ଜନ କରିଛି । ଆମେ ଲେଖକଙ୍କର ଭବିଷ୍ୟତ ଆହୁରି ଉଜ୍ଜ୍ୱଳତର ହେବ ବୋଲି ବିଶ୍ୱାସ କରୁ ।

 

(ସିନେମା)

 

ସମାଜ—କଟକ, ତା ୧୭।୧୧।୫୫—ଗତକାଲି ରାତିରେ ଏଠା ଜନତା ରଙ୍ଗମଞ୍ଚରେ ‘ସଳିତା’ ନାଟକର ଅଭିନୟ ଆରମ୍ଭ ହେଲା । ନାଟକର ଲେଖକ—ତରୁଣ ସାହିତ୍ୟିକ ଶ୍ରୀ ରଜତକୁମାର କର । ନାଟକର ଭାଷା ସରଳ, ମାର୍ଜିତ ଓ ପ୍ରାଣବନ୍ତ । ଲେଖକ ଏଥିରେ ଆଧୁନିକ ଶିକ୍ଷିତ ମଧ୍ୟବିତ୍ତ ପରିବାରର ଏକ ସମସ୍ୟାବହୁଳ ଚିତ୍ର ଉପସ୍ଥାପିତ କରିଅଛନ୍ତି । ଆଧୁନିକ ଶିକ୍ଷିତା ମହିଳା ପାରିବାରିକ ଜୀବନ ପାଇଁ ଅନୁପଯୋଗୀ ବୋଲି ଦର୍ଶାଯାଇଛି । ନାଟକଟି ହାସ୍ୟରସରେ ପରିପୂର୍ଣ୍ଣ । ମୋଟ ଉପରେ ନାଟ୍ୟକାରଙ୍କ ପ୍ରଚେଷ୍ଟା ଓ ଶିଳ୍ପୀମାନଙ୍କ ସାଧନା ଉତ୍ସାହପ୍ରଦ ।

 

ପ୍ରଜାତନ୍ତ୍ର—କଟକ, ତା ୧୭।୧୧।୫୬—ଗତକାଲି ଜନତା ରଙ୍ଗମଞ୍ଚ ପକ୍ଷରୁ ଶ୍ରୀ ରଜତକୁମାର କରଙ୍କ ଲିଖିତ ‘ସଳିତା’ ନାଟକର ଅଭିନୟ ପ୍ରଦର୍ଶନ କରାଯାଇଥିଲା । ଆରମ୍ଭ ରଜନୀ ଉପଲକ୍ଷେ ନିମନ୍ତ୍ରିତ ହୋଇ ସହରର ବହୁ ବିଶିଷ୍ଟ ବ୍ୟକ୍ତି, ଅଧ୍ୟାପକ, ଓକିଲ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ । ଆଧୁନିକ ଦୁନିଆରେ ପ୍ରେମ କରି ବିବାହ କରିବା ପରେ ବିବାହିତ ଜୀବନର ତିକ୍ତ ଓ ଅବସାଦଭରା ଅନୁଭୂତିର ପଟ୍ଟଭୂମି ଉପରେ ନାଟକଟି ରଚିତ ।

 

ମାତୃଭୂମି—କଟକ, ତା ୧୮।୧୧।୫୬—ଗତ ୧୬ ତାରିଖ ସନ୍ଧ୍ୟାରେ ବାଙ୍କାବଜାରସ୍ଥିତ ଜନତା ରଙ୍ଗମଞ୍ଚରେ ତରୁଣ ନାଟ୍ୟକାର ଶ୍ରୀ ରଜତକୁମାର କରଙ୍କ ଲିଖିତ ‘ସଳିତା’ ନାଟକର ପ୍ରଥମ ଅଭିନୟ ପ୍ରଦର୍ଶିତ ହୋଇଥିଲା । ନିମନ୍ତ୍ରିତ ହୋଇ ବହୁ ସାମ୍ବାଦିକ ଓ ବିଶିଷ୍ଟ ଲୋକ ପ୍ରେକ୍ଷାଳୟରେ ଉପସ୍ଥିତ ଥିଲେ । ନାଟକରେ ଆମ ସାମାଜିକ ଜୀବନରେ ଯେପରି ଅବାଧ ପ୍ରଣୟ ଓ ନିଜ ପସନ୍ଦ ମୁତାବକ ସ୍ୱାମୀସ୍ତ୍ରୀ ଗ୍ରହଣ ଦେଖା ଦେଇଛି ତାର କୁପରିଣତିକୁ ଭୂମିକାରୂପେ ନିଆଯାଇ କଥାବସ୍ତୁକୁ ରୂପାୟିତ କରାଯାଇଛି । ପରସ୍ପର ବିରୋଧୀ ଚରିତ୍ରର ସମାବେଶରେ ପାରିବାରିକ ଜୀବନ କିପରି ବିଷମୟ ହୁଏ ତାହା ଦେଖାଇ ଲେଖକ ନାଟକଟିକୁ ମିଳନାନ୍ତକ କରିଅଛନ୍ତି । ନାଟକଟି ବେଶ୍‌ ସରସ ଓ ଉପଭୋଗ୍ୟ ହୋଇ ପାରିଛି ।

Image

 

ପ୍ରଥମ ସଂସ୍କରଣର ଭୂମିକା

 

ପ୍ରେମିକ ପ୍ରେମିକା ହୋଇ ଭବିଷ୍ୟତର ରଙ୍ଗୀନ ସ୍ୱପ୍ନ ଦେଖିବା ଖୁବ୍‌ ସହଜ କିନ୍ତୁ ସ୍ୱାମୀ ସ୍ତ୍ରୀ ହୋଇ ଘର କରିବା ଖୁବ୍‌ କଷ୍ଟ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଛି ନାଟକ ଜରିଆରେ । ଖାଲି ଭଲ ପାଇ ବିବାହ କରିଦେଲେ କାମ ସରି ଯାଏ ନା । ବିବାହ ପରେ ଆସେ ଅଗ୍ନି ପରୀକ୍ଷାର ବେଳ—ଏହାହିଁ ନାଟକର ମୂଳକଥା । ଆଗରୁ ଜଣାଶୁଣା ନ ଥାଇ ବି ବିବାହ ପରେ ମନ ମିଳିପାରେ ବୋଲି ହୁଏ ତ ଆଜିକାଲିର ଶସ୍ତା ଉପନ୍ୟାସ କହୁନାହିଁ କିନ୍ତୁ ମନସ୍ତତ୍ତ୍ୱ ଆଲୋଚନା କଲେ ଦେଖାଯିବ ଯେ ସୁଖର ସଂସାର ଗଢ଼ିବା ପାଇଁ ବିବାହ ପୂର୍ବରୁ ପ୍ରଣୟ ଏତେ ଦରକାର ନୁହେଁ ।

 

ବିବାହ ପରେ ଯଦି ପ୍ରଣୟ ଅତୁଟ ରହେ, ସ୍ୱାମୀ ସ୍ତ୍ରୀ ଯଦି ଅବସ୍ଥା ସହିତ ନିଜକୁ ମିଶାଇ ପରସ୍ପରକୁ ବୁଝିବାକୁ ଚେଷ୍ଟା କରନ୍ତି ତେବେ ଯାଇଁ ବିବାହିତ ଜୀବନ ହସି ଉଠିବ । ନାଟକରେ ଏସବୁ କଥା କହିବାକୁ ଚେଷ୍ଟା କରାଯାଇଛି । ସଫଳ ହୋଇଛି କି ନା ତାର ବିଚାର କରିବେ ପାଠକପାଠିକାବୃନ୍ଦ ।

 

ବନ୍ଧୁ ଶ୍ରୀ ବୀରକିଶୋର ଦାସ, ଶ୍ରୀ ଘନଶ୍ୟାମ ଦାସ, ଶ୍ରୀ ଅଦ୍ୱୈତ ପ୍ରସାଦ ମହାନ୍ତି, ଶ୍ରୀ ଜୀବନେଶ୍ୱର ପଟ୍ଟନାୟକ ଓ ଶ୍ରୀ ଶଙ୍କରପ୍ରସାଦ ମିଶ୍ର ସେମାନଙ୍କ ନାମକୁ ନାଟକରେ ବ୍ୟବହାର କରିବାକୁ ଅନୁମତି ଦେଇଥିବାରୁ ମୁଁ ସେମାନଙ୍କଠାରେ ଚିରକୃତଜ୍ଞ । ମୋର ବନ୍ଧୁ କବି ଶ୍ରୀ ବୀରକିଶୋର ଦାସ ଓ ଔପନ୍ୟାସିକ ବନ୍ଧୁ ଶ୍ରୀ ମନୋଜ ଦାସ ମୋତେ ନାନା ଉପଦେଶ ଦେଇଥିବାରୁ ମୁଁ ସେମାନଙ୍କଠାରେ ବିଶେଷଭାବରେ ଋଣୀ । ମୋର ସାହିତ୍ୟିକ ଜୀବନର ପ୍ରତିଷ୍ଠାତା ଗୁରୁଦେବ ଶ୍ରୀ ବିଚ୍ଛନ୍ଦଚରଣ ପଟ୍ଟନାୟକ ବି. ଏଲ୍‌. ଉତ୍ସର୍ଗ ଗ୍ରହଣ କରିବାକୁ ଅନୁମତି ଦେଇଥିବାରୁ ମୁଁ ତାଙ୍କଠାରେ ଚିରଋଣୀ । ନାଟକର ନାମକରଣ ନିମନ୍ତେ ଶ୍ରୀ ପର୍ଶୁରାମ ପଟ୍ଟନାୟକଙ୍କୁ ମୁଁ ଧନ୍ୟବାଦ ଦେଉଛି ।

 

ମୋର ଜ୍ୟେଷ୍ଠଭ୍ରାତା ଶ୍ରୀ ପ୍ରିୟନାଥ ମିଶ୍ର ମତେ ଉତ୍ସାହିତ କରିଥିବାରୁ ତାଙ୍କଠାରେ ମୁଁ କୃତଜ୍ଞ । ଜନତା ରଙ୍ଗମଞ୍ଚର ଶିଳ୍ପୀବୃନ୍ଦ ସାଧ୍ୟମତେ ମୋ ନାଟକଟିକୁ ରୂପ ଦେଇଥିବାରୁ ତାଙ୍କୁ ମୁଁ ଧନ୍ୟବାଦ ଦେଉଛି । ଜନତାର ବିଶିଷ୍ଟ ଶିଳ୍ପୀ ଶ୍ରୀ ଗୋବର୍ଦ୍ଧନ ପରିଡ଼ା ଓ ଶ୍ରୀ ବାଲୁକେଶ୍ୱର ରଥ ମୋର ପାଣ୍ଡୁଲିପି ନିମନ୍ତେ ଅଶେଷ ପରିଶ୍ରମ କରି ପ୍ରତି ସ୍ତରରେ ମତେ ଉତ୍ସାହିତ କରିଥିବାରୁ ମୁଁ ସେମାନଙ୍କଠାରେ ମଧ୍ୟ ଋଣୀ । ସଙ୍ଗୀତ ନିର୍ଦ୍ଦେଶକ କବି ଶ୍ରୀ ଶ୍ୟାମସୁନ୍ଦର ଦାସଙ୍କଠାରେ ମୁଁ କୃତଜ୍ଞ-। ନାଟକର ନିର୍ଦ୍ଦେଶକ ଶ୍ରୀ ନିରଞ୍ଜନ ଶତପଥି ଓ ଶ୍ରୀ ନଟବର ସେଣଙ୍କର ମଧ୍ୟ ଧନ୍ୟବାଦ ପ୍ରାପ୍ୟ । ହାସ୍ୟରସ ଭୂମିକାରେ ସର୍ବଶ୍ରେଷ୍ଠ ଅଭିନୟ କରିଥିବା ଶରତ ମହାନ୍ତିଙ୍କୁ ମୁଁ ବିଶେଷ ଧନ୍ୟବାଦ ଦେଉଛି । ମୋର ଅନୁଜ ଶ୍ରୀ ପ୍ରଭାତକୁମାର କର, ଶ୍ରୀ ଶରତକୁମାର କର ଓ ଶ୍ରୀ ନେତ୍ରାନନ୍ଦ କର ନାଟକ ନିମନ୍ତେ ବହୁ ପରିଶ୍ରମ କରିଥିବାରୁ ସେମାନେ ମୋର କଲ୍ୟାଣଭାଜନ ।

 

ଉତ୍କଳ-ସାହିତ୍ୟ ପ୍ରେସର ସୁଯୋଗ୍ୟ ପରିଚାଳକ ଓ ମୋର ପିତା ଶ୍ରୀଯୁକ୍ତ କୁଳମଣି କର ମୋର ପୁସ୍ତକ କରିବା ପାଇଁ ସ୍ଥାନେ ସ୍ଥାନେ ପରିବର୍ତ୍ତନ କରିଛନ୍ତି ଓ ତାଙ୍କରି ପାଇଁ ପୁସ୍ତକର ମୁଦ୍ରଣ ସୁନ୍ଦର ହେଇ ପାରିଛି । କିନ୍ତୁ ତାଙ୍କୁ ଦେବା ପାଇଁ ମୋର କ’ଣ ବା ଅଛି ! ଏ ଦୁଃସାହସ ମୋର କାହିଁ ? ଦୁନିଆରେ ପିତୃଋଣ କିଏ ବା ସୁଝିପାରେ ? ଶେଷରେ ପିତୃଦେବ ଶ୍ରୀ କୁଳମଣି କର ଓ ମାତୃଦେବୀ ଶ୍ରୀମତୀ ଶଶିପ୍ରଭା ଦେବୀଙ୍କ ଆଶିଷ ଭିକ୍ଷାକରି ବକ୍ତବ୍ୟ ଶେଷ କରୁଅଛି ।

 

ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭବତୁମେ ।

 

ଅଲିଶାବଜାର, କଟକ-୨

ଶ୍ରୀ ରଜତକୁମାର କର

ଜାନୁଆରୀ ୩୦ ତାରିଖ,୧୯୬୫

 

Image

 

ଦ୍ୱିତୀୟ ସଂସ୍କରଣର ଭୂମିକା

 

ବହୁ ରଙ୍ଗମଞ୍ଚରେ ଅଭିନୀତ ତଥା ବହୁଜନ ପ୍ରଶଂସିତ ହୋଇଛି ପ୍ରଥମ ସଂସ୍କରଣ ଟି; ଦ୍ୱିତୀୟ ସଂସ୍କରଣ କ’ଣ ହେବ କେଜାଣି ?

 

ବିବାହିତ ଜୀବନର ବିଭିନ୍ନ ସମସ୍ୟାର ଏକ ନିଖୁଣ ଚିତ୍ରଭାବେ ବହୁ ବନ୍ଧୁ ବହିଟିର ତାରିଫ୍‌ କରିଛନ୍ତି । ମନେ ଅଛି ଯେତେବେଳେ; ମୁଁ ପବ୍ଲିକ ସର୍ଭିସ କମିଶନ ଆଗରେ ଉଭା ହେଲି, ସଭ୍ୟ ଜଣେ ପଚାରିଥିଲେ, ‘‘ଆପଣ ତ ବିବାହ କରି ନାହାନ୍ତି, ବିବାହିତ ଜୀବନର ସମସ୍ୟା ସବୁ ଜାଣିଲେ କିପରି ?’’ ଉତ୍ତରରେ କହିଥିଲି, ‘‘ବାହା ହେଇ ନାହିଁ ବୋଲି କ’ଣ ବରଯାତ୍ରୀରେ ଯାଇ ନାହିଁ ବୋଲି ଓଡ଼ିଆରେ ଯେଉଁ ପ୍ରବାଦ ଅଛି ତା ମୋ ପ୍ରତି ପ୍ରଯୁଜ୍ୟ । ବିବାହ ନ କରି ବି ଦୂରରୁ ବହୁ ବିହାହିତ ଜୀବନକୁ ଲକ୍ଷ୍ୟ କରି ତାର ଦୋଷ ଦୁର୍ବଳତା ତଥା ମହାନତାକୁ ବିଶ୍ଳେଷଣ କରିଛି ।’’ ଆଜି ମୁଁ ନିଜେ ବିବାହିତ ଜୀବନରେ ପ୍ରତିଷ୍ଠିତ । ବିବାହିତ ଜୀବନରେ ସଳିତାରେ ପ୍ରତିପାଦିତ ଆଦର୍ଶକୁ ମୁଁ ନିଜେ ପୂରାପୂରି କାର୍ଯ୍ୟକାରୀ କରିପାରି ନାହିଁ ।

 

ନୂତନ ଅଭିଜ୍ଞତା ଆଉ ନୂତନ ଦୃଷ୍ଟିକୋଣ ନେଇ ବିବାହିତ ଜୀବନ ବିଷୟରେ ପୁଣି ଏକ ନୂଆ ନାଟକ ରଚନା କରିବା ପାଇଁ ଯୋଜନା କରିଛି ।

 

ତଥାପି ଦ୍ୱିତୀୟ ସଂସ୍କରଣରେ ଅନେକ ପରିବର୍ତ୍ତନ କରିଛି । ଜୟପୁର କଲେଜରେ ନାଟ୍ୟସଂଘର ଉପସଭାପତି ଥିଲାବେଳେ ପିଲା ଲଗେଇଥିଲେ ଏ ନାଟକଟିକୁ କରିବା ପାଇଁ । ନିର୍ଦ୍ଦେଶ ମୋର ଏବଂ ମୁଖ୍ୟ ନାୟକ ଭୂମିକା ମଧ୍ୟ ମୋର । ପିଲାଟି ଦିନୁ ରଙ୍ଗ ବୋଳି ଠିଆ ହବା ଅଭ୍ୟାସ ରହିଛି, ଅନେକ ବାର ।

 

ସେଇ ସଳିତାରେ ଅଭିନୟ ବେଳେ ଅନେକ ପରିବର୍ତ୍ତନ କରାଯାଇଥିଲା । ଆଜି ସେ ସବୁ ନେଇ ଏ ୨ୟ ସଂସ୍କରଣର ଆତ୍ମପ୍ରକାଶ ।

 

ଏଥିରେ ତିନି ପ୍ରକାର ବିବାହିତ ଜୀବନର ଚିତ୍ର ଦିଆଯାଇଛି । ବୀର ଓ ରମା ପରସ୍ପରକୁ ଭଲ ପାଇ ବିବାହ କରିଛନ୍ତି କିନ୍ତୁ ସେମାନେ ପରସ୍ପରକୁ ଠିକ୍‌ ଭାବେ ବୁଝି ପାରି ନାହାନ୍ତି । ଭଲ ପାଇ ବସିଲେ କେବଳ ହୁଏ ନା ସେହି ପ୍ରଣୟକୁ ପରିଣୀତ ଜୀବନରେ ଅତୁଟ ରଖିବା ପାଇଁ ପ୍ରୟାସ କରିବାକୁ ପଡ଼େ ବୋଲି ସେମାନେ ହୃଦୟଙ୍ଗମ କରିପାରି ନାହାନ୍ତି । ଘନ ଏବଂ ମିନି ଚିରାଚରିତ ରୀତିରେ ବିବାହିତ ଜୀବନ ଯାପନ କରନ୍ତି । ମନର ଅପୂର୍ବ ମିଳନ ତାଙ୍କର-। ତ୍ୟାଗ ଓ ଅନୁରାଗର ଦୀପ୍ତିରେ ତାଙ୍କ ଦାମ୍ପତ୍ୟ ଜୀବନ ଦୀପ୍ତ ।

 

ବୃଷଭାନୁ ଓ ଅରୁନ୍ଧତୀ ପରସ୍ପର ସହିତ କଳି କରି ହାସ୍ୟରସ ସୃଷ୍ଟି କରନ୍ତି । କିନ୍ତୁ ତାଙ୍କର ସେଇ କଳହ କେବଳ ବହୁ ଆଡ଼ମ୍ୱର ଲଘୁକ୍ରିୟା । ପରସ୍ପରକୁ ଭଲ ଭାବେ ବୁଝିଛନ୍ତି ସେମାନେ ।

 

ଆଜି ଏ ସମସ୍ତଙ୍କର ନବ କଳେବରକୁ ମୁଁ ସମାଲୋଚକଙ୍କ ଆଗରେ ପରିବେଷଣ କରୁଛି ।

 

ଦ୍ୱିତୀୟ ସଂସ୍କରଣ ପ୍ରକାଶ ପାଇଁ ଅନୁଜ ଅଧ୍ୟାପକ ଶ୍ରୀମାନ ପ୍ରଭାତକୁମାରର ଜିଦ୍‌ ସବୁଠୁ ବେଶି । ବାପା ବି ରୋଗଶଯ୍ୟାରେ ପଡ଼ି ତାର ପ୍ରୁଫ ଦେଖିଛନ୍ତି । ୨ୟ ସଂସ୍କରଣର ସମସ୍ତ ଗୌରବ ତାଙ୍କର । ଅଗୌରବତକ ମୋର ।

 

ପ୍ରଥମ ସଂସ୍କରଣର ଉତ୍ସାହୀ ପ୍ରକାଶକ ଉଦୟନାଥ ରଥ ଏବଂ ତାଙ୍କ କନିଷ୍ଠ ଭ୍ରାତା ବିଶ୍ୱନାଥ ରଥ ବି ଆଜି ସ୍ୱର୍ଗରେ । ଦ୍ୱିତୀୟ ସଂସ୍କରଣ ସେମାନେ ଦେଖି ପାରିଲେ ନାହିଁ ।

 

ସେମାନଙ୍କର ଆତ୍ମାର ସଦ୍‍ଗତି ହେଉ । ଏତିକି ।

 

ରଜତକୁମାର କର

Image

 

ପ୍ରଥମ ଅଙ୍କ

ପ୍ରଥମ ଦୃଶ୍ୟ

 

[ଶଙ୍କର ବାବୁଙ୍କ ଘର । ଘନଶ୍ୟାମଙ୍କ ପତ୍ନୀ ମିନି ପଲ୍ଲୀ-ସଙ୍ଗୀତ ଗାନ କରୁଥିଲେ । ପ୍ରବେଶ କଲେ ରମା, ଘନଶ୍ୟାମଙ୍କ ଭଉଣୀ]

 

ମିନି

ଗୀତ

 

 

 

ଗାଆଁ ମୁଣ୍ଡ ଝଙ୍କା ବର ଲୋ କୋଇଲି

ଦିଶଇ କେଡ଼େ ସୁନ୍ଦର ।

ଘରକୁ ଘରଣୀ ସାଜିଲେ ସିନା ମୁଁ

ପର ହେବେ ଆପଣାର ଲୋ, କୋଇଲି ଜାଣିଥା ।।

 

 

 

ଯାହାଙ୍କ ପାଇଁ ସିନ୍ଦୂର ଲୋ

ମଥାରେ ଶୋଭଇ ମୋର

ନେଇ ତାଙ୍କ ମନ ଯାପିଲେ ଜୀବନ

(ସିନା) ଗଢ଼ିବ ସୁଖ ସଂସାର ଲୋ, କୋଇଲି ଜାଣିଥା ।

 

 

 

ଆସିବ ଆଷାଢ଼ ଝଡ଼ ଲୋ

ହେବ ପୁଷ ମାସ ଜାଡ଼

ବୈଶାଖୀ ଝାଞ୍ଜି ଖରା ତରା ସବୁ

(ନିତି) ସହିଲେ କରିବି ଘର ଲୋ, କୋଇଲି ଜାଣିଥା ।।

 

 

 

ନଣନ୍ଦ ଯାଆ ଦିଅର ଲୋ

ଗେରସ୍ତ ଶାଶୁ ଶଶୁର

ଚରଚି ସଭିଙ୍କୁ ଫୁଟାଇଲେ ହସ

(ନିତି) ହସିବ ମୋ ପରିବାର ଲୋ, କୋଇଲି ଜାଣିଥା ।।

 

 

 

ମିନି

ସତରେ ରମା, ବୀରବାବୁଙ୍କୁ ତୁମେ ବାହା ହେଲେ ମୁଁ ଭାରି ଖୁସି ହୁଅନ୍ତି, କିନ୍ତୁ...

 

 

 

ରମା

କିନ୍ତୁ କ’ଣ ଭାଉଜ ?

 

 

 

ମିନି

ବାବା ପରା ଅବୁଝା ହେଉଛନ୍ତି !

 

 

 

ରମା

ତାଙ୍କୁ ବୁଝେଇବା ଶକ୍ତି ତା’ହେଲେ ଭାଇଙ୍କର ନାହିଁ ? କିନ୍ତୁ ମନେରଖ ଭାଉଜ, ଦୁନିଆର କୌଣସି ବାଧା ବନ୍ଧନ ଆଜି ମୁଁ ମାନିବାକୁ ଚାହେଁନା ।

 

 

 

ମିନି

ତୁମେ ଏତେ ବ୍ୟସ୍ତ ହୁଅ ନାହିଁ ରମା ! ସବୁ ଠିକ୍‌ ହେଇଯିବ । ତୁମେ ତ ଏକା ବାହାହବାକୁ ଯାଉନ, ଦୁନିଆରେ ତୁମ ପରି ଅନେକ ଝିଅ ବାହା ହଉଛନ୍ତି । ଦେଖୁଛ ତ ତୁମରି ଆଗରେ ବାହା ହେଇ ମୁଁ ତ ଘରକରଣା କଲିଣି ।

 

 

 

ରମା

କିନ୍ତୁ ତୁମପରି ବିବାହିତ ଜୀବନ ମୁଁ ଚାହେଁନା ଭାଉଜ ! ଯାହାଙ୍କୁ ମୁଁ ବିବାହ କରିବାକୁ ଇଚ୍ଛା କରିଛି, ତାଙ୍କର ମନ, ତାଙ୍କର ହୃଦୟ, ସବୁ ମୁଁ ଜାଣିଛି ।

 

 

 

ମିନି

(ହସି) ବିବାହ ଆଗରୁ ତୁମର ଯେଉଁ ଜଣାଶୁଣା ହେଇଚି, ସେ କିଛି ନୁହେଁ ରମା ! ଏଇନେ ତୁମେ ତାଙ୍କ ଗୁଣର ପରିଚୟ ପାଇଛ । କିନ୍ତୁ ବିବାହ ପରେ ତାଙ୍କ ଦୋଷ ଗୁଣ ସବୁ ଆଖିରେ ପଡ଼ିବ । ସେତେବେଳେ ଆସିବ ଅଗ୍ନୀପରୀକ୍ଷାର ବେଳ ।

 

 

 

ରମା

ହଉ, ହଉ, କହିଯାଅ ।

 

 

 

ମିନି

ସତରେ ରମା ! ବିବାହିତ ଜୀବନଟା ଖାଲି ମଧୁ ବସନ୍ତ ନୁହେଁ । ବୈଶାଖୀ ଝାଞ୍ଜି, ଆଷାଢ଼ର ଝଡ଼—ସବୁ ସେ ଜୀବନରେ ଆସେ । ସେ ସବୁ ସହି ପାରିଲେ ସିନା ଶାନ୍ତି ମିଳେ ।

 

 

 

ରମା

ଆରେ ବାଃ, କି କଳ୍ପନା ! ହାୟ, ହାୟ ! କୌଣସି ପତ୍ରିକାର ମହିଳା ମହଲରେ ତୁମେ ଲେଖା ଦଉନ ! ସତରେ ଭାରି ଆଦୃତ ହୁଅନ୍ତା ।

 

 

 

ମିନି

ତୁମପରି ପାଠୋଇ ନଣନ୍ଦ କୌଣସି ପତ୍ରିକାର ମହିଳାମହଲର ପରିଚାଳିକା ହେଲେ ସିନା ମୋ ଲେଖା ପ୍ରକାଶ ପାଆନ୍ତା !

 

 

 

ରମା

ତୁମ କଥାଗୁଡ଼ାକ ଠିକ୍‌ କୁଇନାଇନ୍‌ ପରି ଲାଗୁଛି ।

 

 

 

ମିନି

କୁଇନାଇନ୍‌ ବଟିକା ଜରବେଳେ ଭାରି ପିତା ଲାଗେ । କିନ୍ତୁ ଅଦରକାରୀ ବୋଲି ତୁମେ କହିପାରିବ ନାହିଁ ।

 

 

 

ରମା

ଜରବେଳେ ସିନା ଗୋଟାଏ ଦୁଇଟା କୁଇନାଇନ୍‌ ବଟିକା ଦରକାର । କିନ୍ତୁ ଡବାକଯାକ ରୋଗୀ ମୁହଁରେ ଅଜାଡ଼ିଦେଲେ ଫଳ କ’ଣ ହୁଏ କହିଲ ?

 

 

 

ମିନି

ତୁମକୁ କଥାରେ କିଏ ପାରିବ ଯେ ! ହଉ, ଭାଇ ଆସିଲେ ମୁଁ ସବୁ କହିବି ।

 

 

 

(ଘନଙ୍କ ପ୍ରବେଶ)

 

 

 

ଘନ

କଣ ହେଇଚି ?

 

 

 

ରମା

ନୂଆବୋଉଙ୍କୁ ପଚାର ?

 

 

 

ଘନ

ତୁ କହୁନୁ କ’ଣ ହେଇଛି ତୋର ?

 

 

 

ରମା

କିଛି ନାଇଁ !

 

 

 

(ପ୍ରସ୍ଥାନ)

 

 

 

ଘନ

ଆଚ୍ଛା ପାଲା ଲାଗିଛି !

 

 

 

ମିନି

ଏ ପାଲା ଲଗେଇଛ ତୁମେ । ଆଜି ଯଦି ରମା କିଛି କରି ବସନ୍ତି, ତେବେ ଯୋଉ ନିନ୍ଦା ଅପବାଦ ହବ, ତାକୁ ସହିବାପାଇଁ ରାଜିଅଛ ତ ?

 

 

 

ଘନ

ରମା କ’ଣ ଇମିତି କିଛି ତୁମକୁ କହୁଥିଲା ?

 

 

 

ମିନି

ନ କହିବେ କାହିଁକି ? ରମାକୁ କ’ଣ ଆଜି ନୂଆ ଜାଣୁଚ ? ତାଙ୍କ ମନ ଭିତରର କଥା ସେ ସବୁବେଳେ ଖୋଲି କହି ଦିଅନ୍ତି । ବାବାଙ୍କୁ କହି ତୁମେ ଗୋଟିଏ ବନ୍ଦୋବସ୍ତ କର ।

 

 

 

ଘନ

ମୁଁ କ’ଣ କରିବି କହିଲ ? ତୁମେ ତ ଜାଣ, ଏ ଧରଣର ବିବାହକୁ ବାବା ଭଲ ପାଆନ୍ତି ନାଇଁ । ସେଥିପାଇଁ ସେ ଆପତ୍ତି କରୁଛନ୍ତି । କିନ୍ତୁ ସେ ବୁଝୁନାହାନ୍ତି ଯେ ଯୁଗ ବଦଳିଗଲାଣି ।

 

 

 

(ଶଙ୍କରଙ୍କ ପ୍ରବେଶ)

 

 

 

ଶଙ୍କର

ଯୁଗ ଏତେ ଶୀଘ୍ର ବଦଳିଯାଏ ବୋଲି ମୋର ଧାରଣା ନ ଥିଲା ଘନଶ୍ୟାମ । (ମିନି ଚାଲିଗଲା) ଆଜି ତୋଠୁ ବୁଝୁଛି ଯେ ଯୁଗ ଏଇ କେତେଟା ବର୍ଷ ଭିତରେ ଖୁବ୍‌ ଆଗେଇଯାଇଛି ।

 

 

 

ଘନ

ଏ କଥା ତୁମେ ନିଜେ ଅନୁଭବ କରୁଥିବ ବାବା ।

 

 

 

ଶଙ୍କର

ଖୁବ୍‌ ଅନୁଭବ କରିଛି । ଦିନେ ଯାହା ଥିଲା ଲୋକଚକ୍ଷୁରେ ସୁନ୍ଦର, ଆଜି ତାହା ଅସୁନ୍ଦର । ଗର୍ବ, ଅହଙ୍କାର ଦୂର କରି, ପ୍ରକୃତ ଗୃହିଣୀ ସାଜୁଥିଲା ସେ ଦିନର ନାରୀ । କିନ୍ତୁ ଆଜିର ନାରୀ ଚାହେଁ କ୍ଲବ୍ ଘରେ ସୁସଜ୍ଜିତ ଆସନ । ନାରୀର ରୂପ ଯୌବନ ସେତେବେଳେ ଥିଲା ସ୍ୱାମୀ ପାଇଁ ଉଦ୍ଦିଷ୍ଟ । ଆଜିର ନାରୀ କିନ୍ତୁ ଚାହେଁ ତାର ରୂପ ଯୌବନର ପ୍ରଦର୍ଶନୀ କରିବାକୁ । Miss Universe, Miss India, ଆଉ Miss America ଙ୍କ ନଗ୍ନ ଚିତ୍ର ଦେଇ ପତ୍ର ପତ୍ରିକାର ସମ୍ପାଦକମାନେ ଉପାର୍ଜ୍ଜନ କରନ୍ତି ପ୍ରଚୁର ଅର୍ଥ । ଯୁଗ ଖୁବ୍‌ ଆଗେଇଯାଇଛି !

 

 

 

ଘନ

ବାବା !

 

 

 

ଶଙ୍କର

ମନୁଷ୍ୟର ନଗ୍ନ ପ୍ରବୃତ୍ତି ଆଉ ସମାଜର ବିଶୃଙ୍ଖଳାକୁ ସଭ୍ୟତାର ରଙ୍ଗ ଦେବା ପାଇଁ ଉଦ୍ୟମ ଚାଲିଛି । ଆଉ ସେଇଥିପାଇଁ ସମସ୍ତେ ଯାହାକୁ କହନ୍ତି—ଅଗ୍ରଗତି, ମୁଁ ତାକୁ କହିବି ଭଣ୍ଡାମି, ପ୍ରତାରଣା ।

 

 

 

ଘନ

ସବୁ ମୁଁ ବୁଝୁଛି ବାବା । କିନ୍ତୁ ଅବସ୍ଥାକୁ ଭୁଲିଗଲେ ଚଳିବ ନାହିଁ । ରମାର ବିଭାଘର ବିଷୟରେ ତୁମେ ହୁଙ୍କାପିଟା ନୀତି ଧରିଚ । ଅନ୍ୟମାନଙ୍କ କଥାର ଯେ କିଛି ମୂଲ୍ୟ ଥାଇପାରେ ସେ କଥା ମୋଟେ ତୁମେ ମନରେ ଆଣୁନ ।

 

 

 

ଶଙ୍କର

ଆରେ ଠିକ୍‌ ତ ! ଏ ଗଣତନ୍ତ୍ର ଯୁଗରେ ମୁଁ ଏପରି ଏକଛତ୍ର ଶାସକ ହେଲି କିମିତି ? ଗଣତନ୍ତ୍ର ନାମରେ ଯେତେ ଅନ୍ୟାୟ, ଅତ୍ୟାଚାର ଆଉ ଅବିଚାର ହେଲେ ବି ଖୁବ୍‌ ପୁରୁଣା କାଳରେ ଆବ୍ରାହମ୍‌ ଲିଙ୍କନ୍‌ କହିଥିଲେ—Democracy is the Government of the people, by the people and for the people. ଏ ଗଣତନ୍ତ୍ରର ଆଶ୍ରୟ ନ ନେଇ ମୁଁ ଭୁଲ କରିଛି । ଆଉ ଏ କଥା ମନେ ପକେଇ ଦେଇ ତୁ ଠିକ୍‌ କରିଛୁ-

 

 

 

ଘନ

ମତେ ତୁମେ ଭୁଲ ବୁଝୁଛ ବାବା । ତୁମକୁ ସମାଲୋଚନା କରିବା ପାଇଁ ମୁଁ ସେ କଥା କହୁ ନ ଥିଲି । ମୁଁ କହୁଥିଲି ଯେ ବୀରବାବୁ ସୁଯୋଗ୍ୟ ଲୋକ । ସ୍ୱଭାବ ସୁନ୍ଦର । ଭଲ ପାତ୍ର । କିନ୍ତୁ...

 

 

 

ଶଙ୍କର

ସବୁ ବୁଝିଲି । ବେଶ୍‌, ମୁଁ ରମାଠୁଁ ବି ଶୁଣିବାକୁ ଚାହେଁ ରମା, ରମା !

 

 

 

ରମା

(ପ୍ରବେଶ କରି) କ’ଣ ବାବା !

 

 

 

ଶଙ୍କର

ତୁ କୁଆଡ଼େ ତୋ ବାବା ଉପରେ ବଡ଼ ବିରକ୍ତ ? ତୁ, ତୋ ଭାଇ, ଭାଉଜ ସମସ୍ତେ ଅସନ୍ତୁଷ୍ଟ ? ଆଚ୍ଛା, ବାବା ତୋର ଅମଙ୍ଗଳ ଚାହେଁ ବୋଲି ତୁ କ’ଣ ଭାବୁ ?

 

 

 

ରମା

ନା ।

 

 

 

ଶଙ୍କର

ବେଶ୍‌, ତୋର ମଙ୍ଗଳ ପାଇଁ ମୁଁ ଯଦି ଗୋଟିଏ ସୁଯୋଗ୍ୟ ପାତ୍ର ବନ୍ଦୋବସ୍ତ କରେ ତୁ କ’ଣ ପ୍ରତିବାଦ କରିବୁ ?

 

 

 

ରମା

କିନ୍ତୁ ତୁମର ସେ ସୁଯୋଗ୍ୟ ପାତ୍ରଟି ଦ୍ୱାରା ମୋର କଦାପି ମଙ୍ଗଳ ହୋଇ ପାରିବ ନାହିଁ ବାବା !

 

 

 

ଶଙ୍କର

ରମା !

 

 

 

ରମା

ତୁମ choice ଆଉ ମୋ choice କଦାପି ଏକ ହୋଇ ପାରିବ ନାହିଁ ।

 

 

 

ଶଙ୍କର

ହଁ, ତୁ ଠିକ୍‌ କହିଛୁ । ତୋର ଆଉ ମୋର choice ଭିତରେ ନିଶ୍ଚୟ ପାର୍ଥକ୍ୟ ରହିବ । ତୁ ନୂଆ, ମୁଁ ପୁରୁଣା; ତୁ ବର୍ତ୍ତମାନ ଆଉ ମୁଁ ଅତୀତ । ୟା ଭିତରେ ଯୁଗ ଖୁବ୍‌ ଆଗେଇଯାଇଛି । ଯୁଗର ଏ ଅଗ୍ରଗତିରେ ବାଧା ଦେଇ ମୁଁ ଯେଉଁ ପାପ କରିଛି, ତାର ପ୍ରାୟଶ୍ଚିତ୍ତ କରିବାକୁ ହେବ ।

 

 

 

ଘନ

ଏସବୁ ତୁମେ କ’ଣ କହୁଛ ବାବା ?

 

 

 

ଶଙ୍କର

ବୀରବାବୁଙ୍କ ପାଖକୁ ମୁଁ ନିଜେ ଯିବି । କହିବି I am an old fossil, ମତେ ତୁମେ କ୍ଷମା କର ।

 

 

 

ଘନ

ଏ କଥା ତୁମେ କାହିଁକି କରିବ ?

 

 

 

ଶଙ୍କର

ତୋର ସେସବୁ ଜାଣିବା ଦରକାର ନାହିଁ । କାଲି ଭିତରେ ମୁଁ ବିବାହର ଆୟୋଜନ କରିବି । ତୁ ବ୍ୟସ୍ତ ହ’ନା ରମା । ଆଉ ଗୋଟାଏ ଦିନ ଅପେକ୍ଷା କର, ଦେଖିବୁ, ଶଙ୍ଖ ହୁଳହୁଳିରେ ଏ ଅଗଣା ପୂରି ଉଠିବ । ବରବେଶ ହୋଇ ଏ ଘରେ ପାଦ ଦେବେ ଶ୍ରୀ ବୀରକିଶୋର ଦାସ, Advocate, ଏ କ’ଣ କମ୍‌ ସୌଭାଗ୍ୟ ! (ତାଚ୍ଛଲ୍ୟରେ)

 

 

 

ରମା

ବାବା !

 

 

 

ଶଙ୍କର

ଆଉ ବ୍ୟସ୍ତ ହ’ନା ରମା ! ଆଜି ମୋର ଭୁଲ ମୁଁ ବୁଝି ପାରିଛି । ଘନଶ୍ୟାମ ଠିକ୍‌ କହିଥିଲା, ଯୁଗ ବଦଳିଯାଇଛି । ପୁରୁଣା ଯାଏ, ନୂଆ ଆସେ—Old order changes yielding place to new. (ପୂର୍ବର ସେଇ ତାଚ୍ଛଲ୍ୟତା)

 

 

 

ଘନ

ବାବା !

 

 

 

ରମା

ମୁଁ ସବୁ ବୁଝୁଛି ବାବା । ମୋର ସମସ୍ତ ଆଶା ଆକାଂକ୍ଷାକୁ ତୁମେ ଆଜି ଉପହାସରେ ଉଡ଼ାଇ ଦବାକୁ ବସିଛ । କିନ୍ତୁ ମନେ ରଖ ବାବା, ଉପହାସ କରି ତୁମେ ଆଜି ଯେଉଁ କଥା କହୁଚ—ତା ନିରାଟ ସତ୍ୟ । ସେ ମାନ୍ଧାତା ଅମଳ ଆଜି ନାହିଁ । ସ୍ୱାଧୀନ ଭାରତର ନାଗରିକ ଆଜି ଚାହେଁ ମୁକ୍ତ ଆକାଶର ବିହଙ୍ଗମ ହୋଇ ଉଡ଼ି ବୁଲିବାବୁ । ତା ପଥରେ ସେ କୌଣସି ବାଧା ବନ୍ଧନ ସହ୍ୟ କରିପାରେନା । ତା ଦେଶର ସମ୍ୱିଧାନ ଆଜି ତାକୁ ନାଗରିକ ଅଧିକାର ଦେଇଛି ।

 

 

 

ଶଙ୍କର

ସମ୍ୱିଧାନ ! ନାଗରିକ ଅଧିକାର । କିନ୍ତୁ ରମା ! ମୋ ଘରେ ତୁ ଏ ନାଗରିକ ଅଧିକାର ପାଇ ପାରୁନା । ଏ ଘରେ ଭାରତର ସମ୍ୱିଧାନ ଚାଲି ପାରେନା । ମୁଁ ଏ ଘରର ମୁରବି— I am the dictator of this house. Everyone has to obey me—ସମସ୍ତେ ମତେ ମାନିବକୁ ବାଧ୍ୟ । ମୁଁ କାହାରି କଥା ଶୁଣିବି ନାହିଁ । (ପ୍ରସ୍ଥାନ)

 

 

 

ରମା

ମୁଁ କିନ୍ତୁ ଏ ଦମନ ନୀତିକୁ ମାନିବାକୁ ଚାହେଁନା । ମୋର ସ୍ୱାଧୀନତା ବୋଲି କିଛି ଅଛି ।

 

 

 

ଘନ

ରମା ! ଏସବୁ ତୁ କ’ଣ କହିଯାଉଛୁ ବାବା ରାଗରେ ସିମିତି କହି ଦେଇଛନ୍ତି—ମୁଁ ତାଙ୍କୁ ବୁଝେଇଦେବି । (ପ୍ରସ୍ଥାନ)

 

 

 

ରମା

କାହାରିକୁ ବୁଝେଇବା ଦରକାର ନାହିଁ । ଏ ଘରେ ମୁଁ ଆଉ ରହିବାକୁ ଚାହେଁନା ।

 

 

 

ମିନି

(ପ୍ରବେଶ କରି) ରମା ! ଏଇଟା କ’ଣ ଭଲ ହେବ ?

 

 

 

ରମା

ମତେ ତୁମେ କିଛି କୁହନା ଭାଉଜ । ମୁଁ ସବୁ ବୁଝି ସାରିଲିଣି ।

 

 

 

ମିନି

କଣ ବୁଝିଛ ତୁମେ ?

 

 

 

ରମା

ମତେ ପ୍ରତାରଣା କରିବାର ଗୋଟାଏ ଷଡ଼ଯନ୍ତ୍ର । ଅପମାନ ଦେବାର ଗୋଟାଏ ରୀତିମତ ଆୟୋଜନ ଚାଲିଛି ।

 

 

 

ମିନି

ସତରେ ରମା, କଥାଟା ଏତେ ଦୂରକୁ ଯିବ ବୋଲି ମୁଁ ମୋଟେ ଭାବି ନ ଥିଲି-। ହଉ, ଯେତେ ହେଲେ ବାବା ତ—ସେଇ କଥାକୁ ଧରି ବସିଲେ ଚଳିବ-?

 

 

 

ରମା

ତୁମେ ସେ ଚିକ୍‌କଣ କଥାଗୁଡ଼ାକ ଆଉ କୁହନା ଭାଉଜ, ସେଗୁଡ଼ା ଶୁଣିଲା ବେଳକୁ ମୋ ହାଡ଼ ଜଳିଯାଉଛି ।

 

 

 

ମିନି

ମୋର କ’ଣ ଦୋଷ କହିଲ ?

 

 

 

ରମା

ନା, ତୁମର କୁଆଡ଼ୁ ଦୋଷ ହେବ ? ଉପରେ ଉପରେ ପାଣି ଛିଞ୍ଚି, ଭିତରେ ଚେର କାଟିବା ଜାଣିଛ ।

 

 

 

ମିନି

ଏଗୁଡ଼ା ତୁମେ ସବୁ କ’ଣ କହୁଚ ? ଆଉ ଅବୁଝା ହୁଅ ନାହିଁ । ରାଗ ବାଗରେ ବାବା ତୁମକୁ ସେମିତି କହି ଦେଇଛନ୍ତି—ହେଲେ ସେ ତାଙ୍କର ମନର କଥା ନୁହେଁ । ଆସ ଫେରିଆସ, ତୁମକୁ ମୋ ରାଣ, ମୋ ମୁଣ୍ଡ ଖାଇବ ।

 

 

 

ରମା

ଏ ଘର ଆଉ ଘର ହେଇ ନାହିଁ—ଏଠି ମଣିଷ ବୋଲି ଆଉ କେହି ନାହାନ୍ତି, ସମସ୍ତେ ଏଠି ଜାନୁୟାର, ଶୟତାନ୍‌ । ମଣିଷର ହୃଦୟ ଚିହ୍ନିବା ଶକ୍ତି କାହାରି ନାହିଁ ।

 

 

 

ମିନି

ଯେତେ ଦୋଷ ଥିଲେ ବି, ଏ ତୁମ ବାପଘର । ଏଇ ଘରେ ଦିନେ ତୁମେ କୁଆଁ କୁଆଁ ରାବ କରି ତୁମ ବାପ ମା’ଙ୍କ ମୁହଁରେ ହସ ଫୁଟେଇଥିଲ । ତୁମର ପିଲାଦିନ, ଆଉ ଯୌବନର ସରସ ମଧୁର କଥାସବୁ ଆଦରରେ ସାଇତି ରଖିଚି ଏଇ ବାପଘର । ୟାଠୁଁ ବଳି ଆଉ ସରସ ମଧୁର ସ୍ଥାନ ଅଛି ?

 

 

 

ରମା

ଖୁବ୍‌ ଅଛି ।

 

 

 

ମିନି

ମାନିଲି । ନାରୀ ପକ୍ଷରେ ସ୍ୱାମୀଘର ଆହୁରି ସରସ, ଆହୁରି ମଧୁର । ତୁମେ ତ ଏପର୍ଯ୍ୟନ୍ତ ତା ପାଇନା ରମା !

 

 

 

ରମା

ତୁମମାନଙ୍କପରି କେତେଜଣ ସାଧାରଣ ଲୋକଙ୍କ ଚକ୍ଷୁରେ ମୋର ବିଭାଘର ହୋଇ ନାହିଁ । ସେଇଥିପାଇଁ ମୋ ପ୍ରତି ଏଇ ଦମନନୀତିକୁ ତୁମେ ବି ସମର୍ଥନ ଜଣେଇଆସିଛ । କିନ୍ତୁ ପ୍ରକୃତରେ ମୋର ବିଭାଘର ସରିଛି ।

 

 

 

ମିନି

ରମା !

 

 

 

ରମା

ସେ ବିବାହରେ କୌଣସି ପୁରୋହିତ ମନ୍ତ୍ରପାଠ କରି ନାହିଁ ବା କେହି କୁଳବଧୂ ବନ୍ଦାଣ ଥାଳିଆ ଧରି ହାତେ ଓଢ଼ଣା ତଳୁ ହୁଳହୁଳି ଦେଇନି । ସେ ବିଭାଘରର ସାକ୍ଷୀ ଆମର ମନ, ଆମର ହୃଦୟ ।

 

 

 

ମିନି

କଣଗୁଡ଼ାଏ କହୁଚ ରମା ! ଛି, ଇମିତି ବୁଦ୍ଧି ମୋଟେ କରନା, ଲୋକେ ହସିବେ । ଭଗାରୀ ନାକରେ କାଠି ପୂରେଇ ଛିଙ୍କିବେ । ଆଉ ସିମିତି କୁହନା—ଆସ ।

 

 

 

 

 

(ରମାର ହାତ ଧରିଲାବେଳେ ରମା ଜୋରରେ ହାତ ଘୁଞ୍ଚାଇନେଲା)

 

 

 

ରମା

ଛାଡ଼, କଟାଘା’ରେ ଆଉ ଲୁଣଛିଟା ଦିଅ ନାହିଁ ।

 

 

 

ମିନି

ଇମିତି ଅବୁଝା ହୁଅନା ରମା ! ମଣିଷର ଟାଣ ସବୁ ଦିନେ ରହେ ନା ।

 

 

 

ରମା

ସତେ ? ବେଶ୍‌ ! ଏତେ ଦିନେ ତୁମର ପ୍ରକୃତ ରୂପ ଜଣାପଡ଼ିଲା ।

 

 

 

ମିନି

ରମା !

 

 

 

ରମା

ଚୁପ୍‌ କର (ଚାଲିଗଲା) ।

 

 

 

ଘନ

(ପ୍ରବେଶ କରି) ମିନି ! ରମା କୁଆଡ଼େ ଗଲା ?

 

 

 

ମିନି

ବାହାରି ଚାଲିଗଲେ ।

 

 

 

ଘନ

ତାକୁ ରଖି ପାରିଲ ନାହିଁ ?

 

 

 

ମିନି

ନା !

 

 

 

ଘନ

ବାପାଙ୍କୁ ବୁଝା ସୁଝା କରି ମୁଁ ଆସୁ ଆସୁ ତାକୁ ଟିକେ ଅଟକେଇ ଦେଇ ପାରିଲ ନାହିଁ ?

 

 

 

ମିନି

ବଢ଼ିଲା ନଈପାଣିରେ ବନ୍ଧ ବାନ୍ଧି ହୁଏ ନାହିଁ । କିନ୍ତୁ ନଈ ଶୁଖିଗଲେ, ପାଣି ଚାରିପଟେ ବାଲିବନ୍ଧ ପଡ଼ିଯାଏ । ସୁଅ ଆପେ ଆପେ ଅଟକିଯାଏ ।

 

 

 

ଘନ

ଛି, ଛି, ତୁମେ ବି ସିମିତି ପିଲାଙ୍କ ପରି ହେଲ ? ପିଲାଟା ଯଦି ଅବୁଝା ହେଇଥିଲା ତାକୁ ଟିକେ ବୁଝେଇ ପାରିଲ ନାହିଁ ? କି ଭାଉଜ ଆଉ ତୁମେ ହେଇଚ ?

 

 

 

ମିନି

ମୁଁ ତ ଆଉ ଦେବୀ ନୁହେଁ, ମୁଁ ଏଇ ଦୁନିଆର ମଣିଷ । ମୋର ରକ୍ତ ମାଂସ ଦେହ । ରାଗ, ଅଭିମାନ ସବୁ ମୋର ଅଛି ।

 

 

 

ଘନ

ସବୁ ମୁଁ ବୁଝୁଛି ମିନି, ତଥାପି ଲୋକେ କ’ଣ କହିବେ ? କିଛି ନ ବୁଝି ହଠାତ୍‌ ଅପବାଦ ଦବା ହେଲା ଲୋକଙ୍କର ନୀତି ।

 

 

 

ମିନି

ବେଶ୍‌, ଯଦି ପାରୁଛ ତେବେ ତୁମେ ଯାଇ ତାଙ୍କୁ ଫେରାଇ ଆଣ ।

 

 

 

ଘନ

ହଁ, ମୁଁ ଫେରେଇ ଆଣୁଚି । ଅଭିମାନ କରି ସେ ବୀରବାବୁଙ୍କ ଘରକୁ ଯାଇଥିବ । ସେଠୁ ମୁଁ ତାକୁ ନିଶ୍ଚେ ଫେରେଇ ଆଣିବି ।

 

 

 

ମିନି

ରକ୍ତ ଦେଇ ଯେ ଦୁନିଆରେ ମଣିଷ କଲେ, ସେ ତ ପର ହେଇଗଲେ ! ଆଉ ଭାଇ ପୁଣି ଆପଣାର ହେବେ !

 

 

 

ଘନ

ତୁମେ ଚୁପ୍‌ କର । ଆପଣାର ହବ କି ନ ହବ ତୁମେ ଦେଖିବ । ମୁଁ ନିଶ୍ଚେ ତାକୁ ଯାଇ ଫେରେଇ ଆଣିବି ।

 

୨ୟ ଦୃଶ୍ୟ

ଗ୍ରାମ୍ୟ ପଥ

 

[ବୃଷଭାନୁଙ୍କ ଘର ଅଳିନ୍ଦ—ବୃଷଭାନୁଙ୍କ ସ୍ତ୍ରୀ ଅରୁନ୍ଧତୀ ଆଗେଇ ଆସୁଥିବା ବେଳେ ଜୀବନେଶ୍ୱର ଆସି ଓଳିକି ହେଲା]

 

ଜୀବ

ଅପା, ଓଳିକି ।

 

 

 

ଅରୁ

ବୁଢ଼ା ହେଇଥା ।

 

 

 

ଜୀବ

ଅପା, ମୁଁ ସରିଗଲି ।

 

 

 

ଅରୁ

ହଇରେ, କ’ଣ ହେଇଛି ?

 

 

 

ଜୀବ

ମକଦ୍ଦମାରେ ପଡ଼ିଯାଇଛି ଅପା । ଶସ୍ତାରେ ଯିମିତି ହବ, ତାର ଟିକେ ବନ୍ଦୋବସ୍ତ ନ କଲେ ହବନି ।

 

 

 

ଅରୁ

ହଉ, ସେ ଆସନ୍ତୁ, ମୁଁ ନିଶ୍ଚେ କହିବି । ଆରେ, ମୋ ଭାଇ ପରା ବଡ଼ ଓକିଲ-! ୟାଙ୍କରି ଯୋଗୁ ସେ ମକଦ୍ଦମାରେ ଭଲ କରୁଚି । ୟେ ଯଦି କହିବେ ସେ ନିଶ୍ଚୟ କିଛି ଟଙ୍କା କମ୍‌ କରିଦେବ ।

 

 

 

ଜୀବ

ସେଇଆ ଜାଣିଛି ବୋଲି ତ ଏଠିକି ଆସିଛି । ତୁମକୁ ସବୁ ଲାଗିଲା ।

 

 

 

ଅରୁ

କି କଥା କହୁଛୁ ତୁ ? ତୋ କାମ କ’ଣ ମୋର ନୁହେଁ ? ହଁ ବାପା ଜୀବ ! କି ମକଦ୍ଦମା ତୋର ଲାଗିଛି କହିଲୁ ?

 

 

 

ଜୀବ

କାହିଁକି ଆଉ ସେ କଥା କହୁଛ ଅପା ! ସରକାର ପରା ମୋ ନାଁରେ ମକଦ୍ଦମା କରିଛନ୍ତି !

 

 

 

ଅରୁ

ହଇ ରେ, କାହିଁକି ?

 

 

 

ଜୀବ

ବଳିଆ ପଣ୍ଡା ‘ସୁରମା ହରଣ’ ବୋଲି ଗୋଟାଏ ବହି ଲେଖିଥିଲା । ତାକୁ ମୁଁ ଛପେଇ ବଜାରରେ ବିକ୍ରି କରୁଥିଲି ।

 

 

 

ଅରୁ

ହଁ, ସେଇଠୁ ?

 

 

 

ଜୀବ

ତୁମେ ତ ଜାଣ ଅପା, ଇମିତି ବହି ଛପେଇ ତାକୁ ବଜାରରେ ବିକି ମୁଁ ଟଙ୍କା ରୋଜଗାର କରେ । 9th Class ଯାକେ ପଢ଼ିଥିଲି । ପିଅନ କାମ କରିବାକୁ ମୋର ମନ ହେଲା ନାଇଁ ବୋଲି ଏ ରାସ୍ତା ଧଇଲି ।

 

 

 

ଅରୁ

ତୋର କଣ୍ଠ ତ ଭଲ । ଯାହା ବୋଲୁ ସବୁ ଭାରି ସୁନ୍ଦର ଶୁଭେ । ହଁ ସେଇଠୁ କ’ଣ ହେଲା ?

 

 

 

ଜୀବ

ବଳିଆ ପଣ୍ଡା ବହିଟା ଅଶ୍ଳୀଳ ବୋଲି ସରକାର ମୋ ନାଁରେ ମକଦ୍ଦମା କରିଛନ୍ତି । ଅଶ୍ଳୀଳ ବହି ଛାପିଲେ ଦଣ୍ଡ ଦିଆଯିବ ବୋଲି ଆଇନ ହେଲାଣି–ଏ କଥା ମୁଁ ଆଗରୁ ଜାଣିନଥିଲି ।

 

 

 

ଅରୁ

ସିମିତି ଖରାପ ବହି ଛାପୁଚୁ କାହିଁକି, ଯେଉଁଥିରୁ କିଛି ଶିଖିବାର ଅଛି ସିମିତି ବହି ଛାପୁନୁ ?

 

 

 

ଜୀବ

ଏଣିକି ଛାପିବି ଅପା ! ଅନେକ ବହି ପ୍ରସ୍ତୁତି ପଥେ । ହଉ ଅପା ! ମୁଁ ତା’ହେଲେ ଆସେ ।

 

 

 

ଅରୁ

ବାପା ଜୀବ, ଆଉ ଗୋଟେ କାମ କରି ପାରିବୁ ?

 

 

 

ଜୀବ

କଣ କୁହ ଅପା !

 

 

 

ଅରୁ

ଘରୁ ପାନ ସରି ଯାଇଥିଲା ଯେ......

 

 

 

ଜୀବ

ହଉ ମୁଁ ଆଣିଦେଇ ଯିବି ।

 

 

 

ଅରୁ

ରହ, ମୁଁ ପଇସା ଆଣେ ।

 

 

 

ଜୀବ

ହଉ, ମୁଁ ଆଗ ଆଣେ, ପରେ ଦେଲେ କ’ଣ ହବ ନାହିଁ ?

 

 

 

ଅରୁ

ହଉ, ହଉ, ମୋ ପାଖରେ ରେଜା ବି ନ ଥିଲା । ହଁ, ଯାଉଚୁ ଯଦି ଆଉ ଗୋଟେ କାମ କରିଦେବୁ ?

 

 

 

ଜୀବ

କଅଣ କୁହ ଅପା ।

 

 

 

ଅରୁ

ଆଜି ରାତିରେ ପଞ୍ଚାନନ ମେଳା କରିବି ଯେ—ସେରେ ଦୁଧ ଦରକାର ଥିଲା-। ତୁମ ଘର ପାଖ ସାନ୍ଦିଆ ଗଉଡ଼ଠୁଁ ସେରେ ନେଇ ଆସିଥିବୁ । ପଇସା ଏକାବେଳକେ ଦେଇ ଦେବି ।

 

 

 

ଜୀବ

ଦବ ତ ବ୍ୟସ୍ତ କାହିଁକି ? ତୁମଠୁଁ ପଇସା ନଉ ନାହିଁ ତ ଆଉ କାହାଠୁଁ ନଉଛି-?

 

 

 

ଅରୁ

ହଉ ବାପା ଯା—(ଓଳିକି କରି ଚାଲିଗଲା) ।

 

 

 

ବୃଷଭାନୁ

(ପ୍ରବେଶ କରି) Mr. ଜୀବନେଶ୍ୱର ପ୍ରବେଶ କରିଥିଲେ । ପୁଣି କି ଉଦ୍ଦେଶ୍ୟରେ ପ୍ରସ୍ଥାନ କଲେ ?

 

 

 

 

 

(ବୃଷଭାନୁଙ୍କ ହାତରେ ପରିବା ବ୍ୟାଗ ।)

 

 

 

ଅରୁ

ବୀରକୁ କହି ତା ମକଦ୍ଦମା ଖର୍ଚ୍ଚ ତୁମେ ଟିକେ କମେଇ ଦେବ ବୋଲି କହିବାକୁ ଆସିଥିଲା ।

 

 

 

ବୃଷ

ଆଉ ଏଇ ଅବସରରେ ତୁମେ ବି କିଛି ଲାଭ ଉଠେଇ ନେଇଥିବ !

 

 

 

ଅରୁ

ହଁ, କ’ଣ ହେଇଗଲା ?

 

 

 

ବୃଷ

ନା, ବେଶ୍‌ ହୋଇଛି । ଖୁବ୍ ବଡ଼ ବଡ଼ ଲୋକ ବି ଇମିତି ସୁଯୋଗ ପାଇଲେ ଛାଡ଼ନ୍ତି ନାଇଁ । ମୋ ପାଖରେ କାମ ଅଥଚ ତୁମ ପାଖରେ ଗୁହାରି । ବୁଝିଲି, ବିଷ୍ଣୁ ପୂଜାପାଇଁ ଗରୁଡ଼ ପୂଜା, ଶିବ ତୋଷପାଇଁ ବାସୁଆବଳଦକୁ ଜୁହାର ।

 

 

 

ଅରୁ

ଯାଃ, ଭଲ ଲାଗୁ ନାଇଁ ।

 

 

 

ବୃଷ

କାଇଁକି, କ’ଣ ହେଇଚି ? ସରସ ଚାନ୍ଦ ବଦନ ଦିଶେ କିମ୍ପା ମଳିନ ?

 

 

 

ଅରୁ

ଉଠ ମ, କାହିଁକି ସିମିତି ହଉଛ !

 

 

 

ବୃଷ

ମଲା, କ’ଣ ହେଇଛି କୁହ ? ଭାଙ୍ଗିଥିଲେ ଗଢ଼େଇ ଦେବି, ହଜିଥିଲେ ଖୋଜେଇ ଦେବି ।

 

 

 

ଅରୁ

ତାମସା ଛାଡ଼ମ ! ମୁଁ ଟିକେ ଯିବି ।

 

 

 

ବୃଷ

କୁଆଡ଼େ ?

 

 

 

ଅରୁ

ଆମ ଘରକୁ ।

 

 

 

ବୃଷ

କିଓ ବାହାଘରକୁ ତ ଯାଇଥିଲ । ଆଉ ପୁଣି କାହିଁକି ଯିବ ?

 

 

 

ଅରୁ

ମଲା, ପିଲାଟା ନୂଆ ବାହା ହେଇଛି, ବୋହୂଟା କ’ଣ କରୁଥିବ, କିଛି ଠିକ୍‌ ନାହିଁ । ତାକୁ ଚଳେଇ ନ ନେଲେ ହବ କିମିତି ? ଶାଶୁ ଶଶୁର ତ କେହି ନାହାନ୍ତି । ତୁମେ ମୁରବି ହେଇଥିଲ ଯେ, ମୁଁ ନ କହିବାଯାକେ କେତେବେଳେ ହେଲେ ତା କଥା ବୁଝିବ ନାହିଁ ।

 

 

 

ବୃଷ

କ’ଣ କହିଲ ? ମୁଁ ବୁଝୁନାହିଁ ? କାହାପାଇଁ ତୁମ ଭାଇ ଆଜି ବଡ଼ ଓକିଲ ? ଆଜି ମୋରି ବଳରେ......

 

 

 

ଅରୁ

ତୁମ ପାଇଁ ସେ କ’ଣ ବଡ଼ ହେଇଛି ମ ? ତୁମେ ଓଲଟି ତା ନାଁକୁ ଧୋଇ ଶୁଖେଇ ଖାଉଚ ।

 

 

 

ବୃଷ

ସତେ ? ବୁଝିଲ, ତୁମେ କ’ଣ କହିବ ? ତୁମ ମାଇକିନା ଜାତିର ସେଇଟା ଗୁଣ । ସବୁବେଳେ ଭାଇର ବଡ଼େଇ କରି ଅମୃତ ହାଣ୍ଡିରେ ତୁମେ ବିଷ ଢାଳିଦିଅ ।

 

 

 

ଅରୁ

ଏ କଥା ତୁମେ କହିପାରୁଛ ? ଆଟିକାର ମୁହଁକୁ ସୋରିଷଟାର ଲାଜ ନାହିଁ ।

 

 

 

ବୃଷ

ଅରୁ ! ଅତି ମୁହଁ ବଢ଼ିଯାଉଛି, ସବୁବେଳେ ଭାଇର ବଡ଼େଇ । ଭାଇପାଇଁ ମୁଁ ଆଜି କ’ଣ କରିଛି ମନକୁ ପଚାର ।

 

 

 

ଅରୁ

ପଚାରିଛି ।

 

 

 

ବୃଷ

ଛେନା ଟା ପଚାରିଛ ? କଟକ ସହରର ମୁଁ ସିମିତି ନାମଜାଦା ମୋହରିର ବୋଲି ଗଣ୍ଡା ଗଣ୍ଡା ମୋକଦ୍ଦମା ମୋ ପାଖକୁ ଆସୁଚି । ମୁଁ ତାକୁ ନେଇ ଜୁଟେଇ ଦବାରୁ ଭାଇବାବୁଙ୍କ ହାତ ଟିକେ ତେଲିଆ ହେଇ ଯାଇଛି । ଟିକେ ଯଦି ମୁଁ କଳ ମୋଡ଼ି ଦିଅନ୍ତି ନା, ଚିନାବାଦାମ ଗୋଟିଏ ଗୋଟିଏ ପାଟିରେ ପକାଇ ବରଗଛମୂଳେ ବସି, ଆଖି ବୁଜି ଦରିଦ୍ର ପଞ୍ଚାକ୍ଷର ଜପନ୍ତେ ।

 

 

 

ଅରୁ

ଏତେ ପାଠଶାଠ ପଢ଼ିଚି, ମୁଣ୍ଡରେ ଏତେ ବୁଦ୍ଧି, ସେ ପୁଣି ଇମିତି ହଜେଇଦବ ? ମିଛ କଥା, ଓକିଲ ବୋଲି ତାର ଖୁବ୍‌ ନା ଅଛି । ତୁମ ଯୋଗୁ ତାର କ’ଣ ଉପକାର ହେଲାମ ? ସେ ତାର ପାଠ ପଢ଼ିଥିଲା, ଖାତିର୍‍ ପାଉଛି ।

 

 

 

ବୃଷ

ହଁ, ଖାତିର୍‌ ପାଉନାହିଁ ଆଉ କ’ଣ ! ସେଇଥିପାଇଁ ପରା ଶଙ୍କର ବାବୁ ଝିଅ ଦେବାକୁ ରାଜି ହେଉ ନ ଥିଲେ । ଝିଅଟା ଅଡ଼ିବସିଲା ବୋଲି ବାହା ଘରଟା ଯାଇ ତାଇ ହେଇଗଲା । ବୁଝିଲ, ସ୍ୱାମୀ ସିନା ତୁମର ବେଶି ବଡ଼ ପାହ୍ୟା ପାଇ ନାହାନ୍ତି, ହେଲେ କୋଉ ଗୁଣଟା ତାଙ୍କଠି ଅଭାବ କହିଲ ? ଜୋତା ସିଲେଇଠୁ ଆରମ୍ଭ କରି ଚଣ୍ଡୀପାଠ ପର୍ଯ୍ୟନ୍ତ ସବୁ ତାଙ୍କୁ ମାଲୁମ ।

 

 

 

ଅରୁ

ଆହା ! ମନମୋଟକୁ ତ ଲଙ୍ଗଳ ଦଉଡ଼ି ପାଉନାହିଁ !

 

 

 

ବୃଷ

ଅରୁ !

 

 

 

ଅରୁ

ମଲା, ପର ଯଦି ଗୁଣର ତାରିଫ ନ କଲେ ନିଜ ମୁହଁରେ ନିଜ ପ୍ରଶଂସାଟା କୋଉ ଆଡ଼କୁ ପାଏ । ଏଡେ ବଡ଼ ବୋଲି ତ ନିଜକୁ କହୁଛ, କେତେଟା ମଟର ଆସି ତୁମ ଦୁଆରେ ଲାଗିଲାଣି ? କେତେଟା ଭୋଜିକୁ ନିମନ୍ତ୍ରଣ ପାଇଲଣି ? କେତେଟା ସଭାରେ ଫୁଲମାଳ ପାଇଲଣି? ଏଥିରେ କଥା କହିବ ?

 

 

 

ବୃଷ

ଅରୁ ! ମୁଁ ଆଘାତ ପାଇଲି ଅରୁ । ମୋ ହୃଦୟତନ୍ତ୍ରୀରେ ତୁମ କଥାଗୁଡ଼ା ଗୁଡ଼େଇ ହେଇ ଲାଗିଗଲା । ସତରେ ଅରୁ ! ସବୁ ଥାଇ ବି ମୁଁ ସର୍ବହରା । ମୋ ପରି ବହୁମୁଖୀ ପ୍ରତିଭାସମ୍ପନ୍ନ ବ୍ୟକ୍ତି ପୃଥିବୀରେ ଖୁବ୍‌ କମ୍‌ ଅଛନ୍ତି, କିନ୍ତୁ ଗୋଟାଏ Reception meeting ମାନେ ସମ୍ୱର୍ଦ୍ଧନା ସଭାଟାଏ ହେଲା ନାହିଁ । ଏତେ ବଡ଼ ଗୋଟାଏ ପ୍ରତିଭା ବଣରେ ଫୁଟି ବଣରେ ମଉଳିଯାଉଛି-। ଗୋଟାଏ Condolence meeting—ମାନେ ଗୋଟାଏ ଶୋକସଭା ବି ହେଲା ନାହିଁ । ହାୟରେ ହତଭାଗା ଦେଶ !

 

 

 

ଅରୁ

ସବୁବେଳେ ସେହି ଦେଶ ଦେଶ ହେଲ । ହେଲେ ଲାଭଟା କ’ଣ ହେଇଛି ? ଯେଉଁମାନେ ଦେଶ ନା ତୁଣ୍ଡରେ ଧରିଛନ୍ତି, ସେମାନଙ୍କ ଭାଉ କାହିଁରେ କ’ଣ ହେଲାଣି । ଏଇକ୍ଷଣି ସେମାନେ ଖାଲି ଗଗନରେ ଉଡ଼ୁଛନ୍ତି । ତାଙ୍କ ଭାରିଜାମାନେ ମଟରରେ ବସି ଡାହାଳ କୁକୁର ଧରି ନଈକୂଳକୁ ହାଉଆ ଖାଇବାକୁ ଯାଉଛନ୍ତି । (କାନ୍ଦିପକେଇ) ମୋ କପାଳ ଫଟା ବୋଲି ମୁଁ ଯେଉଁ ମୋହରିର ଭାରିଜାକୁ ସେଇ ମୋହରିର ଭାରିଜା ହେଇ ରହିଛି । ମୋ ଭାଇ ଓକିଲାତି କରୁ ନ ଥିଲେ ଆଜି ମତେ କଡ଼ାକରେ କେହି ପଚାରୁ ନ ଥାନ୍ତେ । ତୁମକୁ ବାହା ହୋଇ ମୁଁ କି ସୁଖଟା ପାଇଛି ?

 

 

 

ବୃଷ

ଅରୁ ! ଏ କଥା ତୁମେ କହିପାରୁଛ ? ଜାଣ, ତୁମକୁ ବିବାହ କରି ମୁଁ କି ତ୍ୟାଗ କରିଛି ? ଶତ ଶତ ଦୁହିତାଙ୍କ ପିତା ମତେ ଜାମାତା କରିବାକୁ ପ୍ରତିଯୋଗିତା କରୁଥିଲେ । ମୋର ବହୁମୁଖୀ ପ୍ରତିଭା ତାଙ୍କୁ ଚମତ୍କୃତ କରିଥିଲା । କିନ୍ତୁ ମୁଁ ହେଲି ନାହିଁ ଅର୍ଥାତ୍ ମୁଁ ବାହା ହେଲି ନାହିଁ ।

 

 

 

ଅରୁ

ହେଲ ନାହିଁ ?

 

 

 

ବୃଷ

କିନ୍ତୁ ମୁଁ କହିଲି ଜାନେ ଦୋ, କି ଛାର କଥାରେ ଏ ଘୋର ଜିଗୀଷା । ପିତୃ ଆଦେଶ ମାନିନେଲି । ଶତ ଶତ ତରୁଣୀଙ୍କ ଆଖିର ଲୁହ ବୋହିବା ଦେଖି ସୁଦ୍ଧା ଛାତି ପଥର କରିଦେଲି । ଅରୁ ! ଢେଙ୍କାନାଳର ବାଜି ରାଉତ ପରି ମୁଁ ଶହୀଦ ହେଇଗଲି । ଏ ତ୍ୟାଗ ରାମଚନ୍ଦ୍ରଙ୍କ ଚଉଦ ବର୍ଷ ବନବାସଠାରୁ ବି ଆହୁରି ଅଧିକ, କିନ୍ତୁ କେହି ଏ କଥା ବୁଝିଲେ ନାହିଁ । ମାତୃଭୂମି, ସମାଜ, ପ୍ରଜାତନ୍ତ୍ର—ସବୁଠିକି ଏ ସମ୍ୱାଦ ଯାଇଥିଲା । କିନ୍ତୁ କେହି ହେଲେ ଏ କଥା ବାହାର କଲେ ନାହିଁ । ହାୟରେ ହତଭାଗା ଦେଶ !

 

 

 

ଅରୁ

ମଲା, ମୋ ବାପା କ’ଣ ସିମିତି ଭଲ ଜାଗାରେ ଦେବାକୁ ବସି ନ ଥିଲେ କି-? ପ୍ରଥମେ ତ ବୋଉ ତୁମକୁ ଦେଖି କହିଲା ଯେ ମୋ ଝିଅ ସହିତ ଏ ଶୋଭା ଦିଶିବେ ନାହିଁ, ଗେଡ଼ା ପିଲାଟିଏ ।

 

 

 

ବୃଷ

ଅରୁ ! ମୋ ରୂପ, ମୋର ଉଚ୍ଚତା ତା’ହେଲେ ତୁମର ପସନ୍ଦ ଆସୁ ନାହିଁ ? ପତି ଦେବତା, ଗୁରୁ । ତାର ରୂପର ପୁଣି ସମାଲୋଚନା ! ମୋ ବାପା ଯାଇ ଗୋଡ଼ତଳେ ପଡ଼ି ତୁମକୁ ବୋହୂ କରି ଆଣିଲେ ବୋଲି ତୁମେ ତାହାହେଲେ କହୁଛ ?

 

 

 

ବୃଷ

ସେଇୟା ନୁହେଁ କି ? ମୋ ବାପାଙ୍କୁ କ’ଣ ଆଉ ଜୋଇଁ ଘର ମିଳୁ ନ ଥିଲା-? ବାପ, ମା ଯେତେବେଳେ ଜନ୍ମ ଦେଇଥିଲେ, ଝିଅକୁ କେବେ ଅଭିଆଡ଼ା ରଖିଥାନ୍ତେ ?

 

 

 

ବୃଷ

କଣ ହେଲା ? ମୋ ମୁହଁ ସାମନାରେ ଜବାବ ଦେଉଛ । ଆରେ ଛାର ମାଇକିନିଆ, ୟାର ପୁଣି ଏତେ ସାହସ । ଆଚ୍ଛା, ମୁଁ ଏ ଘରର ମୁରବି, ଏ ପରିବାରର ପ୍ରଧାନମନ୍ତ୍ରୀ, ମୁଁ ସମ୍ରାଟ, ମୁଁ ସେନାପତି—Commander in Chief.

 

 

 

ଅରୁ

ଆରେ ଖାଲି ଜଣେ କାହିଁକି ହାକିମ କରିବ । ବୀର କହୁଥିଲା,ଏଣିକି ଆଇନ ପୁଅ ଝିଅ ସମସ୍ତଙ୍କୁ ସମାନ କରି ଦେଉଛି ।

 

 

 

ବୃଷ

ମୋ ଘରେ ବିଦ୍ରୋହ କରିବାର ଚେଷ୍ଟା । ଭାଇ ଭଉଣୀ ତୁମେ ମୋତେ ଆଇନ୍‌ ଦେଖେଇବ ? ଆରେ ସେ ଆଇନ୍‍ ହେଇଚି, ମାଇକିନିଆଠୁଁ ଭୋଟ ନେବା ପାଇଁ । ଆଉ କଣଟା ହେଇଚି ? ୟା’ପ ଗୋଟାଏ ଧମକ ଦେଲେ ଝାଡ଼ା ହେଇଯିବ । ୟେ ପୁଣି ସମାନ ଅଧିକାର ଦାବି କରିବେ । କହିଲା କ’ଣ ନା ମୋ ଭାଇ । ଆ.ହା...ଭାଇ ।

 

 

 

ଅରୁ

ବୁଝି ଖବରଦାର । ମୋ ଭାଇ ନାଁରେ ଏମିତି କହିବନି ।

 

 

 

ବୃଷ

ହଉ ଯା, ଭାଇ ପାଖକୁ ପଳା । ସେଇଠି ଭାଇଙ୍କି କହି ଆଇନ୍‌ ବଳରେ ମୋତେ ଉଠେଇଦବ । ଭାଇ ତ ସିଆଡ଼େ ଗୋପଲୀଳାରେ ବ୍ୟସ୍ତ, ୟାକୁ ଖାଲି ସେ ଚାହିଁ ବସିଛି ! କିନ୍ତୁ କହି ଦଉଚି, ତୁମେ ଯିବା ମାତ୍ରେ ଗୋଟାଏ Release letter ଦେଇ ଅନ୍ୟଠି ମ୍ୟାରି କରିଯିବି ।

 

 

 

ଅରୁ

ହଉ, ଭଲ ହେଲା ।

 

 

 

ବୃଷ

Release letter ମାନେ କ’ଣ ବୁଝୁଛଟି ? ତା’ ମାନେ ହେଉଛି ଛାଡ଼ପତ୍ର । ତୁମକୁ ଗୋଟାଏ ରିଲିଜ୍‌ ଲେଟାର୍‌ ଦେଇଦେବା ମାତ୍ରେ ଦେଖିବ, କେତେ Love letter ମାନେ ପ୍ରେମପତ୍ର ମୋ ପାଖରେ ପହଞ୍ଚିଯିବ । କିନ୍ତୁ ତୁମକୁ Second hand ବୋଲି କେହି ପଚାରିବେ ନାହିଁ । ତୁମ ହିନ୍ଦୁକୋଡ଼ ଆଇନ୍‌ କିମିତି ଚାଲୁ ହେବ ମୁଁ ଦେଖିବି ?

 

 

 

ଅରୁ

ହଉ ବେଶ୍‌, ମୁଁ ତେବେ ଏଠି ରହିବି କାହିଁକି ? (ପ୍ରସ୍ଥାନ)

 

 

 

ବୃଷ

ଏଁ, ସତରେ ଚାଲିଯିବ ନା କ’ଣ ? ଏ, ଶୁଭୁଚି ନା.... (ଡାକି ଡାକି ପ୍ରସ୍ଥାନ)

 

୩ୟ ଦୃଶ୍ୟ

 

[ବୀରକିଶୋର ଦାସଙ୍କ ଘର । ଝରକା ବାଟେ ଚନ୍ଦ୍ରକିରଣ ଆସୁଥିଲା । ରମା ବାହାରକୁ ଚାହିଁ ରହିଥିଲେ । ବୀର ପଛପଟୁ ଆସି ଆଖି ବୁଜି ଧଇଲେ ।]

 

ରମା

ବୁଝି ସାରିଲିଣି ।

 

 

 

ବୀର

(ହାତ ଛାଡ଼ିଦେଇ) ସତେ ? ଏତେ ବୁଝିବା ଶକ୍ତି କେବେଠୁ ହେଲାଣି ?

 

 

 

ରମା

ଯେଉଁ ଦିନୁ ଆଇନବ୍ୟବସାୟୀଙ୍କ ସଙ୍ଗେ ସମ୍ପର୍କ ରଖିଲିଣି । (ଦୁହେଁ ହସିଉଠିଲେ)

 

 

 

ବୀର

ଆଇନ ବ୍ୟବସାୟୀର ଜୀବନ ବଡ଼ ଶୁଷ୍କ । ଏ ନୀରସ ଜୀବନକୁ କେବଳ ତୁମେ ହିଁ ସରସ କରିବ ।

 

 

 

ରମା

ସେଥିରେ ମୁଁ କେବେହେଲେ ହେଳା କରିବି ନାହିଁ ।

 

 

 

ବୀର

ସେ ବିଶ୍ୱାସ ମୋର ଅଛି ରମା । କଲେଜ ବକ୍ତୃତାରେ ପ୍ରଥମ ହୋଇ ତୁମେ ଯେଉଁ ଦିନ ପୁରସ୍କାର ପାଇଲ ସେହି ଦିନଠୁଁ ମୁଁ ତୁମ ପ୍ରତିଭାର ପରିଚୟ ପାଇଛି । ଚେଷ୍ଟା କଲେ ତୁମେ ସବୁ କିଛି କରି ପାରିବ । ପୁରୀର ସଙ୍ଗୀତ ସମ୍ମିଳନୀ ଦେଖି ମୋର ମନେ ହେଲା ଯେ ସଙ୍ଗୀତ ଶିକ୍ଷା କଲେ ତୁମେ ସୁନ୍ଦର ସଙ୍ଗୀତ ପରିବେଷଣ କରିପାରିବ । ତୁମର କଣ୍ଠ ଲଳୀତ ! ଯତ୍ନ କରିଥିଲେ ଖୁବ୍‌ ସୁନ୍ଦର ଗାଇ ପାରିଥାନ୍ତ । ଚେଷ୍ଟାର ଅସାଧ୍ୟ କିଛି ନାହିଁ ।

 

 

 

ରମା

ଭାଇ ଲଗେଇଥିଲେ ମତେ ଗୀତ ଶିଖିବା ପାଇଁ ମୁଁ ଶିଖିଲି ନାହିଁ ।

 

 

 

ବୀର

କାହିଁକି ?

 

 

 

ରମା

ମୁଁ ତ କୌଣସି ଥିଏଟର ପାର୍ଟିରେ ଯୋଗ ଦେଇ ପେଟ ପୋଷିବାକୁ ଇଚ୍ଛା କରି ନ ଥିଲି । ବାହା ହେଇ ଘର କରିବାକୁ ହେଲେ ଗୀତନାଚର କି ଦରକାର ?

 

 

 

ବୀର

କଳାକୁ କେବଳ ବ୍ୟବସାୟ ଦୃଷ୍ଟିରୁ ଦେଖିବା ଉଚିତ ନୁହେଁ । ତୁମେ ସୁଗାୟିକା ହେଲେ ମୁଁ ଆହୁରି ଆନନ୍ଦ ପାଇବି । (ଏକଥା ଶୁଣି ରମା ଚମକି ପଡ଼ିଲା)

 

 

 

ରମା

ହଁ, ସେ କଥା ମୁଁ ଅନୁଭବ କରିପାରିଛି । ସେ ଦିନ ପୁରୀର ସଙ୍ଗୀତ ସମ୍ମିଳନୀରେ ରଜନୀ ବାବୁଙ୍କ ସ୍ତ୍ରୀ ଯେତେବେଳେ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲେ, ସେତେବେଳେ କରତାଳି ଦେଇ ସମସ୍ତେ ତାଙ୍କୁ ଅଭିନନ୍ଦନ କଲେ । ସେତେବେଳେ ମୁଁ ତୁମକୁ ଲକ୍ଷ୍ୟ କରିଛି ।

 

 

 

ବୀର

ରମା !

ରମା

ସତରେ ମୋର ଭୁଲ ହୋଇଛି । କିନ୍ତୁ ଆଉ ସେ ଭୁଲ ହବ ନାହିଁ । ଏଣିକି ମୁଁ ନିଶ୍ଚେ ସଙ୍ଗୀତ ଶିଖିବି । କୁହ ମୁଁ ପାରିବି ତ ?

ବୀର

ନିଶ୍ଚୟ ପାରିବ ରମା ।

ରମା

କୌଣସି ସଙ୍ଗୀତ ସ୍କୁଲରେ ମୋ ନାଁ ଲେଖେଇ ଦିଅ, ସେଇଠି ମୁଁ ଶଖିବି ।

ବୀର

ସଙ୍ଗୀତ ସ୍କୁଲକୁ ଯିବା ଦରକାର ନାହିଁ । ଏଇ ଘରେ ରହି ତୁମେ ଯିମିତି ଗୀତ ଶଖିପାରିବ ତାର ବନ୍ଦୋବସ୍ତ ମୁଁ କରିବି ।

ରମା

ବେଶ୍‌, ଜଣେ ସଙ୍ଗୀତ ଶିକ୍ଷକ ଯୋଗାଡ଼ କରିଦିଅ । କିନ୍ତୁ ସେ ସଙ୍ଗୀତ ଶିଖେଇଲାବେଳେ ତୁମେ ରହିବ ନାହିଁ ।

ବୀର

କାହିଁକି ?

ରମା

ମତେ ଲାଜ ଲାଗିବ ।

ବୀର

ଇସ୍‌, ଲାଜ ! (ହସିଲେ)

(ଅଦ୍ୱୈତଙ୍କ ପ୍ରବେଶ)

ଅଦ୍ୱୈତ

(ବାହାରୁ) ଆସି ପାରେ କି ?

ବୀର

ଆରେ ଆ ।

ଅଦ୍ୱୈତ

(ପ୍ରବେଶ) ନମସ୍କାର ରମାଦେବୀ ?

ବୀର

ମତେ ନମସ୍କାର କଲୁ ନାହିଁ ?

ଅଦ୍ୱୈ

ନମସ୍କାର ।

ବୀର

ବୁଝିଲ ରମା, ଏଇ ଅଦ୍ୱୈତ ଯୋଗୁଁ ଓକିଲାତି ବ୍ୟବସାୟରେ ମୁଁ ପଶିଲି । ସମସ୍ତେ ଯେତେବେଳେ କହୁଥିଲେ ଯେ ଓକିଲାତି ବ୍ୟବସାୟ ମାନ୍ଦା ପଡ଼ିଗଲାଣି, ସେତେବେଳେ ଆଶା ଭରସା ଦେଇ ଅଦ୍ୱୈତ ଏ ବ୍ୟବସାୟରେ ମତେ ପୂରେଇଥିଲା ।

ଅଦ୍ୱୈ

ମୋରି କଥାରେ ପଡ଼ି ବୀର ଯେତେବେଳେ I.A.S. ପରୀକ୍ଷା ଦେଲା ନାଇଁ, ସେତେବେଳେ ସମସ୍ତେ ଭାବିଥିଲେ ଯେ ସେ ଅନୁତାପ କରିବ । କିନ୍ତୁ ଆଜି ଓକିଲାତି କରି ତାର କ’ଣ ଅଭିଜ୍ଞତା ହେଇଛି ପଚାରନ୍ତୁ ?

ବୀର

ହଁ, ଆଇନ୍‌ ବହି ଭଲ ଭାବରେ ପଢ଼ିଲେ ଆଉ ନିଷ୍ଠା ରଖିଲେ ଓକିଲାତି ବେଉସା କେବେ କାହାକୁ ଦଗା ଦେବ ନାହିଁ ବୋଲି ମୋର ପୂରା ବିଶ୍ୱାସ ହେଇ ଯାଇଛି ।

ରମା

କିନ୍ତୁ ମୋ ବାପାଙ୍କର ବିଶ୍ୱାସ ଯେ ଓକିଲାତି ବ୍ୟବସାୟ ଆଉ ପୋଷାଇବ ନାହିଁ । ନିଜର ଜୋଇଁ ଯେ ଓକିଲାତିରେ ବେଶ୍‌ ରୋଜଗାର କରୁଛନ୍ତି, ସେକଥା ସେ ମୋଟେ ବିଶ୍ୱାସ କରିବେ ନାହିଁ ।

 

 

 

ବୀର

ହଁ, ସେ ଚାହିଁଥିଲେ ନିଜର କନ୍ୟାକୁ ଜଣେ ସୁଯୋଗ୍ୟ ପାତ୍ର ହାତରେ ଦବାକୁ-। କନ୍ୟା ତାଙ୍କର ହେଇଥାନ୍ତା ଜଣେ ମାଜିଷ୍ଟ୍ରେଟଙ୍କ ପତ୍ନୀ । ହାକିମଙ୍କ ଶ୍ୱଶୁର ବୋଲି ଛାତି ତାଙ୍କର ଫୁଲି ଉଠିଥାନ୍ତା ।

 

 

 

ରମା

ପଛ କଥାଗୁଡ଼ାକ କାହିଁକି ଭାବୁଚ କହିଲ ?

 

 

 

ବୀର

ବାବାଙ୍କ କଥା ମାନିଥିଲେ ତୁମେ ବୋଧହୁଏ ସୁଖୀ ହେଇଥାନ୍ତ ।

 

 

 

ଅଦ୍ୱୈ

ଏ କଥା ତୁ କିମିତି କହୁଛୁ ? ରମାଦେବୀ ତାଙ୍କ ବାବାଙ୍କ କଥା ମାନିଥିଲେ ତୁ କ’ଣ ସୁଖୀ ହେଇଥାନ୍ତୁ ?

 

 

 

ରମା

ନିଶ୍ଚେ ସୁଖୀ ହେଇଥାନ୍ତେ ? ମତେ ବିବାହ କରି ଜୀବନରେ ସେ ମସ୍ତବଡ଼ ଭୁଲ କରି ବସିଛନ୍ତି । ମତେ ସଙ୍ଗୀତ ଆସେନା । ସୁଗାୟିକା ପତ୍ନୀ ପାଇବା ସ୍ୱପ୍ନ ତାଙ୍କର ସଫଳ ହେଇନି ।

 

 

 

ଅଦ୍ୱୈ

ରମାଦେବୀ !

 

 

 

ବୀର

ରମାଦେବୀ କାହିଁକି ଏକଥା କହୁଛନ୍ତି ଜାଣୁ ?

 

 

 

ଅଦ୍ୱୈ

କାହିଁକି ?

 

 

 

ବୀର

ରମାଦେବୀ ଭଲ ଗୀତ ଗାଇ ଜାଣି ନାହାନ୍ତି । ସୁଗାୟିକା ପତ୍ନୀ ପାଇଥିଲେ ଖୁସି ହେଇଥାନ୍ତି କହିବାରୁ ସେ ଅଭିମାନ କରିଛନ୍ତି ।

 

 

 

ଅଦ୍ୱୈ

କିଛି ଭୁଲ କରି ନାହାନ୍ତି । ତୁ ଏତେ ଦୁଃଖ ପ୍ରକାଶ କରୁଥିଲୁ କାହିଁକି ? ଗୀତ ଶିଖେଇବା ପାଇଁ ଏତେ ତୋର ଝୁଙ୍କ କାହିଁକି ? ସମାନ୍ୟ କଥାରେ ଜୋର ଦେଇ ବସିଲେ ଅଶାନ୍ତି ଛଡ଼ା ଆଉ କିଛି ଲାଭ ନାହିଁ ।

 

 

 

ବୀର

ଅଶାନ୍ତି ଆସିବ କାହିଁକି ? ପରସ୍ପରକୁ ବୁଝିବାରେ ଆଉ କ’ଣ ବାକି ଅଛି ?

 

 

 

ଅଦ୍ୱୈତ

ତା’ ତ ଭଲ କଥା । କିନ୍ତୁ ଗୀତ ନାଚ ଉପରେ ତୁ ଯେତେ ଜୋର ଦେଉଚୁ, ମୁଁ ତାକୁ ପସନ୍ଦ କରୁନାହିଁ । ଘରକରଣା କରିବାପାଇଁ ଗୀତ ନାଚ କ’ଣ ଦରକାର ? ଉର୍ବଶୀ ସ୍ୱର୍ଗର ନର୍ତ୍ତକୀ । ଦେବତାଙ୍କୁ ଆମୋଦ ଦେବା ତାଙ୍କର କାମ । କିନ୍ତୁ ବିଷ୍ଣୁଙ୍କ ଘରଣୀ ଲକ୍ଷ୍ମୀଙ୍କର ସଙ୍ଗୀତର ଆବଶ୍ୟକ ନ ଥାଏ । ଆମ ଦେଶର କୁଳବଧୂର ଆଦର୍ଶ ଲକ୍ଷ୍ମୀ, ଉର୍ବଶୀ ଏଠି ପୂଜା ପାଏନା ।

 

 

 

ରମା

ବାଃ, ଏଣିକି ଆପଣଙ୍କ ବନ୍ଧୁଙ୍କ ପାଟି ଫିଟିବ ନାହିଁ ।

 

 

 

ବୀର

ହଉ ହେଲା । ମୁଁ ହାର ମାନିଲି । ବନ୍ଧୁ ଆଉ ପ୍ରିୟା ପାଖରେ ହାର ମାନିବାରେ ମୁଁ ଗୌରବ ବୋଧ କରେ ।

 

 

 

ଅଦ୍ୱୈ

ତା’ହେଲେ କାହିଁକି ଆଉ ରମାଦେବୀଙ୍କୁ ବାଧ୍ୟ କରିବୁ ? ସଙ୍ଗୀତ ଶିକ୍ଷା ବନ୍ଦ କର ।

 

 

 

ବୀର

ସେ ପାଠ ହେଇ ପାରିବ ନାଇଁ । ସୁଗାୟିକା ହିସାବରେ ମୁଁ ତାଙ୍କୁ ନିଶ୍ଚୟ ଠିଆ କରାଇବି । ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ ଯୋଗାଡ଼ କରି ଦେଇ ପାରିବୁ ?

 

 

 

ଅଦ୍ୱୈତ

ଏ ସବୁ କଥା ମୋ’ଦ୍ୱାରା ହେଇ ପାରିବନାଇଁ । ତୋ ଭିଣୋଇ ବୃଷବାବୁଙ୍କୁ ଏ ଭାର ଦେ । ସେ ଯୋଉଠୁ ହେଲେ ଯୋଗାଡ଼ କରିଦେବେ । (ଘନଙ୍କର ପ୍ରବେଶ) ଆଚ୍ଛା ବୀର । ମୁଁ ପରେ ଆସିବି ।

 

 

 

ବୀର

ବସ୍‌, ଯିବୁ ତ । ଆମ କଥାଭାଷା ବେଳେ ତୁ ନ ବସିଲେ ମଜା ହେବ ନାହିଁ ।

 

 

 

ଘନ

ଆମର ଆଉ କଥାଭାଷା କ’ଣ ? ଏଇଠି ଜଣକ ପାଖରେ କାମ ଥିଲା । ଟିକେ ଏଠିକି ପଶି ଆସିଲି । ମୁଁ ଏହିକ୍ଷଣି ଚାଲିଯିବି ।

 

 

 

ଅଦ୍ୱୈତ

ନାଇଁ ନାଇଁ, ଆପଣ ବସନ୍ତୁ, ମୁଁ ଯାଉଛି । ମୋର ଗୋଟାଏ ଜାଗାକୁ ଜଲ୍‍ଦି ଯିବାର ଅଛି । (ପ୍ରସ୍ଥାନ)

 

 

 

ରମା

ଭାଉଜ କିମିତି ଅଛନ୍ତି ଭାଇ ?

 

 

 

ଘନ

ଭଲ ଅଛନ୍ତି । ହଁ ବୀରବାବୁ, ରମା କିଛିଦିନ ପାଇଁ ଆମ ଘରକୁ ଚାଲୁ । ଯଦି କହନ୍ତେ, ତାହାହେଲେ ସୁବିଧା ଦେଖି ତାକୁ ନେଇଯାନ୍ତି । ତା ଛଡ଼ା ପୂଜାରୀ ଅଛି, ସବୁ ଚଳେଇ ନବ । କିଛି ବୋଧେ ଅସୁବିଧା ହବ ନାହିଁ ।

 

 

 

ବୀର

ଅସୁବିଧା କିଛି ହେବ ନାହିଁ ଯେ, କିନ୍ତୁ......

 

 

 

ଘନ

କିନ୍ତୁ ଆଉ କ’ଣ ବୀରବାବୁ ?

 

 

 

ବୀର

ରମାକୁ ନେବାପାଇଁ ଆପଣଙ୍କର ଯେ କେତେ ଆଗ୍ରହ ତା ମୁଁ ଜାଣେ ଘନ ଭାଇ । କିନ୍ତୁ ବାବାଙ୍କ କଥା ମୁଁ ଭୁଲି ପାରିବି ନାହିଁ । ତାଙ୍କ ଆଖିରେ ମୁଁ ନିହାତି ଅଯୋଗ୍ୟ, ଅପଦାର୍ଥ । ରମାର ହାତ ଧରି ମୁଁ ତାଙ୍କର ସର୍ବନାଶ କରିଛି ।

 

 

 

ଘନ

ପଛକଥା ଭୁଲି ଯା’ନ୍ତୁ ବୀରବାବୁ ।

 

 

 

ବୀର

କିମିତି ଭୁଲିବି ? ବିଭାଘର ବେଳେ ସେ ଯେଉଁ ସବୁ କଥା କହିଛନ୍ତି, ସେ ସବୁ ମନେ ପଡ଼ିଲେ...। କୁହନ୍ତୁ ତ ଘନଭାଇ, ମୋର ଅପମାନ କ’ଣ ରମାର ଅପମାନ ନୁହେଁ ? ସେ ମୋର ସ୍ତ୍ରୀ । ମତେ ଯେ ଅପମାନ ଦିଏ, ମତେ ଯେ ଘୃଣା କରେ, ତାରି ପାଖକୁ ରମା ଯିବ କିମିତି ?

 

 

 

ଘନ

ଦେଖନ୍ତୁ ଏଥିରେ ମୋର ଆଉ କିଛି କହିବାର ନାହିଁ । ତଥାପି ସବୁ କଥା ପୁଣି ଥରେ ବିଚାର କରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି । ଆଚ୍ଛା ବର୍ତ୍ତମାନ ମୁଁ ଆସୁଛି ।

 

 

 

ରମା

ଭାଇ ।

 

 

 

ଘନ

ମୁଁ ପୁଣି ଆସିବି ରମା । ତୋ ପାଖକୁ ନ ଆସି ମୁଁ କ’ଣ ରହିପାରିବି । ହଉ, ମୁଁ ଯାଉଛି, ସିଆଡ଼େ ଅନେକ କାମ ଅଛି । ମୁଁ ଜାଣେ, ବୀରବାବୁ କେବେହେଲେ ନିର୍ଦ୍ଦୟ ହେବେ ନାଇଁ । ନିଜର ବୁଢ଼ା ବାପାର କଥା, ବେଶି ଦିନ ସେ ମନ ରଖିବେ ନାଇଁ । (ପ୍ରସ୍ଥାନ)

 

 

 

ରମା

(ଘନକୁ ବଳେଇ ଦେବାକୁ ଯାଇ ଫେରି ଆସି) କେତେ ଦିନ ଆଉ ସେ ସବୁ ମନରେ ଧରି ବସିବ ?

 

 

 

ବୀର

ମରିବା ପର୍ଯ୍ୟନ୍ତ ।

 

 

 

ରମା

ଏସବୁ କ’ଣ କହୁଛ ମ ?

 

 

 

ବୀର

ତା’ହେଲେ ତୁମର ଇଚ୍ଛା କ’ଣ ? ବାପଘରକୁ ଯିବ ?

 

 

 

ରମା

ତୁମ ଇଚ୍ଛା ବିରୁଦ୍ଧରେ ମୁଁ କ’ଣ କେବେ କିଛି କରି ପାରିବି ?

 

 

 

ବୀର

ତୁମ ମନ କ’ଣ କହୁଚି ?

 

 

 

ରମା

ମୋ ମନ ଯାହା ଚାହୁଁଚି ତା’ରି ଅନୁସାରେ କ’ଣ ସବୁ ହବ । ମୋ ମନ ଚାହୁଁଛି ବାବାଙ୍କୁ ଦେଖିବାକୁ । ପିଲାଟି ଦିନୁ କାଖେଇ କୋଳେଇ ମଣିଷ କରିଚନ୍ତି । ତାଙ୍କର ଦୋଷ, ଦୁର୍ବଳତା, ମୋ ଆଖିରେ ପଡ଼ିପାରିବ ନାହିଁ ।

 

 

 

ବୀର

ତା’ହେଲେ ଯାଅ, ମୋର କିଛି ଆପତ୍ତି ନାହିଁ । ବାପଘରକୁ ଯାଇ ପୁଣି ବାପାଙ୍କଠାରୁ ମୋର ଦୁର୍ଗୁଣ, ମୋର ନିନ୍ଦା ସବୁ ଶୁଣ । ସେଥିରେ ବେଶ୍‍ ଶାନ୍ତି ପାଇବ, ଯାଅ ।

 

 

 

ରମା

ଏ କଥା ତୁମେ କିମିତି କହୁଛ ? ଆଜିଯାଏ କ’ଣ ମୋତେ ଚିହ୍ନି ପାରିନା ?

 

 

 

ବୀର

ଗୋଟାଏ ପାଖରେ ସ୍ୱାମୀଘରର ମୋହ, ଅନ୍ୟ ପାଖରେ ବାପଘରର ମମତା । ଏ ଦୁଇଟି ଭିତରୁ ଗୋଟିକୁ ତୁମକୁ ବାଛିବାକୁ ହେବ ରମା । କୁହ କାହାକୁ ତୁମେ ଚାହଁ, କୁହ ? (ରମା କିଛି ସମୟ ବୀରଙ୍କ ମୁହଁକୁ ଚାହିଁ ବୀରଙ୍କ ଉପରେ ଢଳି ପଡ଼ିଲେ ।)

 

୪ର୍ଥ ଦୃଶ୍ୟ

 

[ରାଜପଥ—ଜୀବନେଶ୍ୱର ସ୍ୱାମୀ-ସ୍ତ୍ରୀ ବହିରୁ ଗୀତ ଗାଇ ବିକ୍ରି କରୁଥିଲେ]

 

ଜୀବ

ସ୍ୱାମୀ—ସ୍ତ୍ରୀ ବହି—ଚାରିପଇସା ମାତ୍ର । ଆସନ୍ତୁ ।

 

 

 

 

 

ଗରମ ଗୁଲୁଗୁଲା ପରି, ସରିଯାଉଛି । (ଲୋକ ଆସି କିଣୁଥିଲେ । ପ୍ରବେଶ କଲେ ବୃଷ ।)

 

 

 

ଜୀବନେଶ୍ୱର

ବୃଷଭାନୁ ବାବୁ ! ବୃଷଭାନୁ ବାବୁ ! ଓଳିକି ଆଜ୍ଞା ।

 

 

 

ବୃଷଭାନୁ

କିଏ ? (ଉଭୟେ ନମସ୍କାର କଲେ) କିହୋ ଜୀବନେଶ୍ୱର ! ମକଦ୍ଦମାରେ ଜିତିଲ ଟି ?

 

 

 

ଜୀବ

ଆପଣଙ୍କ ହାତ ବାଜିଲେ କେସ୍ ଡିଗ୍ରୀ ନ ହେଇ ଯିବ କୁଆଡ଼େ !

 

 

 

ବୃଷ

ତା’ତ ବୁଝୁଚି । କେବଳ ସେହି କେସ୍‌ ଯୋଗୁ ହିଁ ମତେ ଲୋକ ଚିହ୍ନୁଛନ୍ତି-। କିନ୍ତୁ ମୋର ବହୁମୁଖୀ ପ୍ରତିଭାର ଅନ୍ୟ ଦିଗ ପ୍ରତି କାହାର ଦୃଷ୍ଟି ପଡ଼ିଲା ନାହିଁ-

 

 

 

ଜୀବ

କେଉଁ ଦିଗ ସାର୍‌ ?

 

 

 

ବୃଷ

ହାତରେ ମୋର ହୋମିଓପାଥି ବାକ୍‌ସ ଦେଖି ପାରୁଛ ?

 

 

 

ଜୀବ

ଆପଣ ଔଷଧ ବି ଦିଅନ୍ତି ?

 

 

 

ବୃଷ

ମୋ ସମ୍ୱନ୍ଧରେ ଆହୁରି ଅନେକ କିଛି ଜାଣିବାକୁ ଅଛି ଜୀବନେଶ୍ୱର ! ଶୁଣ, ଯୋଉଁଠି ବଡ଼ ବଡ଼ ଡାକ୍ତରମାନେ ଆସି ଫେଲ୍‌ ମାରିଯାନ୍ତି, ସେଠି ମୁଁ ଚିକିତ୍ସା କରେ । ଗୋଟାଏ ଡୋଜରେ ରୋଗୀ ଖତମ ।

 

 

 

ଜୀବ

(ଆଶ୍ଚର୍ଯ୍ୟରେ) କ’ଣ କହିଲେ ଆଜ୍ଞା ।

 

 

 

ବୃଷ

(ହସି) ଆରେ ରୋଗ ଖତମ୍‌ । ବୁଝିଲ ‘ବଜାରର, ସହଜ ହୋମିଓପାଥିକ ଚିକିତ୍ସା’ ମୋ ଜିଭ ଅଗରେ ।

 

 

 

ଜୀବ

ଆହା ! ଏତେ ବଡ଼ ବିରାଟ ପ୍ରତିଭା ଆଗରେ ମୋ ମୁଣ୍ଡ ଆପେ ଆପେ ନଇଁ ଯାଉଛି ।

 

 

 

ବୃଷ

ଆହୁରି ନଇଁବ ଜୀବନେଶ୍ୱର, ଆହୁରି ନଇଁବ (ହାତରେ ତା ମୁଣ୍ଡ ନୁଆଁଇ ଦେଲେ) । ମୋ ପ୍ରତିଭାର ପୂରାପୂରି description ମୁଁ ଏ ପର୍ଯ୍ୟନ୍ତ ଦେଇନି ।

 

 

 

ଜୀବ

କୁହନ୍ତୁ ଆଜ୍ଞା, କାନ ଦି’ଟା ଥରେ ହେଲେ ଶୁଣି ଦେଇଥାଉ ।

 

 

 

ବୃଷ

ସହଜ ଗୃହବିଜ୍ଞାନର line by line ମୁଖସ୍ଥ କରି ଦେଇଛି । ତେଣୁ ଆଉ କହିବାକୁ କିଛି ନାହିଁ ।

 

 

 

ଜୀବ

ଆପଣଙ୍କର ଭବିଷ୍ୟତ୍‌ ଉଜ୍ଜ୍ୱଳ ଆଜ୍ଞା ।

 

 

 

ବୃଷ

ଏ ଦେଶରେ ମୋ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ପାରେନା ଜୀବନେଶ୍ୱର ! ମୁଁ ମୋର ଜାତକ ଦେଖି ଏ କଥା ବେଶ୍‌ ଜାଣି ପାରିଚି ।

 

 

 

ଜୀବ

ଆପଣ ଜାତକ ବି ଦେଖିପାରନ୍ତି ?

 

 

 

ବୃଷ

କୋଉ କଥା ମତେ ଆଉ ଅମାଲୁମ ଜୀବନେଶ୍ୱର ? କେଶବ ମିଶ୍ରଙ୍କର ‘ବିନାଗୁରୁରେ ଜ୍ୟୋତିଷ ଶିକ୍ଷା’ ମୁଖସ୍ଥ କରି ମୁଁ ଆଜି ଜ୍ୟୋତିଷ ।

 

 

 

ଜୀବ

ଏତେ ବଡ଼ ବହୁମୁଖୀ ପ୍ରତିଭା ପ୍ରତି ସରକାର ଯେଉଁ ଅବହେଳା ଦେଖାଇଛନ୍ତି ତାହା ଅକ୍ଷମଣୀୟ

 

 

 

ବୃଷ

ଆଜି ସରକାର ଯଦି ମୋ ହାତରେ ପନ୍ଦର ହଜାର ଟଙ୍କା ଦିଅନ୍ତା, ମୁଁ ଗୋଟାଏ ତାଲିମ କେନ୍ଦ୍ର ଖୋଲନ୍ତି । ହରେକ୍‌ କିସମର ଲୋକ ସେ ତାଲିମ କେନ୍ଦ୍ରରୁ ଉତୁରି ପାରନ୍ତେ । ଦେଶ ବୁଝନ୍ତା, ଜାତି ଜାଣନ୍ତା ଯେ ଗୋଟାଏ ଲୋକ କେତେ ପ୍ରକାର ଲୋକଙ୍କୁ ସୃଷ୍ଟି କରିପାରେ ! କିନ୍ତୁ ସରକାରର ବୋକାମି ଯୋଗୁଁ ଜାତି ଆଜି ସେ ସୁଯୋଗରୁ ବଞ୍ଚିତ ।

 

 

 

ଜୀବ

ଏଇଟା ଜାତିର ବଡ଼ ଦୁର୍ଭାଗ୍ୟ ଆଜ୍ଞା ।

 

 

 

ବୃଷ

ସେଇଥିପାଇଁ ଓଡ଼ିଶା ଦେଶର ବଣମାଳତୀ ବୃଷଭାନୁ ଏଇଠି ପଡ଼ି ସଢ଼ୁଛନ୍ତି-। ଏଥି ପାଇଁ ଦୁଃଖ ପ୍ରକାଶ କରିବାକୁ କେହି ନାହିଁ ।

 

 

 

ଜୀବ

କବି ପରା କହିଛନ୍ତି ଆଜ୍ଞା—

 

 

 

‘‘କେତେ ଅମୂଲ୍ୟ ସ୍ୱଚ୍ଛ ଉଜ୍ଜ୍ୱଳମଣି

ସାଗର ଜଳେ ଅଛି ନୁହଇ ଗଣି ।

କେତେ ସୁବାସ ଫୁଲ ଫୁଟେ କାନନେ,

ନଷ୍ଟ କରଇ ମଧୁରତା ବିଜନେ ।’’

 

 

 

ବୃଷ

ଅଃ ! ତୁମେ ମୋ ମନର କଥା କହିଛ ଜୀବନେଶ୍ୱର । ଆଜିଯାଏ ମତେ କେହି ସହାନୁଭୂତି ଦେଖାଇ ନ ଥିଲେ କିନ୍ତୁ ଆଉ ଏଣିକି ଦୁଃଖ କରିବି ନାହିଁ-। ଗୋପବନ୍ଧୁ କହିଥିଲେ—

 

 

 

‘‘ମିଶୁ ମୋର ଦେହ ଏ ଦେଶ ମାଟିରେ,

ଦେଶବାସୀ ଚାଲିଯାଆନ୍ତୁ ପିଠିରେ ।’’

 

 

 

ଜୀବ

ଆଜ୍ଞା ! ଗୋପବନ୍ଧୁ ସିନା ଏତକ ଛପାଇଥିଲେ ବୋଲି ଲୋକେ ଜାଣିଲେ । ଆପଣ ତାଙ୍କଠୁଁ ବଡ଼ ବଡ଼ କଥା କହି ଯଦି ନ ଛପାଇବେ, ଆଉ ମୁଁ ତାକୁ ପ୍ରଚାର ନ କରିବି ତେବେ ଆପଣଙ୍କର ସ୍ୱାର୍ଥତ୍ୟାଗର ମୂଲ୍ୟ ଲୋକେ ବୁଝିବେ କିପରି ?

 

 

 

ବୃଷ

ଠିକ୍‌ କହିଛ ଜୀବନେଶ୍ୱର । ପ୍ରକୃତ ବୁଦ୍ଧି ତୁମଠେଇଁ ଅଛି ।

 

 

 

ଜୀବ

ଏତେ ବୁଦ୍ଧିଥାଇ ବି ମଣିଷ ସବୁବେଳେ Back ground ରେ ରହିଯାଉଛି-

 

 

 

ବୃଷ

ଚିନ୍ତା କରନା ଜୀବନେଶ୍ୱର । ଜଣେ ନୃତ୍ୟ-ଗୀତ-ନିପୁଣା ସୁନ୍ଦରୀ ସହିତ ତୁମର ବିବାହ ଦେବି । ତୁମେ ଧୈର୍ଯ୍ୟ ଧର ।

 

 

 

ଜୀବ

ସତ କହୁଛନ୍ତି ସାର୍‌ ? ଜୀବନ-ବୀଣା କ’ଣ ସତେ ପୁଣି ଥରେ ବାଜି ଉଠିବ-! Lifeରେ କ’ଣ ଏତେ ବଡ଼ ରୋଷଣୀ ଆସିବ ସାର୍‌ ? ମୋ ଜୀବନ-ଦିଆଲିରେ ସତେ କ’ଣ ବାଣ ଫୁଟିବ)

 

 

 

ବୃଷ

ହଁ, ଜୀବନେଶ୍ୱର ! ଜଣେ ସଙ୍ଗୀତ ଶିକ୍ଷୟିତ୍ରୀ ଯୋଗାଡ଼ କରିଦେଇ ପାରିବ ?

 

 

 

ଜୀବ

ଶିକ୍ଷକ ହେଲେ ଚଳିବ ନାହିଁ ?

 

 

 

ବୃଷ

କି କଥା କହୁଛ ତୁମେ ? ଜାଣ, ଜଣେ ଭଦ୍ରମହିଳା ସଙ୍ଗୀତ ଶିଖିବେ ?

 

 

 

ଜୀବ

ବେଶ୍‌, ତା’ହେଲେ ଯୋଗାଡ଼ କରିଦେବି, ଚାଲନ୍ତୁ । (ଦୁହିଙ୍କର ପ୍ରସ୍ଥାନ)

 

୫ମ ଦୃଶ୍ୟ

ବୀରବାବୁଙ୍କ ଗୃହ

 

(ବୀର ଆଇନ ବହି ପଢ଼ିବାରେ ବ୍ୟସ୍ତ ଥିଲେ, ରମା ଆସି ବହି ଛଡ଼େଇନେଲେ)

 

ବୀର

ରମା ! ବହିଟା ଦିଅ ।

ରମା

ନ, ଦେବି ନାଇଁ ।

ବୀର

ଦିଅ, ବହୁତ ଦରକାର ଅଛି ।

ରମା

ଉଁ, ଦରକାର ଅଛି । ସବୁବେଳେ ଖାଲି ଆଇନ ପଢ଼ା, ତା ଛଡ଼ା ଯିମିତି ଆଉ କିଛି ନାହିଁ । ହସ ଖୁସି ହେବା, ସିନେମା ଦେଖିବା, ନଈକୂଳକୁ ଯିବା ଏ ସବୁକୁ ତୁମେ ଯିମିତି ଭୁଲିଗଲଣି । ବିବାହ ହେବା ପୂର୍ବରୁ ତୁମେ ମୁହୂର୍ତ୍ତେ ହେଲେ ମତେ ପାଖଛଡ଼ା କରୁ ନ ଥିଲ । କିନ୍ତୁ ଏବେ—

ବୀର

ତୁମେ ଖୁବ୍‍ ଭାବପ୍ରବଣା ହୋଇ ଉଠୁଛ ରମା ।

ରମା

ଭାବପ୍ରବଣତା ନ ରହିଲେ ବିବାହିତ ଜୀବନ ନୀରସ ଆଉ ଶୁଷ୍କ ହୋଇଯିବ-। ଏ କଥା କ’ଣ ତୁମକୁ ବୁଝେଇବାକୁ ହେବ । ଚାଲ ଟିକେ ନଈକୂଳରୁ ବୁଲି ଆସିବା ।

 

 

 

ବୀର

ମୁଁ ଯାଇ ପାରିବି ନାଇଁ । କାଲି ମୋର ଗୋଟାଏ ବଡ଼ କେସ୍‌ ଅଛି । ଜୀବନଟା ଖାଲି ସ୍ୱପ୍ନ ନୁହେଁ ରମା ! ଭଲ ଭଲ ବହି ଯଦି ମୁଁ ନ ପଢ଼ିବି ତେବେ ପେଟ ପୋଷା ହେବ କିମିତି ?

 

 

 

ରମା

ପେଟ ପୋଷିବାକୁ ହେଲେ ନିଜର ସ୍ତ୍ରୀକୁ ମଧ୍ୟ ଭୁଲିଯିବା ଦରକାର ବୋଲି ମୁଁ ଜାଣି ନ ଥିଲି ।

 

 

 

ବୀର

ରମା !

 

 

 

ରମା

ମୁଁ ବରାବର ଲକ୍ଷ୍ୟ କରୁଛି ଯେ ତୁମେ ମୋ ପ୍ରତି କ୍ରମେ କ୍ରମେ ଉଦାସୀନ ହୋଇପଡ଼ୁଛ ।

 

 

 

ବୀର

ଏଗୁଡ଼ା ତୁମେ ସବୁ କ’ଣ କହୁଚ ? ଏ ସବୁ କହିଲେ ମୋ ମନରେ କଷ୍ଟ ହେଉଚି ରମା ! ତୁମେ କୁହ ତୁମେ ମୋଠାରୁ କ’ଣ ଚାହଁ ?

 

 

 

ରମା

ତୁମେ ମୋଠୁଁ ଦୂରେଇ ଯାଅନା । ତୁମକୁ ଅନ୍ୟମନସ୍କ ଦେଖିଲେ ମୁଁ ଆଘାତ ପାଉଛି । ମୁଁ ସବୁବେଳେ ତୁମକୁ ମୋ ପାଖରେ ଚାହେଁ ।

 

 

 

ବୀର

ତୁମ ପ୍ରତି କର୍ତ୍ତବ୍ୟ କରିବାରେ ମୁଁ ହେଳା କରି ପାରିବି ନାହିଁ । ଦୁନିଆରେ ସବୁ ସ୍ତ୍ରୀ ଯାହା ପାଆନ୍ତି, ତୁମେ ମୋଠାରୁ ନିଶ୍ଚୟ ପାଇବ ରମା !

 

 

 

ରମା

ଦୁନିଆରେ ସବୁ ସ୍ତ୍ରୀ ଯାହା ପାଆନ୍ତି, ତା’ଠାରୁ ମୁଁ ଆହୁରି ବେଶି ଚାହେଁ । କାରଣ ମୁଁ ତୁମକୁ ଭଲ ପାଇ ବିବାହ କରିଚି । ତୁମ ଉପରେ ମୋର ସବୁଠୁ ବେଶି ଦାବି ।

 

 

 

ବୀର

ଏ କଥା ମୁଁ ଅସ୍ୱୀକାର କରି ପାରିବିନି ରମା । ତୁମ ପ୍ରେମର ମୂଲ୍ୟ ଦେବା ପାଇଁ ମୁଁ ପ୍ରାଣପଣେ ଯତ୍ନ କରିବି ।

 

 

 

ରମା

ତା’ହେଲେ ପଛକଥା ସବୁ ପାଶୋରି ଦିଅ । ଶ୍ୱଶୁର ଯେତେ ହେଲେ ବାପ ସମାନ । ଏତକ ଯଦି କରି ପାରନ୍ତ, ମୁଁ କେତେ ନିଶ୍ଚିନ୍ତ ହୁଅନ୍ତି କୁହ ତ ? ସ୍ୱାମୀ ହୋଇ ସ୍ତ୍ରୀକୁ କ’ଣ ଏତକ ସୁବିଧା ଦବ ନାଇଁ ?

 

 

 

ବୀର

ରମା ! ସବୁ କଥା ମତେ କୁହ, କିନ୍ତୁ ସେ କଥା କୁହ ନାହିଁ । ସେ ବିଷୟରେ ମୁଁ ମୋର ଶେଷ ନିଷ୍ପତ୍ତି କରି ସାରିଚି ।

 

 

 

ରମା

ଏଇ ତା’ହେଲେ ତୁମର ବୁଝାମଣା ? ଏଇ ତା’ହେଲେ ତୁମର ସ୍ତ୍ରୀ ପ୍ରତି ବ୍ୟବହାର ? ସ୍ୱାମୀ ହୋଇ ଯଦି ସ୍ତ୍ରୀର ହୃଦୟ ନ ଚିହ୍ନିବ, ଆଉ ଚିହ୍ନବ କିଏ-?

 

 

 

ବୀର

ମୁଁ ବି ତୁମକୁ ଅନୁରୋଧ କରୁଚି ରମା—ତୁମେ ମୋତେ ବୁଝିବାକୁ ଚେଷ୍ଟା କର । ତୁମ ବାପାଙ୍କ ପାଖରୁ ମୁଁ ଯେଉଁ ଆଘାତ ପାଇଚି, ତାକୁ ଥରେ ଅନୁଭବ କରିବାକୁ ଚେଷ୍ଟା କର ।

 

 

 

ରମା

ମୁଁ ଜାଣେ । ସମାଧାନର ସବୁ ବାଟ ବନ୍ଦ ହୋଇ ଯାଇଛି । କଥାଟା ଏଣିକି ବଢ଼ି ଚାଲିବ ।

 

 

 

 

 

(ଏତିକିବେଳେ ବୃଷଭାନୁ, ଅରୁନ୍ଧତୀ, ନୃତ୍ୟ ଶିକ୍ଷୟିତ୍ରୀକୁ ଧରି ଆସିଲେ)

 

 

 

ବୃଷଭାନୁ

(ବାହାରୁ) ଆରେ କୁଆଡ଼େ ଗଲେ ରେ ? ହଇ ହେ ବୀରକିଶୋର ବାବୁ, କ’ଣ ନୂଆ ଘର କରି ଘର ଛାଡ଼ି ଆଉ ବାହାରକୁ ଯାଉନ ? ମହୁଫେଣା ପାଖରେ ତ ସବୁବେଳେ ରହୁଛ ।

 

 

 

ବୀର

ନମସ୍କାର ବୃଷ ଭାଇ, ନମସ୍କାର ଅପା । (ରମା ଅରୁଙ୍କୁ ନମସ୍କାର କଲେ)

 

 

 

ଅରୁ

ପିଲାଟା ସାଣ୍ଠଣା ଶିଖି ନାହିଁ । ସିମିତି ଠିଆ ଠିଆ ନମସ୍କାର କରୁଚି । ହଁ, ହଁ, ବଳେ ସବୁ ଶିଖିଯିବ ଯେ—

 

 

 

ବୀର

ତା’ର ତ ଶାଶୁ ନାହିଁ, ତୁ ଯଦି ତାକୁ ଶିଖେଇ ନ ଦବୁ, ସେ ଘରଣୀ ହେଇ ଚଳିବ କିମିତି ?

 

 

 

ଅରୁ

ଆରେ ସେଇଥିପାଇଁ ତ ଆସିବା କଥା । କହିଲି, ପିଲାଟା କିମିତି ଘର ଚଳାଉଥିବ ଯାଉଚି ଦେଖି ଆସେ ।

 

 

 

ବୃଷ

ହଃ ! ଭାବିଲ, କୋଉଠୁ ଗୋଟେ ଦାମୁଡ଼ି ଆସିଚି, ଯାଏଁ ଟିକେ ତାକୁ ମ’ଣ କରିଦେଇ ଆସେ । ଆରେ ଆରେ ମାଷ୍ଟ୍ରାଣୀ କୁଆଡ଼େ ଗଲେ ?

 

 

 

କଳ୍ପନା

(ପ୍ରବେଶ କରି) ନମସ୍କାର ବୀରବାବୁ ।

 

 

 

ବୀର

ଆରେ ଆପଣ, ନମସ୍କାର ।

 

 

 

ବୃଷ

ଆରେ ଆରେ, ମୁଁ ଚିହ୍ନା କରି ନ ଦଉଣୁ ତୁମେ ଆଗତୁରା ସବୁ ସାରିଦେଲ ? ତୁମେମାନେ ବି ଟିକେ ବୃଷଭାନୁର ଆବଶ୍ୟକତା feel କରି ପାରିଲ ନାହିଁ, ଦେଶ ବି ଚିହ୍ନିଲା ନାହିଁ, ଜାତି ବି ଜାଣିଲା ନାହିଁ ।

 

 

 

ବୀର

ବୁଢ଼ା ହବା ଯାଏ ଇମିତିକା କଥା ବି ତୁମର ଯିବ ନାଇଁ ବୃଷ ଭାଇ ! ଆରେ କଳ୍ପନାକୁ ମୁଁ ଅନେକ ଦିନରୁ ଜାଣେ !

 

 

 

କଳ୍ପନା

ହଁ ବୃଷବାବୁ, ଦୟାନିଧିବାବୁଙ୍କ ପାଖରେ ମୁଁ ସଙ୍ଗୀତ ଶିଖୁଥିଲାବେଳେ ମୋର ବୀରବାବୁଙ୍କ ସାଙ୍ଗରେ ପରିଚୟ । ସଙ୍ଗୀତ ପ୍ରତି ତାଙ୍କର ଅଗାଧ ମମତା । କିନ୍ତୁ ମୁଁ ଯେ ଦିନେ ତାଙ୍କ ସ୍ତ୍ରୀଙ୍କୁ ଗୀତ ଶିଖେଇବାକୁ ଆସିବି, ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲି ।

 

 

 

ବୀର

ଆରେ, ମୁଁ ଏ ପର୍ଯ୍ୟନ୍ତ introduce କରେଇ ଦେଇନି । ରମା ! ଏ ହେଉଛନ୍ତି କଳ୍ପନା ଦେବୀ । ତାଙ୍କ ସାଙ୍ଗରେ କେତୋଟି ବର୍ଷ ଥଟ୍ଟା, ପରିହାସରେ ଖୁବ୍‌ ଆନନ୍ଦରେ କଟିଥିଲା । ଜୀବନଟାକୁ କଳା ଚର୍ଚ୍ଚାରେ ବିତେଇଦେବାକୁ ସେ ପଣ କରିଛନ୍ତି । ଯେ ପ୍ରକୃତ କଳାକାର, ସେ କଳାରେ ହିଁ ମଜ୍ଜି ରହିବାକୁ ଚାହେଁ । ବିବାହିତ ଜୀବନ ତାର ଦରକାର କ’ଣ-?

 

 

 

ବୃଷ

ଖୁବ୍‌ କହିଲଣି ! ତୁମେ ତାଙ୍କୁ ଚିହ୍ନିଚ ବୋଲି ଜଣାଗଲାଣି, କିନ୍ତୁ ସେ ସଙ୍ଗୀତ ଶିକ୍ଷୟିତ୍ରୀ ହେଇ ଏଠାକୁ ଆସିବେ ବୋଲି ତୁମେ କ’ଣ ଜାଣିଥିଲ ?

 

 

 

ବୀର

କଳ୍ପନା ଯେ ମୋର ସ୍ତ୍ରୀକୁ ସଙ୍ଗୀତ ଶିକ୍ଷା ଦେବାକୁ ଆସିବେ, ଏ କଥା ମୁଁ କଳ୍ପନାରେ ଆଣି ପାରି ନ ଥିଲି ।

 

 

 

ବୃଷ

କିନ୍ତୁ ସେ କଳ୍ପନା ଆଜି ବାସ୍ତବରେ ପରିଣତ ହେଇଚି । ତୁମର ନାଆଁ ଶୁଣି ସେ ଶିକ୍ଷା ଦେବାକୁ ରାଜି ହେଇଛନ୍ତି ।

 

 

 

କଳ୍ପନା

ମୋର ବି ଇଚ୍ଛା ଥିଲା କଟକରେ ରହି କଳା ଚର୍ଚ୍ଚା କରିବି, କିନ୍ତୁ ରହିବା ଜାଗା ଅଭାବରେ ମୁଁ ଆସି ପାରୁ ନ ଥିଲି । ବୃଷବାବୁଙ୍କ ଭାଇଙ୍କ ପାଖକୁ ଚିଠି, ମତେ ଏଠିକି ଆଣିଲା । ତାପରେ ମୁଁ ଭାବିଚି ଗୋଟାଏ ସଙ୍ଗୀତ ସ୍କୁଲ ଖୋଲିବି, ଆପଣ ଯଦି ଟିକିଏ ସାହାଯ୍ୟ କରନ୍ତି ।

 

 

 

ବୃଷ

ନିଶ୍ଚୟ ସାହାଯ୍ୟ କରିବେ ବୀରବାବୁ ! ତାଙ୍କ ରହିବାର ବନ୍ଦୋବସ୍ତ କର ।

 

 

 

ବୀର

ପୂଜାରୀ ! (ପୂଜାରୀ ପ୍ରବେଶ) ନେଇଯା, ଆର ଘରେ ୟାଙ୍କ ଜିନିଷପତ୍ର ରଖିଦିଅ ।

 

 

 

ଅରୁ

(ରମାପ୍ରତି) ତୁ ଆଉ ସେମିତି ଠିଆହେଲୁ କାହିଁକି ? ନଣନ୍ଦେଇଙ୍କି ମାନ୍ୟ କରିବା କଥା ନା ! ଦେ, ଓଢ଼ଣାଟା ଟିକିଏ ଟାଣି ଦେ ।

 

 

 

ରମା

ଅପା ! ତୁମେ ସେ ମରହଟ୍ଟୀ ଯୁଗର କଥା କହୁଚ । ଲାଜ ନ କଲେ କ’ଣ ମାନ୍ୟ କରି ହୁଏନା ?

 

 

 

ଅରୁ

ହଇ ଲୋ କ’ଣ କହିଲୁ ? ବାପଘରୁ ଏଇ ସଣ୍ଠଣା ଶିଖିଚୁ ? ଛି, ଛି, ! ଯା ଯା, ଘର ଭିତରକୁ । ମୁଁ ତ ଯାହା ଦେଖିଲିଣି, ତତେ ଶୁଆ ପରି ସବୁ ପଢ଼େଇବାକୁ ହବ ।

 

 

 

ବୃଷ

ହଁ, ପଢ଼େଇବନି କାହିଁକି ? ପେଟରେ ଏତେଗୁଡ଼ାଏ ବିଦ୍ୟା ଅଛି । ସେଗୁଡ଼ାକ ବାନ୍ତି ନ କଲେ ହବ କିମିତି ? ହଇ ହେ ! ହାଇହିଲ୍‌କୁ ତୁମେ ସଣ୍ଠଣା ଶିଖେଇବ ?

 

 

 

ଅରୁ

କ’ଣ କହିଲ ?

 

 

 

ବୀର

କ’ଣ ଯେ ତୁମେ କୁହ ? ବୁଢ଼ାଟିଏ ହେଲଣି, ତୁମର ସେଇ କଥା ଗଲାନି ! ଖାଲି ବଙ୍କାଟଙ୍କା କଥାଗୁଡ଼ାକ କହି ଶିଖିଚ ।

 

 

 

ବୃଷ

ଭୁଲ କିଛି କହିନି । Modern girl ମାନଙ୍କୁ ମୁଁ ହାଇହିଲ୍‌ ଜୋତା ନାଁ ଦେଇଚି । ଆଃ ! ଜୋତାଟା ଯେମିତି ଉଚ୍ଚା, ମନଟା ବି ସେମିତି ଉଚ୍ଚା । ଭୟ, ଛୋଟ ନଜର ବୋଲି ମୋଟେ ନାଇଁ । ଆଖି ଦି’ଟା ସବୁବେଳେ ଉପରକୁ ! ଏମିତି ଗୋଟାଏ ହାଇହିଲ୍‌ ଜୋତାର ହାତ ଧରିଥିଲେ ମନ ସବୁବେଳେ ହାଇହିଲ୍‌—ମାନେ ଉଚ୍ଚା ପର୍ବତ ଚଢ଼ୁଥିବ । ତୁମେ ଭାରି ଭାଗ୍ୟବାନ୍‌ ବୀରବାବୁ ! ଆଉ ଆମ ଘରଣୀଙ୍କ ପରି ନାରୀର ପାଦ ଯେମିତି ଲଙ୍ଗଳା, ମନଟା ବି ସେମିତି ଲଙ୍ଗଳା । ଏମାନଙ୍କ ହାତ ଧରିଲେ, ମଣିଷର ପ୍ରେଷ୍ଟିଜ୍‌ ବି ଲଙ୍ଗଳା ହେଇଯିବ ।

 

 

 

ବୀର

ଦେଖ ଅପା, କେମିତି କହୁଚନ୍ତି । ଆଉ ବେଳେ ତୁ ଠିକ୍‌ ଏମିତି ତାଙ୍କୁ କହିବୁ ଓ ଦେଖିବୁ ତାଙ୍କୁ କେମିତି ଲାଗିବ ?

 

 

 

ଅରୁ

ନାଇଁ ତୁ ଦେଖ ! (......)

 

 

 

 

 

ଏମିତି କଥା ? ସ୍ତ୍ରୀ ହୋଇ ୟାଙ୍କ ହାତ ଧରିଲି ବୋଲି ମୋର ଆଉ ମାନ ଇଜ୍ଜତ୍‌ ନାଇଁ ?

 

 

 

ବୀର

ହଉ ହଉ, ଚାଲନ୍ତୁ ଭିତରକୁ ।

 

 

 

ବୃଷ

କିନ୍ତୁ ମୋର ଭାଗ୍ୟ ଖରାପ ବୀରବାବୁ ! ଏତେ ବଡ଼ ଗୋଟାଏ ବହୁମୁଖୀ ପ୍ରତିଭା ଥାଇ ସୁଦ୍ଧା ଦେଶ ମତେ ଚିହ୍ନିଲା ନାଇଁ !

 

 

 

ବୀର

ହଉ ହଉ, ତୁମେ ସବୁ ଚାଲିଲ ଭିତରକୁ ।

 

 

 

ବୃଷ

କାଇଁକି ଆମେ ଯିବୁ ହେ । ଏତେ ବଡ଼ ହାଇହିଲ୍‌ଙ୍କ ହାତ ଧରିଲ, ଆମକୁ କ’ଣ ପଚାରୁଛ ?

 

 

 

ବୀର

ହଉ ହଉ ଚାଲ । (ରମା ଛଡ଼ା ସମସ୍ତେ ଗଲେ) ରମା ରମା ! ଆରେ ତୁମେ ଏଠି ଠିଆ ହେଇ ରହିଲ କାଇଁକି ଭିତରକୁ ଚାଲ । ବୃଷ ଭାଇ, ଅପା ଏମାନେ ସମସ୍ତେ ଆସିଚନ୍ତି ଆଉ କଳ୍ପନା ଦେବୀ ବି ଆସିଛନ୍ତି, ଚାଲ ସେମାନଙ୍କର ଟିକିଏ ଯତ୍ନ ନିଅ ।

 

 

 

ରମା

ନାଁ, ମୁଁ ଯିବି ନାଇଁ ! ଏମାନଙ୍କୁ ଟିକିଏ ଭଦ୍ରାମି ଜଣା ନାଇଁ । ଏମାନେ ରହିଲେ ମୁଁ ଏଠି ଗୋଟାଏ ମିନିଟ୍‌ ସୁଦ୍ଧା ରହି ପାରିବି ନାଇଁ ।

 

 

 

ବୀର

ଏ କ’ଣ କହୁଚ ରମା ! ସେମାନେ ଯେ ମୋର ନିଜର ଲୋକ ।

 

 

 

ରମା

ସେମାନେ ତୁମର ନିଜର ହୋଇ ପାରନ୍ତି କିନ୍ତୁ ମୁଁ ସେମାନଙ୍କୁ ନିଜର କରିପାରିବି ନାଇଁ ।

 

 

 

ବୀର

ରମା ! ତୁମଠୁ ସେମାନେ କେତେ ଆଶା କରିଚନ୍ତି, ଅଥଚ ତୁମେ...

 

 

 

ରମା

ମୁଁ ତୁମକୁ ଭଲ ପାଏ ବୋଲି, ତୁମର ବନ୍ଧୁ ବାନ୍ଧବଙ୍କୁ ଭଲ ପାଇବି, ୟାର ତ କିଛି ମାନେ ନାଇଁ ।

 

 

 

ବୀର

ମତେ ବଡ଼ ଦୁଃଖ ଲାଗୁଛି ରମା ! ତୁମ ମୋ ଭିତରେ ଏତେ ତଫାତ୍‍ ହେଲା କେମିତି ?

 

 

 

ରମା

ତଫାତ୍‌ ନ ରହିବ କେମିତି ? ଦୁଇ ଜଣ ମଣିଷଙ୍କ ମନ କି କେବେ ଏକ ହେଇପାରେ ?

 

 

 

ବୀର

ହେଇପାରେ । ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଏ କଥା ସମ୍ଭବ । ସ୍ୱାମୀ ସ୍ତ୍ରୀ ଦୁହିଙ୍କର ଏକ ମନ, ଏକ ଚିନ୍ତା,ଏକ ଭାବ । ଗୋଟିଏ ବୃନ୍ତରେ ଦୁଇଟି କୁସୁମ ସେମାନେ ।

 

 

 

ରମା

କିନ୍ତୁ ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ଅସ୍ତିତ୍ୱକୁ କେହି ଅସ୍ୱୀକାର କରିପାରିବେ ନାହିଁ । ଅନେକ ସୋସାଲିଷ୍ଟ ସ୍ୱାମୀଙ୍କର ପତ୍ନୀ କମ୍ୟୁନିଷ୍ଟ ବୋଲି ତୁମେ ଜାଣିଥିବ । ସ୍ତ୍ରୀର ଚିନ୍ତାଧାରା ଉପରେ ସ୍ୱାମୀ ହସ୍ତକ୍ଷେପ କରିବା ଅନୁଚିତ ।

 

 

 

ବୀର

ତା’ହେଲେ ଶୃଙ୍ଖଳା ବୋଲି କିଛି ରହିବ ନାଇଁ ରମା ! ସମସ୍ତେ ନିଜ ମନଇଚ୍ଛା କାମ କରିଯିବେ । ସେଥିପାଇଁ ତ control ଦରକାର ।

 

 

 

ରମା

କିନ୍ତୁ control କରିବ କିଏ ? ଜଣେ ଯଦି ପ୍ରଭୁତ୍ୱ ବଜାୟ ରଖିବାକୁ ଇଚ୍ଛା କରି ଅନ୍ୟ ଉପରେ ନିଜର ଚିନ୍ତାଧାରା ଲଦି ଦିଏ, ତେବେ କଦାପି ଶାନ୍ତି ଆସି ପାରିବ ନାହିଁ ।

 

 

 

ବୀର

ତୁମର ଏ ତଥାକଥିତ ଶାନ୍ତି, ଯାହା ନାମରେ କିଛି ହୋଇଯିବ, ତାର ଫଳ ବଡ଼ ବିଷମୟ ହେବ ରମା ! ସେଥିପାଇଁ ଏ ପ୍ରକାର difference ମୁଁ ଚାହେଁ ନା ।

 

 

 

ରମା

କାହିଁକି ? Unlike poles attract each other.

 

 

 

ବୀର

But not necessarily ରମା ! ସ୍ୱାମୀ ସ୍ତ୍ରୀର ଏ ମଧୁର ସମ୍ପର୍କରେ ତୁମର ଏ ବିଜ୍ଞାନ କେବେ ହେଲେ କାମ କରି ପାରିବ ନାହିଁ ।

 

 

 

ରମା

ଛାଡ଼, ଏସବୁ ମାମୁଲି କଥାରୁ କ’ଣ ମିଳିବ ! ଚାଲ ଟିକିଏ ବାହାରୁ ବୁଲି ଆସିବା ।

 

 

 

ବୀର

ଆମେ ଦିହେଁ ଏତେବେଳେ ବାହାରକୁ ବୁଲିଯିବା ? ଅପା, ବୃଷ ଭାଇ ହେରିକା ଆଗ ଭାବିବେ କ’ଣ ?

 

 

 

ରମା

କ’ଣ ଭାବିବେ ? ତୁମେ ତ ଅନ୍ୟ କୌଣସି ଝିଅ ସାଙ୍ଗେ ଯାଉନ ? ନିଜର ସ୍ତ୍ରୀ ସାଙ୍ଗରେ ସାନ୍ଧ୍ୟଭ୍ରମଣରେ ବାହାରିବା କ’ଣ ଅନ୍ୟାୟ ?

 

 

 

ବୀର

ଅପାକୁ ମୁଁ ମା’ ଭଳି ଭକ୍ତି କରେ, ବୃଷଭାଇଙ୍କୁ ମୁଁ ମୁରବି ହିସାବରେ ଦେଖେ-। ତାଙ୍କ ଆଗରେ ମୁଁ ଏତେଟା free ହୋଇ ପାରିବି ନାହିଁ ।

 

 

 

ରମା

ସେଇଥିପାଇଁ ମୁଁ କହୁଛି, ସେମାନଙ୍କୁ ଜଲ୍‌ଦି ବିଦା କର ।

 

 

 

ବୀର

ମୁଁ ଆଶ୍ଚର୍ଯ୍ୟ ହେଉଛି ରମା, ଏ କଥା ତୁମେ କହି ପାରୁଛ କିମିତି ?

 

 

 

ରମା

କାହିଁକି ଏ କଥା କ’ଣ ଅସମ୍ଭବ ଲାଗୁଛି ? ମୋର ଶତ ଅନୁନୟ ବିନୟ ସତ୍ତ୍ୱେ ତୁମେ ପୁଣି ତ ମୋର ବାପାଙ୍କ ମୁହଁକୁ ନ ଚାହିଁବା ଠିକ୍‌ କରି ସାରିଛ !

 

 

 

ବୀର

ରମା !

 

 

 

ରମା

ସେ କଥା ଛାଡ଼ । ବର୍ତ୍ତମାନ ଯିବ କି ନାହିଁ କହିଲ ?

 

 

 

ବୀର

ନାଁ, ମୁଁ ଯିବି ନାହିଁ ।

 

 

 

ରମା

ବେଶ୍‌ ! ମୁଁ ତା’ହେଲେ ଯାଉଛି ।

 

 

 

ବୀର

କୁଆଡ଼େ ଯିବ ?

 

 

 

ରମା

କୌଣସି ବନ୍ଧୁ ଘରକୁ ।

 

 

 

ବୀର

ନା, ତୁମେ ଯାଇ ପାରିବ ନାହିଁ ।

 

 

 

ରମା

କାହିଁକି ? ବୁଲିଯିବାର ସ୍ୱାଧୀନତା କ’ଣ ମୋର ନାହିଁ ?

 

 

 

ବୀର

ଆଗରୁ ଥିଲା, କିନ୍ତୁ ବର୍ତ୍ତମାନ ନାହିଁ । ବର୍ତ୍ତମାନ ତୁମେ ବିବାହିତ । ଅବସ୍ଥା ଅନୁସାରେ ବ୍ୟବସ୍ଥା କରିବା ତୁମର କର୍ତ୍ତବ୍ୟ । ଗୃହଧର୍ମ ପାଳନ କରିବା ଉଚିତ ।

 

 

 

ରମା

ନା, ଏ ତଥାକଥିତ ଗୃହଧର୍ମ ନାମରେ ମୁଁ ମୋର ସ୍ୱାଧୀନତାକୁ ବଳି ଦେଇ ପାରିବି ନାହିଁ । ବିବାହିତ ଜୀବନର ଗତାନୁଗତିକ ଧାରାକୁ ବଞ୍ଚାଇ ରଖିବାକୁ ଯାଇ ପଦେ ପଦେ ଅପମାନିତ ହେବାକୁ ମୁଁ ଚାହେଁନା ।

 

 

 

ବୀର

କ’ଣ ସବୁ ତୁମେ କହିଯାଉଛ ରମା ? ଅପମାନର ପ୍ରଶ୍ନ ଆସିଲା କେଉଁଠୁ ?

 

 

 

ରମା

ଏ କଳ୍ପନା ଦେବୀ କାହିଁକି ଆସିଛନ୍ତି ?

 

 

 

ବୀର

ତୁମେ ଗୀତ ଶିଖିବ ପରା !

 

 

 

ରମା

ଯାହା ହଉ, ଘରେ ରହି ସୁବିଧାରେ ଗୀତ ଶିଖାଇବା ପାଇଁ ତୁମେ ଖୁବ୍‌ ଯୋଗାଡ଼ କରି ପାରିଛ । ଏଥିପାଇଁ ତୁମକୁ ଧନ୍ୟବାଦ ଦବାର କଥା ।

 

 

 

ବୀର

ଇମିତି ଇଙ୍ଗିତ କରିବାର ମାନେ କ’ଣ ରମା ? ସଙ୍ଗୀତ ଶିଖିବାକୁ ଚାହଁ ବୋଲି କାହିଁକି ସେ ଦିନ କହିଲ ?

 

 

 

ରମା

ନ କହି ମୋର କ’ଣ ଉପାୟ ଥିଲା ଯେ ? ତୁମେ ଚାହିଁଥିଲ ତୁମର ପତ୍ନୀ ସୁଗାୟିକା ହେବ । କଳାକାର ବିନା ତୁମର ଜୀବନ ନଷ୍ଟ ହୋଇଯିବ ବୋଲି ତୁମେ ପ୍ରକାଶ କରିଥିଲ ।

 

 

 

ବୀର

ବେଶ୍‌, ସଙ୍ଗୀତ ଶିକ୍ଷା ତା’ହେଲେ ବନ୍ଦ ହେଉ ।

 

 

 

ରମା

ନା, ବନ୍ଦ କାହିଁକି ହେବ । କଳ୍ପନା ଦେବୀଙ୍କ ଲଳିତ କଣ୍ଠର ମଧୁର ଝଙ୍କାର ଭିତରେ ଲିଭିଯିବ ରମାର ଅସ୍ତିତ୍ୱ । ତାର ଆଶା, ଆକାଂକ୍ଷା, ଜୀବନର ସ୍ୱପ୍ନ, କାମନା, ବାସନା ସବୁ ଶେଷ ହୋଇଯିବ । ବାଃ ! Really dramatic.

 

 

 

ବୀର

ରମା ! ଏ ସବୁ ତୁମେ କ’ଣ କହିଯାଉଛ ?

 

 

 

ରମା

ନା, ମୁଁ କିଛି କହିବି ନାହିଁ । ସମସ୍ତଙ୍କ ସୁଖ ଆଉ ଆନନ୍ଦ ପାଇଁ ମୁଁ ନିଜେ ଜଳି ପୋଡ଼ି ହେଇ ମରିବି । ଅନ୍ୟର ସ୍ୱାର୍ଥରକ୍ଷା ପାଇଁ ନିଜର ବ୍ୟକ୍ତିତ୍ୱକୁ ତିଳ ତିଳ କରି ମୁଁ ଆହୁତି ଦେବି ।

 

 

 

ବୀର

ବିବାହିତ ଜୀବନକୁ ସରସ କରିବା ପାଇଁ ଏ ଦେଶର ନାରୀ ଯୁଗ ଯୁଗ ଧରି ତାହାହିଁ କରି ଆସିଛି । ସୁଖସ୍ୱାଚ୍ଛନ୍ଦ୍ୟକୁ ବଳି ଦେଇ ଅପର ମୁହଁରେ ହସ ଫୁଟେଇବା ହେଲା ତାର ଆଦର୍ଶ । ସଳିତା ପରି ନିଜେ ଜଳି ଅପରକୁ ଆଲୋକ ଦେବା ତାର ଧର୍ମ ।

 

 

 

ରମା

ଏଇ ତଥାକଥିତ ଆଦର୍ଶ ଆଉ ଧର୍ମ ନାମରେ ଅନ୍ୟାୟ, ଅବିଚାର ଆଉ ଯଥେଚ୍ଛାଚାରକୁ ସହ୍ୟ କରି ପାରିବି ନାହିଁ ।

 

 

 

ବୀର

ଯଦି ନ ପାରିବ ତେବେ ଖାଲି ଜଳିବାହିଁ ସାର ହେବ ।

 

 

 

 

 

ଅନ୍ୟମାନଙ୍କୁ ଅନ୍ଧାରରେ ରଖି ନିଜେ ଆଲୋକିତ ହେବାର ଯେଉଁ ମମତା ଟିକକ ସାଇତି ରଖିଛ ତାହା ଭସ୍ମ ହୋଇଯିବ । ଦୁନିଆରେ ସମସ୍ତେ ତୁମକୁ କହିବେ ସ୍ୱାର୍ଥପର, ଉଦ୍ଧତା, ଅଭିମାନିନୀ । ଅଭିମାନର ତୀବ୍ର ବିଷଜ୍ୱାଳାରେ ତୁମେ ଅସ୍ଥିର ହୋଇ ପଡ଼ିବ ।

 

 

 

ରମା

ଆଃ !

 

 

 

ବୀର

ପ୍ରଥମରୁ ମୁଁ ତମକୁ ସାବଧାନ କରି ଦେଉଛି ରମା—This is my first warning.

Image

 

Unknown

ଦ୍ୱିତୀୟ ଅଙ୍କ

୧ମ ଦୃଶ୍ୟ

 

[ଶଙ୍କରଙ୍କ ଘର । ଘନ ଖାଇ ସାରି ଗୋଟାଏ ତଉଲିଆରେ ହାତ ପୋଛୁ ପୋଛୁ ଆସୁଥିଲେ । ପାନ ଧରି ମିନି ମଧ୍ୟ ଠିଆ ହେଇଥାନ୍ତି, ଘନ ହାତ ପୋଛି ତଉଲିଆଟା ବଢ଼ାଇଦେଲେ ।]

 

ଘନ

ସତରେ ମିନି, ତୁମେ ମୋ ପାଖରେ ବସି ପଙ୍ଖା ନ କଲେ ଖାଇବାରେ ମୋଟେ ଶାନ୍ତି ଆସେନା । ଆମ ମଧ୍ୟବିତ୍ତ ଗୃହସ୍ଥର ଏଇ ତ ଆନନ୍ଦ । ଟଙ୍କା, ପଇସା ନାହିଁ, ବିଳାସ ବ୍ୟସନ ତ ସ୍ୱପ୍ନ । କିନ୍ତୁ ସ୍ୱାମୀ ସ୍ତ୍ରୀଙ୍କର ଏହି ସ୍ନେହ, ସୁହାଗ, ସେ ସବୁ ଅଭାବ ଦୂର କରିଦିଏ ମିନି ।

 

 

 

ମିନି

ତରକାରୀ କିନ୍ତୁ ଆଜି ଜମା ଭଲ ହେଇ ନ ଥିବ । ମସଲା ପକେଇବାକୁ ମନେ ନ ଥିଲା, ଡେରିରେ ପକେଇଲି ।

 

 

 

ଘନ

ହଁ, ନିଆଁ ପାଣି କଥା । ସବୁଦିନେ କ’ଣ ସମାନ ହବ ?

 

 

 

ମିନି

ହଉ ପାନ ନିଅ । (ପାନ ବଢ଼େଇଲେ)

 

 

 

ଘନ

ଆରେ ହଁ, ମନେ ପଡ଼ିଲା । ତମ ବାପା ଖଣ୍ଡେ ଚିଠି ଦେଇଛନ୍ତି ।

 

 

 

ମିନି

କଣ ଲେଖିଛନ୍ତି ?

 

 

 

ଘନ

ତୁମକୁ କିଛି ଦିନ ନେବାପାଇଁ । ଏଥିପାଇଁ ସେ ଅନେକ ଦିନ ଆଗରୁ ବାବାଙ୍କୁ କହିଥିଲେ । କିନ୍ତୁ ବାବା ରାଜି ହେଉ ନ ଥିଲେ । ଆଜି ବାବାଙ୍କୁ ପୁଣି ଲେଖିବାରୁ ବାବା ମୋ ଉପରେ ସବୁ ଛାଡ଼ି ଦେଇଛନ୍ତି । କ’ଣ କରିବା କହିଲ ?

 

 

 

ମିନି

ଲେଖିଦିଅ ବାବାଙ୍କ ଦେହ ଭଲ ନାହିଁ । ତେଣୁ ସେ ଯାଇ ପାରିବ ନାହିଁ ।

 

ଘନ

ଏଇୟା ଗୋଟାଏ ଲେଖିଦେବି ?

 

ମିନି

ଆଉ କ’ଣ ଲେଖିବ କହୁନ ?

 

 

 

ଘନ

ନାଇଁ, ନାଇଁ; ତୁମେ କିଛି ଦିନ ପାଇଁ ଯାଅ । ତୁମେ ନ ଗଲେ ତାଙ୍କ ମନରେ କଷ୍ଟ ହବ ।

 

 

 

ମିନି

ଏ କଥା ତୁମେ କିମିତି କହୁଚ ? ବାବାଙ୍କ ଅବସ୍ଥା ଯେମିତି—

 

 

 

ଘନ

ସେଥିପାଇଁ ତୁମ ମୁଣ୍ଡ ବଥେଇବା ଦରକାର ନାହିଁ । ମୋ ବାପାଙ୍କ କଥା ମୁଁ ବୁଝୁଚି । ତୁମେ ତୁମ ବାପାଙ୍କ କଥା ଆଗ ବୁଝିଲ !

 

 

 

ମିନି

ଏତେ ତୁମର ମୋର ଭେଦଭାବ କେବେଠୁ ବୁଝିଲଣି ? ଭାଇ ଭଗାରୀ ଘରର ଭାଗ ବଣ୍ଟରା ଭଳି କ’ଣ କଥା କହୁଚ ? ତୁମର ଯେ ନିଜର, ସେ କ’ଣ ମୋର ଆପଣାର ନୁହେଁ ?

 

 

 

ଘନ

ତୁମ ପାଖରେ ହାର ମାନିବାକୁ ହେଲା ମିନି ! ହଁ କ୍ଷତି କ’ଣ ? ନାରୀ ପାଖରେ ହାର ମାନି ପୁରୁଷ ଅନେକ ସମୟରେ ଆନନ୍ଦ ଅନୁଭବ କରେ ।

 

 

 

ମିନି

ପୁରୁଷଙ୍କୁ ପୁଣି ହରେଇବ କିଏ ମ ? ତାଙ୍କର ଯୋଉ ଚିକ୍‌କଣ କଥା ସେଥିରେ ତ ମନ ଭୁଲିଯିବ ।

 

 

 

ଘନ

ସତରେ ମିନି ! ତୁମରି ପରି ନାରୀମାନେ ପୁରାଣଯୁଗର ସେଇ ସୀତା, ସାବିତ୍ରୀଙ୍କ ଆଦର୍ଶକୁ ବଞ୍ଚେଇ ରଖିଛନ୍ତି । ମିଥିଳା ଉଦ୍ୟାନରେ ପ୍ରଜାପତି ପରି ଉଡ଼ି ବୁଲୁଥିଲେ ଜନକନନ୍ଦିନୀ ସୀତା । କିନ୍ତୁ ଅଯୋଧ୍ୟାରେ ସେ ହେଲେ ବନ୍ଦିନୀ । ତା ପରେ କଅଁଳ ପାଦ ଦୁଇଟିରେ କଣ୍ଟା ବାଜି ଧାର ଧାର ହୋଇ ରକ୍ତ ବୋହିଲା । ତଥାପି ସେ ରାମଚନ୍ଦ୍ରଙ୍କ ସହ ବନବାସର ମୋହ ଛାଡ଼ି ପାରିଲେ ନାହିଁ ।

 

 

 

ମିନି

କାହିଁ ରାଣୀ କାହିଁ ଚନ୍ଦ୍ରକାଣୀ !

 

 

 

ଘନ

ନା ମିନି ! ସାଧାରଣ ନାରୀଙ୍କଠୁ ତୁମେ ଢେର ଉଚ୍ଚରେ ।

 

 

 

ମିନି

ହଁ, ମୁଁ କ’ଣ କମ୍‌ ଗୁଣର !

 

 

 

ଘନ

ପ୍ରକୃତରେ ମିନି ! ତୁମକୁ ପାଇ ଜୀବନ ମୋର ଧନ୍ୟ ହୋଇଛି । ହଁ, ତୁମେ ପରା ଖାଇନ—ଯାଅ ଶୀଘ୍ର ଖାଇଦିଅ । ସକାଳୁ ଏତେବେଳଯାଏ ନ ଖାଇ ମୁହଁ କିମିତି ଦିଶିଲାଣି କହିଲ ?

 

 

 

ମିନି

ଓଃ, ଯୋଉ ତ ସୁନ୍ଦର ମୁହଁ, ଖାଇଦେଲେ ଖାଲି ଜଳି ଉଠିବ !

 

 

 

ଘନ

ଆରେ ତୁମ ମୁହଁ ସମ୍ୱନ୍ଧରେ ମତାମତ ଦେବାକୁ ତୁମେ କିଏ ? ଆଗରୁ ତା ଉପରେ ତୁମର ଅଧିକାର ଥିଲା; ମାତ୍ର ହାତଗଣ୍ଠି ପଡ଼ିବା ପରେ ତୁମେ କିଏ ସେ ବିଷୟରେ ମତାମତ ଦେବାକୁ ?

 

 

 

ମିନି

ଯାଃ... ।

 

 

 

ଘନ

ଆଉ ଦିନେ ଇମିତି କହିବ ନାହିଁ । ମୋ ଜିନିଷକୁ ଇମିତି କହିଲେ ମୁଁ ଭାରି ଚିଡ଼େ, ବୁଝିଲ ? (ଦୁହିଁଙ୍କ ମୁହଁରେ ଥିଲା ହସ)

 

 

 

ମିନି

(ଗେହ୍ଲେଇ ହେଇ) ଆହା...

 

 

 

ରମା

(ପ୍ରବେଶ କରି) ଭାଉଜ !

 

 

 

ମିନି

ତୁମେ ?

 

 

 

ରମା

ଆଶ୍ଚର୍ଯ୍ୟ ହେଇଗଲ ନା ?

 

 

 

ଘନ

ରମା ! ତୁ ଏକୁଟିଆ ଚାଲି ଆସିଲୁ ?

 

 

 

ରମା

କ’ଣ ଆଉ କରନ୍ତି ?

 

 

 

ଘନ

ନା, ନା, ତୁ ଠିକ୍‌ କଲୁ ନାହିଁ ରମା ! ଇମିତି ହେଲେ ଫଳ କେବେ ଭଲ ହେବ ନାହିଁ । ଆଜି ବାପା, ଭାଇଙ୍କୁ ସଙ୍ଖୁଳିବା ଅପେକ୍ଷା ସ୍ୱାମୀର ମନ ନେବା ଢେର ବେଶି ଦରକାର । ବୀରବାବୁଙ୍କୁ ନ ଜଣେଇ ତୁ କିମିତି ଚାଲି ଆସିଲୁ-?

 

 

 

ରମା

ତାଙ୍କୁ କହି ମୁଁ ଆସିଛି ।

 

 

 

ଘନ

ସତ କହୁଚୁ ? ବେଶ୍‌ ଭଲ କଥା । ହଁ, ମୁଁ ଜାଣେ ବୀରବାବୁ ଅତି ଉଦାର । ତୋ ମନରେ ଆଘାତ ଦେଲା ଭଳି କାମ ସେ କରିବେ ନାହିଁ ।

 

 

 

ରମା

ତୁମେ ତାଙ୍କୁ ଯିମିତି ଭାବିଚ, ପ୍ରକୃତରେ ସେ ସିମିତି ନୁହନ୍ତି ।

 

 

 

ଘନ

ଏ ଗୁଡ଼ା ତୁ କ’ଣ କହୁଚୁ ରମା ? ଛି, ଏଣିକି ଘର ସଂସାର କଲ, ହାତେ ମାପି ଚାଖଣ୍ଡେ ନ ଚାଲିଲେ ବାଟରେ ଝୁଣ୍ଟି ପଡ଼ିବୁ ଯେ ?

 

 

 

ରମା

ଯାହା ଭାଗ୍ୟରେ ଥିବ ।

 

 

 

ଘନ

ସବୁ ଭାଗ୍ୟ ଉପରେ ଛାଡ଼ିଦେଲେ ଚଳିବ ନାହିଁ ରମା ! ଏ ଅବସ୍ଥା ପାଇଁ ତୁ ଆଜି ନିଜେ ଦାୟୀ । ସ୍ୱାମୀର ମନ ନେଇ କିପରି କାମ କରିବାକୁ ହୁଏ ତୁ ଏ ପର୍ଯ୍ୟନ୍ତ ଶିଖିଲୁ ନାଇଁ ।

 

 

 

ରମା

ଖୁବ୍‌ ଶିଖିଛି । ସ୍ୱାମୀର ମନ ଯଦି ଅସମ୍ଭବକୁ ସମ୍ଭବ କରିବାକୁ ଚାହେଁ, ସାମାନ୍ୟ କଥାରେ ଜୋର ଦେଇ ସ୍ୱାମୀ ଯଦି ନିଜର ମତ ବଜାୟ ରଖିବାକୁ ଚାହେଁ, ତେବେ ତାକୁ ମୁଁ ମାନି ନେବି କିପରି ? ମୁଁ ମଣିଷ, ମୋର ବି ଗୋଟାଏ ମନ ଅଛି ।

 

 

 

ଘନ

ନିଜର ଟାଣ ବଜାୟ ରଖିବାକୁ ଚେଷ୍ଟା ନ କରି ତୁ ଟିକେ ନରମ ହେବାକୁ ଚେଷ୍ଟା କର । ସାଲିସ ବିନା ବିବାହିତ ଜୀବନରେ କେବେହେଲେ ଶାନ୍ତି ଆସିବ ନାହିଁ । ସବୁବେଳେ ଜିଦ୍‌ଧରି ବସିଲେ ଫଳ ଓଲଟା ହେବ ।

 

 

 

ରମା

ମୁଁ ତ କିଛି ଜିଦ୍‌ଧରି ବସୁନାହିଁ । ସବୁ ଜିଦ୍‌ ତାଙ୍କର । ମତେ ସଙ୍ଗୀତ ଶିଖେଇବା ପାଇଁ ଏବେ ତାଙ୍କର ଗୋଟାଏ ଅସମ୍ଭବ ଖିଆଲ ଉଠିଛି । ତୁମେ ତ ଜାଣ ଭାଇ, ପିଲାଟି ଦିନୁ ମୋର ସଙ୍ଗୀତ ଶିଖିବାକୁ ମନ ନ ଥିଲା । ସଙ୍ଗୀତ ଶିଖିବା ପାଇଁ ଏତେ ଜୁଲୁମ୍‌ କରିବାଟା କ’ଣ ତାଙ୍କର ଉଚିତ ?

 

 

 

ଘନ

ସେଇଟା ଅବଶ୍ୟ ତାଙ୍କର ଭୁଲ । ଇମିତି ଅଦ୍ଭୁତ ଧାରଣା ସବୁ ମୁଣ୍ଡରେ ଢୁକିଲେ ସୁଖ ଶାନ୍ତି କିଛି ରହିବ ନାହିଁ । ସେ ଭୁଲ କରି ବସିଲେ ବୋଲି ତୁ ଭୁଲ କରବୁ କାହିଁକି ? ମୋ କଥା ମାନି ତୁ ଆଉ ତାଙ୍କର ଅବାଧ୍ୟ ହୋ ନା । ଗୀତ ଶିଖିବାପାଇଁ ରାଜି ହେଇ ଯା । ଚାଲ, ମୁଁ ତତେ ଛାଡ଼ି ଦେଇ ଆସିବି ।

 

 

 

ମିନି

ଏତେ ଶୀଘ୍ର ତାଙ୍କୁ ତଡ଼ି ପକାଉଛ କାହିଁକି ? ଆଉ ଟିକେ ଯାଉ । ଆସିଛନ୍ତି ଏମିତି ଠିଆ ଠିଆ ଚାଲିଯିବେ, କ’ଣ ଗଣ୍ଡେ ଖାଇବେ ନାହିଁ ?

 

 

 

ଘନ

ନାଇଁ, ନାଇଁ, ବୀରବାବୁ ସେଆଡ଼େ ଅପେକ୍ଷା କରିଥିବେ ।

 

 

 

ମିନି

ରମା ! ପୁଣି କେବେ ଆସିବ ?

 

 

 

ରମା

ଯେବେ ମନ ହେବ ।

 

 

 

ଘନ

ନା ରମା, ତୋ ମନ ଅନୁସାରେ ତୁ କୁଆଡ଼େ ଯିବା ଆସିବା କରନା । ଯେଉଁଠିକି ଯାଉଚୁ, ଯାହା କରୁଚୁ, ସବୁଥିରେ ବୀରବାବୁଙ୍କୁ ପଚାରି କାମ କର । (ଶଙ୍କରଙ୍କ ପ୍ରବେଶ । ମିନି ଓଢ଼ଣା ଟାଣି ଚାଲିଗଲା)

 

 

 

ରମା

ବାବା !

 

 

 

ଶଙ୍କର

ଓ, ତୁ ଆସିଛୁ ତୋର ସୁଖର ସଂସାର କଥା ଜଣେଇବାକୁ ।

 

 

 

ଘନ

ବାବା ! (ଶଙ୍କରଙ୍କ କଥାରେ ଅଳ୍ପ ବିରକ୍ତ ହେଇ)

 

 

 

ଶଙ୍କର

ସେ ଦିନ ସବୁ କଥା ଏଡ଼ି ଦେଇ ତୁ ଆଗେଇ ଯାଇଥିଲୁ ବୀରକିଶୋର ବାବୁଙ୍କୁ ବିବାହ କରିବା ପାଇଁ । ଭବିଷ୍ୟତର ରଙ୍ଗିନ୍‌ ସ୍ୱପ୍ନ ଦେଖି ତୁ ଆତ୍ମହରା ହେଇ ପଡ଼ିଥିଲୁ ?

 

 

 

ରମା

ସ୍ୱପ୍ନ ମୋର ଭାଙ୍ଗି ଯାଇଛି ବାବା ? କଲା କର୍ମର ଫଳ ଆଜି ମୁଁ ହାତେ ହାତେ ପାଉଛି । (ଭାଙ୍ଗି ପଡ଼ିଲା ରମା)

 

 

 

ଶଙ୍କର

ମିଛ କଥା । ବାପକୁ ବୁଢ଼ା ଦେଖି ତୁ ଆଜି ପରିହାସ କରୁଚୁ ? ମୁଁ ଏ କଥା କେବେ ବିଶ୍ୱାସ କରିବି ନାହିଁ । ତୁ ଯେ ଭଲ ପାଇ ବିବାହ କରିଛୁ !

 

 

 

ରମା

ବାବା । (ଶଙ୍କରଙ୍କ ତାତ୍ସଲ୍ୟ ପାଇଁ ସେ ଯେପରି ପ୍ରସ୍ତୁତ ନ ଥିଲା)

 

 

 

ଶଙ୍କର

Love at the first sight ୟାରି ଦ୍ୱାହି ଦେଇ ତୁ ସବୁ ଭୁଲିଗଲୁ । ତୋର choice, ତୋର speculation ଆଜି ପୁଣି ଭୁଲ ହେବ କିପରି-? ସ୍ୱାମୀ ତୋର ଆଡ଼ଭୋକେଟ୍‍, ବଡ଼ଲୋକ, ଉଦାର, ସୁପୁରୁଷ । ଏ ଗରିବ ଘରେ ତୋ ପାଦ କାହିଁକି ? (ରମା ଆଉ ସହିବା ଅବସ୍ଥାରେ ନ ଥିଲା-। ବାପାଙ୍କ ମୁହଁକୁ କିଛି ସମୟ ଚାହିଁ ଘରୁ ଜୋରରେ ବାହାରି ଚାଲିଗଲା)

 

 

 

ଘନ

(ରମା ପଛେ ପଛେ ଯାଇ) ରମା ! ରମା ! (ପୁଣି ଫେରି ଆସି) ଆଚ୍ଛା ବାବା, ଏ ବେଳରେ ବି ତୁମର ଇମିତି କଥା କହିବାର ଥିଲା ? ବେଳ କାଳ ବିଚାର ଟିକେ ତୁମର ନାହିଁ । ତୁମେ କ’ଣ କଲ ?

 

 

 

ଶଙ୍କର

ମୁଁ ଠିକ୍‌ କରିଛି । ସୁଖର ସଂସାର ଗଢ଼ିବା ପାଇଁ ସେ ଏ ଘରୁ ଗୋଡ଼ କାଢ଼ିଥିଲା । ଆଜି ତାର ଦୁଃଖ କାହାଣୀ କହିବ କାହିଁକି ? ନା, ସେ କଥା ଆଉ ମୁଁ ଶୁଣିବି ନାହିଁ । ମତେ ବଧିର କରିଦିଅ ପ୍ରଭୁ, ମତେ ବଧିର କରିଦିଅ-!

 

୨ୟ ଦୃଶ୍ୟ

 

[ବୀରକିଶୋରଙ୍କ ଘରର ଅଳିନ୍ଦ । ବୃଷଭାନୁ ପ୍ରବେଶ କରି ଅରୁନ୍ଧତୀକୁ ଡାକିଲେ]

 

ବୃଷ

ଅରୁ ! ଅରୁ ! ପୂଜାରୀ ! (ହାତରେ ଗୋଟିଏ ପିଠା ଖଡ଼ିକା ଧରି ଅରୁଙ୍କ ପ୍ରବେଶ । ବୃଷ ପଛକୁ ଘୁଞ୍ଚିଗଲେ)

 

 

 

 

 

‘‘ଏ ମନ ଖୋଜୁଥାଇ ଯାହା

 

 

କାଳେ ପ୍ରାପତ ହୁଏ ତାହା ।

 

 

 

 

 

ଆହେ, ଏତେ ବେଳ ଯାଏ କ’ଣ କରୁଥିଲ କି ?

 

 

 

ଅରୁନ୍ଧତୀ

କାହିଁକି ?

 

 

 

ବୃଷ

କାହିଁକି ବୋଲି ପୁଣି ପଚାରୁଚ ? ତୁମକୁ କ୍ଷଣେ ନ ଦେଖିଲେ ମତେ ଦଶଦିଗ ଅନ୍ଧାର ଦିଶେ । ଏ କଥା କ’ଣ ତୁମେ ଜାଣନା ?

 

 

 

ଅରୁ

ଆସ୍ତେ କୁହମ ? କିଏ ଶୁଣିବ । ବୀର ଆସୁଥିବ ।

 

 

 

ବୃଷ

ବୀରବାବୁ କ’ଣ ହାଇହିଲ୍‌ଙ୍କୁ ସାଙ୍ଗରେ ଧରି ଯାଇଛନ୍ତି ?

 

 

 

ଅରୁ

ନାଇଁମ, ସେ ଫୁଲେଇ ତ ତା ମନକୁ ଟୁଙ୍ଗ ଟାଙ୍ଗ ହେଇ ବାହାରି ଯାଉଛି । ବୀର ସାଙ୍ଗରେ ଯିବାପାଇଁ ଅପେକ୍ଷା କାଇଁ ? ସକାଳେ କୁଆଡ଼େ ଯାଉଛି ବୋଲି ପଚାରିଲାରୁ କହିଲା, ମୋ ସାଙ୍ଗ ଘରକୁ ଯାଉଛି ।

 

 

 

ବୃଷ

ତୁମେ ଟିକିଏ ବୁଝେଇ ଦଉନ ।

 

 

 

ଅରୁ

କାହିଁକି ବା ? ମୁଁ ସେଇଟାକୁ କାହିଁକି ଖୋସାମତ କରିବି ?

 

 

 

ବୃଷ

ସଣ୍ଠଣା ଶିଖେଇବାକୁ ଆସିଛ ପରା ? ଖାଲି ତାକୁ ଦୋଷ ଦେଲେ ହବ ନାହିଁ ଅରୁ, ତୁମ ଭାଇଙ୍କର ବି ଦୋଷ ଥିବ । ଗୋଟାଏ ହାତରେ କ’ଣ ତାଳି ବାଜିଲାଣି ?

 

 

 

ଅରୁ

ଏଁ ! ମୋ ଭାଇକୁ ପୁଣି ଦୋଷ ଦବ ?

 

 

 

ବୃଷ

ନା, କାହିଁକି ଦେବି ? ଭାଇ ଖାଲି ତୁମର ଗୋଟାପଣେ ତୁଳସୀ ଗଛ । ଆରେ ମୁଁ ଦେଖୁଛି, ଏ ତ ଘର ଭାଙ୍ଗି ଦେବ ! ବାଃ, ଭାଇଘରକୁ ଚଳେଇବାକୁ ଆସି ବେଶ୍‌ କାମ କରୁଛ !

 

 

 

ଅରୁ

ସିମିତ କୁହ ନାଇଁ କହୁଛି । ହଇ ହେ, ପରକୁ ବୁଦ୍ଧି ଦେଲା ବେଳକୁ ତ ଏତେ ଆଗଭର । ନିଜ କଥାଟି ଭାବୁ ନାହଁ କାହିଁକି ?

 

 

 

ବୃଷ

ଆମର କ’ଣ କ୍ଷତି ହେଉଛି କି ? ଆମେ କ’ଣ ତାଙ୍କ ଭଳି କଳି କରୁଛୁ । ଉପର ଦେଖାଣିଆ କଳି ହେଲେ ହେଁ ଆମ ଭିତର ମନରେ ପରା ପ୍ରେମର ଝରଣା ବହି ଯାଉଛି !

 

 

 

ଅରୁ

ଅଲଣା କଥାଗୁଡ଼ାକ ଭଲ ଲାଗେନା ।

 

 

 

ବୃଷ

ଏଁ, ରାଗିଲ ! ହଉ, ଚାଲ ଟିକେ ବାହାରୁ ବୁଲି ଆସିବା । ହେଇଟି, ଶଗଡ଼ ଗାଡ଼ିରେ ଗଲେ ଲୋକେ ଆମକୁ ଦେଖିପାରିବେ ନାହିଁ, ସାଇକେଲ ରିକ୍‌ସାଟା ଏତେ ଜୋରରେ ଚାଲିବ ଯେ ବୁଲିବା ମଜା ରହିବ ନାହିଁ । ଚାଲ ଗୋଟେ ଟଣା ରିକ୍‌ସାରେ ମୋଚିସାହି, ମାଛୁଆବଜାର ଲଗେଇ ଘୂରି ଆସିବା ।

 

 

 

ଅରୁ

ସେ ଅଲଣା ସୁହାଗ ରଖି ଦେଇଥା ।

 

 

 

ବୃଷ

କ’ଣ ହେଲା, ଅଲଣା ସୁହାଗ !

 

 

 

ଅରୁ

ନୁହେଁ ଆଉ କ’ଣ ? ସବୁଦିନ ସିନା ଏ ସ୍ନେହ ସୁହାଗ ଥିଲେ ସୁନ୍ଦର ଦିଶନ୍ତା ? କେଉଁ ଦିନ ତ ନାହିଁ, ଖାଲି ଗହ୍ମା ପୁନେଇ ଦିନ ମାଇଁ ହେଲେ ମନରେ ସରାଗ ଆସିବ କ’ଣ, ଓଲଟି ହାଡ଼ ଚିଡ଼ୁଛି ।

 

 

 

ବୃଷ

ଏଁ କ’ଣ ହେଲା, ଏ କଥା ମୁଁ ନୂଆ ଶୁଣୁଚି ! ଗେରସ୍ତର କଅଁଳ କଥା ଶୁଣିଲେ ଭାରିଜାର ପୁଣି ହାଡ଼ ଚିଡ଼େ ! ଛାତି ଉଲୁସି ଉଠିବା କଥା ।

 

 

 

ଅରୁ

ଏମିତି ଦିନିକିଆ କଥାରୁ କ’ଣ ମିଳିବ ? ଅନ୍ୟ ଦିନେ ମୋ ସୁଖ ସୁବିଧା ଦେଖିଛ ? ନିଆଁ ପାଣି କଥା, ଯଦି ତରକାରୀ ଟିକେ ଭଲ ମନ୍ଦ ହେଇଚି, ସଙ୍ଗେ ସଙ୍ଗେ ଥାଳି ଫୋପାଡ଼ି ଦବ ।

 

 

 

ବୃଷ

ଫୋପାଡ଼ିବି ନାହିଁ ? ମତେ ତୁମେ ରାନ୍ଧଣା ଶିଖେଇବ ? ବଜାରରେ ଯେଉଁ ରାନ୍ଧଣା ବହି ମିଳୁଛି ତାକୁ line by line ମୁଖସ୍ଥ କରି ରନ୍ଧାରନ୍ଧି ବିଷୟରେ ମୁଁ ଓସ୍ତାଦ୍‌ ହେଇ ଯାଇଛି । କେଉଁ ବିଦ୍ୟାଟା ଆଉ ଅଜଣା—ଜୋତା ସିଲେଇଠାରୁ କତା ଛେଚିବା ପର୍ଯ୍ୟନ୍ତ ସବୁ ଜଣା । ଏ ସବୁ ତ ସାମାନ୍ୟ କଥା । ଜାଣିଛ, ମୁଁ ବକ୍ତୃତା ଦେଇ ଜାଣେ ।

 

 

 

ଅରୁ

ମୁଁ ବି ସିମିତି ଗୀତ ଗାଇ ଜାଣେ ।

 

 

 

ବୃଷ

ଏଁ, ଗୀତ ଗାଇ ଜାଣ ! ଏକ୍‌ଦମ୍‌ ଲତା ମୁଙ୍ଗେସକର ! କଳ୍ପନା ଦେବୀ ଆଉ କାହିଁକି ଆସିଲେ ? ତୁମେ ତ ହାଇହିଲ୍‌କୁ ଗୀତ ଶିଖେଇଥାନ୍ତ । ମୋ ସାଙ୍ଗରେ ତୁମେ ବି ତାଳ ଦେଲଣି ! ତୁମେ ପୁଣି ଗୀତ ଗାଅ ।

 

 

 

ଅରୁ

ନାଇଁ, ମୋ କଥା ଆଉ ପସନ୍ଦକୁ ଆସୁ ନାହିଁ ।

 

 

 

ବୃଷ

କିମିତି ହେବ ? ମୁଁ କ’ଣ ଛୋଟିଆ ଲୋକ ! ମୋ ସାଙ୍ଗରେ ପ୍ରତିଯୋଗିତା !

 

 

 

ଅରୁ

ନିଜର ଏତେ ବଡ଼େଇ କରି ତୁମର ମାନ ବଢ଼ୁଛି ବୋଲି ଭାବୁଛ ? ମୋଟେ ନୁହେଁ । ଗମ୍ଭୀର ଭାବ ଟିକିଏ ନ ହେଇ ଭାରିଜା ଆଗରେ ନିଜର ମାନ ହରଉଚ ? ପରିବାରର ମୁରବି, କେତେ ଗମ୍ଭୀର ହେଇଥାନ୍ତ !

 

 

 

ବୃଷ

ଆହା ହା...! ମୂର୍ଖ ତ, ଇମିତି କଥା ନ କହିବ କିମିତି ? ମୁଁ ଯଦି ଗୋଟିଏ ଶିକ୍ଷିତା ତରୁଣୀର ହାତ ଧରିଥାନ୍ତି... ଆଜି ମୋ ମନ କଥା କେବଳ ସେଇ ବୁଝୁଥାନ୍ତା । ଉପଯୁକ୍ତ ସହଧର୍ମ୍ମିଣୀ ଅଭାବରେ ଜୀବନ ମୋର ଛାରଖାର ହୋଇ ଯାଇଛି ।

 

 

 

ଅରୁ

ଖାଲି ନିଜ କଥାଟି କହି ଜାଣ । ମୁଁ କହୁ ନାହିଁ ବୋଲି ସିନା । କଥାରେ କହିଚି—କହିବି ନାହିଁ, କହିଲେ ଏ ଘରେ ରହିବି ନାହିଁ ।

 

 

 

ବୃଷ

ନାଇଁ କୁହ । ବେଳ ପଡ଼ିଛି । ପାଟିରେ ଗୋଟାଏ ଲାଉଡ-ସ୍ପିକର ଲଗେଇ ଗୋଟାଏ ଶଗଡ଼ ଗାଡ଼ିରେ ବସି ବଜାରଯାକ ପାଟି କରି ମୋ ନାଁରେ କିଛି ହ୍ୟାଣ୍ଡ୍‍ବିଲ୍‌ ବାଣ୍ଟି ଦିଅ । ବଜାର କାନ୍ଥଯାକ ମୋ against ରେ କିଛି ପ୍ଳାକାର୍ଡ ମାରି ଦିଅ । ଆମେ ଚାଲିଲୁ । କିନ୍ତୁ ମନେ ରଖ, ରୁକୁଣା ରଥ ଅଣଲେଉଟା, ଆଉ ଫେରିବ ନାହିଁ । ସାତ ତପସ୍ୟା କଲେ ବି ମୋ ଆସନ ଟଳିବ ନାହିଁ । ମୋଟେ ଶୁଣିବି ନାହିଁ । ଚାଲିଲି । (ଦୁଇ ପାହୁଣ୍ଡ ଆଗେଇ ଯାଇ ପଛକୁ ଚାହିଁଲେ)

 

 

 

ଅରୁ

ହଁ ଯାଅ ।

 

 

 

ବୃଷ

ଚାଲିଲି । କ’ଣ ଶୁଣୁଛଟି ?

 

 

 

ଅରୁ

ନିଆଁଟା ଶୁଣିବି ।

 

 

 

ବୃଷ

(ଚାଲି ଯାଉ ଯାଉ ଫେରି ଆସି) ଏଁ ଡାକିଲ ?

 

 

 

 

 

(ଅରୁ ମୁହଁ ଛାଟି ଘର ଭିତରକୁ ଚାଲିଗଲେ । ବୃଷ ଫେରି ତାଙ୍କ ପଛେ ପଛେ ଚାଲିଲେ)

 

 

 

-ପରଦା-

 

୩ୟ ଦୃଶ୍ୟ

 

[ବୀରକିଶୋରଙ୍କର ଘର । ବୀର ଓ ଅଦ୍ୱୈତ ବସିଥିଲେ ।]

 

ବୀର

ପୂଜାରୀ, ପୂଜାରୀ ! ଆରେ ସାମାନ୍ୟ ଜଳଖିଆଟା ଆଣିବାକୁ ଆଉ କେତେ ଡେରି କରିବୁ ?

 

 

 

ଅଦ୍ୱୈତ

ମୁଁ ତ ମନା କରୁଛି । କାହିଁକି ମିଛରେ ଏତେ ହଲ୍ଲା କରୁଛୁ କହିଲୁ ?

 

 

 

ବୀର

ହଲ୍ଲା ନ କଲେ ଏଠି ଚଳୁ ନାହିଁ ଭାଇ । ଘର ଖବର ତ ମତେ ସବୁ ବୁଝିବାକୁ ହେଉଛି । ବନ୍ଧୁବାନ୍ଧବଙ୍କ ଚର୍ଚ୍ଚାଠାରୁ ଆରମ୍ଭ କରି ଘରର ହିସାବପତ୍ର ପର୍ଯ୍ୟନ୍ତ ଯଦି ମୁଁ ନ ଦେଖିବି, ସବୁ ଗଣ୍ଡଗୋଳ ହେଇଯିବ ।

 

 

 

ଅଦ୍ୱୈ

ହଁ, ତୁ ଖାଲି ସବୁ କରି ପକାଉଥିବୁ ? ତା ମାନେ ତୁ କହୁଚୁ ରମାଦେବୀ କିଛି କରନ୍ତି ନାହିଁ ?

 

 

 

ବୀର

ସେଇୟା ତ, ରମାଦେବୀ ଯଦି ଘର ଭିତରର କାମ ସବୁ ଚଳେଇ ନେଉଥାନ୍ତେ, ତାହାଲେ ମୋ ମୁଣ୍ଡ ଆଉ ବଥାନ୍ତା କାହିଁକି ? କଚେରୀରୁ ଆସି ମୁଁ ଯଦି ଘରକଥା ବୁଝିବି, ତା’ହେଲେ କି ଓକିଲାତି ଆଉ ମୁଁ କରିବି ? (ଜଳଖିଆ ନେଇ ପୂଜାରୀର ପ୍ରବେଶ) ଦେଖ, ଏପର୍ଯ୍ୟନ୍ତ ଦେଖା ନାହିଁ । ନା ଗୀତ ଶିଖା ହଉଛି ନା ବନ୍ଧୁ ଚର୍ଚ୍ଚା ହଉଚି ! ଛି, ଛି ।

 

 

 

ଅଦ୍ୱୈ

ହଉ, ତୁ ଆଉ ବ୍ୟସ୍ତ ହୋ ନା ।

 

 

 

ବୀର

ବ୍ୟସ୍ତ ନ ହେବି କିମିତି ? ମୁଁ ମଣିଷ; ରାଗ, ଘୃଣା ମୋର ସବୁ ଅଛି ।

 

 

 

ଅଦ୍ୱୈ

ସବୁ ମୁଁ ବୁଝୁଛି । କିନ୍ତୁ ମନର ଭାବକୁ ପ୍ରକାଶ ନ କରି ଟିକେ କୂଟନୀତି ପ୍ରୟୋଗ କଲେ ଦେଖିବୁ, ସବୁ ଆପେ ଆପେ ଠିକ୍‌ ହେଇଯିବ । ରମାଦେବୀଙ୍କର ଯଦି କିଛି ତ୍ରୁଟି ଦେଖୁଚୁ ତାଙ୍କୁ ସମାଲୋଚନା ନ କରି ସହିଯା । ତାଙ୍କ ମନ ଅନୁସାରେ ନିଜକୁ ଗଢ଼ିନେ, ଦେଖିବୁ ସେ ଆପେ ଆପେ ବାଟକୁ ଆସିଯିବେ ।

 

 

 

ବୀର

ବାଃ, ତୁ ତ ମୋତେ ରୀତିମତ ‘‘Henpecked’’ କରିବାକୁ ବସିଛୁ । ଖାଣ୍ଟି ଗାଉଁଲି ଭାଷାରେ ଯାହାକୁ କହନ୍ତି ମାଇପି-ବୋଲା ।

 

 

 

ଅଦ୍ୱୈତ

ସ୍ତ୍ରୀକୁ ଭଲ ବାଟରେ ଆଣିବା ପାଇଁ ଯଦି ସ୍ୱାମୀ ତାର ଦୋଷ ଦୁର୍ବଳତାକୁ ସହ୍ୟ କରିଯାଏ ତେବେ ଦୁନିଆଁରେ କେହି ତାକୁ ମାଇପିବୋଲା କହି ପାରିବେ ନାହିଁ । ମାଇପିବୋଲା ବା Henpecked ଶବ୍ଦ କେତେଟା ନିର୍ଦ୍ଦୟ ଆଉ ଅତ୍ୟାଚାରୀ ସ୍ୱାମୀଙ୍କ ମନଗଢ଼ା କଥା । ସ୍ତ୍ରୀ ପ୍ରତି ଦୁର୍ବ୍ୟବହାରରେ ଗୌରବାନ୍ୱିତ ହୋଇ ସେମାନେ ସରଳ, ସହାନୁଭୂତିଶୀଳ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ଏଇ ତଥାକଥିତ ଶବ୍ଦ ପ୍ରୟୋଗ କରିଥାନ୍ତି ।

 

 

 

ବୀର

ବାଃ ! ସୁନ୍ଦର ମନସ୍ତାତ୍ତ୍ୱିକ ବିଶ୍ଳେଷଣ କରୁଛୁ ତ !

 

 

 

ଅଦ୍ୱୈ

ସତରେ ବୀର, ଭଲ ପାଇ ବିବାହ କରିବାକୁ ମୁଁ ପସନ୍ଦ କରେ । କିନ୍ତୁ କେବଳ ସେତିକିରେ ନିଶ୍ଚିନ୍ତ ହୋଇ ଗଲେ ଚଳିବ ନାଇଁ । ଯେ କୌଣସି ଉପାୟରେ ବିବାହ ହେଉ ନା କାହିଁକି, ସୁଖଶାନ୍ତି ପାଇଁ ଦରକାର ପ୍ରକୃତ ବୁଝାମଣା, ଆଉ ପରସ୍ପରର ଦୋଷ ଦୁର୍ବଳତା ପାଇଁ ଉପଯୁକ୍ତ ସହନ-ଶୀଳତା (ରମାଙ୍କ ପ୍ରବେଶ) ନମସ୍କାର ରମାଦେବୀ ।

 

 

 

ରମା

ନମସ୍କାର ।

 

 

 

ଅଦ୍ୱୈ

କଳାକାରମାନଙ୍କ ସମ୍ବର୍ଦ୍ଧନା ବେଳେ ଆପଣ ତ ନ ଥିଲେ ?

 

 

 

ରମା

ଜରୁରୀ କାମରେ ବାହାରି ଯାଇଥିଲି । ସତରେ କଳାକାର ନ ହୋଇଥିବାରୁ ମୁଁ ଆପଣଙ୍କ ବନ୍ଧୁଙ୍କୁ କିଛି ସାହାଯ୍ୟ କରିପାରୁ ନାହିଁ ।

 

 

 

ଅଦ୍ୱୈ

ହଁ, ଆସ୍ତେ ଆସ୍ତେ ସବୁ ଠିକ୍‌ ହୋଇଯିବ । ଆପଣଙ୍କ କଳାକୌଶଳ ଦିନେ ହୁଏ ତ ସମସ୍ତଙ୍କୁ ମୁଗ୍ଧ କରିବ ।

 

 

 

ବୀର

ବୁଝିଲୁ ଅଦ୍ୱୈତ, ରମାଦେବୀ ଏଣିକି ଯୁଆଡ଼େ ଯାଉଛନ୍ତି ଆମକୁ ଆଉ ସାଙ୍ଗରେ ନେଉ ନାହାନ୍ତି ।

 

 

 

ରମା

ଦେଖିଲେ ଅଦ୍ୱୈତବାବୁ, ମୋ ସାଙ୍ଗଟା ଘରକୁ ୟାଙ୍କୁ କାହିଁକି ନେଇଥାନ୍ତି ? ହଉ, ୟାଙ୍କୁ ଆଗ ପଚାରିଲେ, ଆପଣଙ୍କ ଘରକୁ ମତେ କେତେଥର ନେଇଛନ୍ତି ?

 

 

 

ବୀର

ମୁଁ ତୋ ଘରକୁ ଗଲାବେଳେ ୟେ ଥାଆନ୍ତି କି ନ ଥାଆନ୍ତି ଟିକେ ତାଙ୍କୁ ପଚାର ତ ।

 

 

 

ରମା

ହଉ ସେ କଥା ଛାଡ଼ ।

 

 

 

ବୀର

କାହିଁକି ଛାଡ଼ ?

 

 

 

ରମା

ଆଚ୍ଛା ପଚାରିଲେ ଅଦ୍ୱୈତବାବୁ । ଇଏ ମତେ କେତେ ଥର ଥିଏଟର ସିନେମା ଦେଖାଇ ନେଇଛନ୍ତି ।

 

 

 

ଅଦ୍ୱୈ

କି ଓ ଜବାବ୍‌ ଦେଉନା ?

 

 

 

ରମା

ଆଉ ଜବାବ୍‌ ଅଛି ଯେ ଦେବେ ! ଯେତେବେଳେ ଟିକେ ମନ କରି କହିବ, ବାରଆଡ଼ୁ ବାରକଥା ଆଣି ଥୋଇବେ ।

 

 

 

ଅଦ୍ୱୈ

ଏ ତ ବଡ଼ ଅନ୍ୟାୟ କଥା । ନବବିବାହିତା ପତ୍ନୀର ଅନୁରୋଧ ଏଡ଼ିଦେବା ଆଦୌ ସୁନ୍ଦର ନୁହେଁ ବୀର ।

 

 

 

ବୀର

ସବୁବେଳେ ତୋର ସେ ମନସ୍ତାତ୍ତ୍ୱିକ କଥା ଭଲ ଲାଗେନା ।

 

 

 

ରମା

ଅଦ୍ୱୈତବାବୁ ତ ଠିକ୍‌ କଥା କହୁଛନ୍ତି । ପ୍ରକୃତରେ ଅଦ୍ୱୈତବାବୁଙ୍କ ପରି ବିଚାରବୁଦ୍ଧି ମୁଁ ଖୁବ୍‌ କମ୍‌ ଲୋକଙ୍କଠାରେ ଦେଖିଛି ।

 

 

 

ଅଦ୍ୱୈ

ଏତେ ପ୍ରଶଂସାର ପାତ୍ର ମୁଁ ଆଦୌ ନୁହେଁ ରମାଦେବୀ । ଆପଣଙ୍କ ସ୍ୱାମୀ ଅନେକ ଗୁଣରେ ମୋଠାରୁ ଢେର ଉଚ୍ଚରେ ।

 

 

 

ରମା

ମୋଟେ ନୁହେଁ । ଅନେକକଥା ସେ ଜାଣନ୍ତି ନାହିଁ ।

 

 

 

ଅଦ୍ୱୈ

ଆପଣଙ୍କ ମୁହଁରେ ଏ କଥା ଶୋଭା ପାଏନା ରମାଦେବୀ ।

 

 

 

ବୀର

କାହିଁକି ଶୋଭା ପାଏନା ? ଗାଁ କନ୍ୟା ସିଙ୍ଘାଣୀନାକୀ ।

 

 

 

ରମା

ଇମିତି ଖାଲି କହି ଜାଣନ୍ତି । କାଲି ସିନେମା ଯିବାକୁ କହିଲି ଯେ, ଆପଣଙ୍କ ବନ୍ଧୁ କ’ଣ କହିଲେ ପଚାରନ୍ତୁ ।

 

 

 

ବୀର

ସଫା ମନା କରିଦେଲି । ଫିଲମ୍‌ଗୁଡ଼ାକ ମତେ ଭଲ ଲାଗେନା । ସବୁଠି ସେଇ Triangular love ।

ଅଦ୍ୱୈ

କିନ୍ତୁ ତୋ ନିଜ ମନର ଭାବନା ଅନ୍ୟ ଉପରେ ଜବରଦସ୍ତି ଲଦି ଦେବାର ଚେଷ୍ଟା କାହିଁକି କରୁଛୁ ? ତାଙ୍କର ସିନେମା ଦେଖିଯିବାକୁ ଇଚ୍ଛା । କିନ୍ତୁ ତୁ ନ ଗଲେ ସେ ଯିବେ କିପରି ?

ବୀର

କାହିଁକି ? ଏତେ ଜାଗାକୁ ତ ଏକୁଟିଆ ଯାଉଛନ୍ତି । ସିନେମାକୁ ଏକୁଟିଆ ଗଲେ କ’ଣ ପାପ ହୋଇ ଯାଉଛି ?

ରମା

ସବୁଠି କି ଯିବା ଆଉ ସିନେମା ଯିବା କ’ଣ ସମାନ ଅଦ୍ୱୈତବାବୁ ? ପ୍ରକୃତରେ ଆପଣଙ୍କ ବନ୍ଧୁ ଆପଣଙ୍କର ପରି ହୃଦୟ ପାଇଲେ ନାହିଁ । (ବୀର ବିରକ୍ତିରେ ମୁହଁ ବୁଲେଇଲେ)

ଅଦ୍ୱୈ

ମୁଁ ତା’ହେଲେ ଆସେ ବୀର । ଆସୁଚି ରମାଦେବୀ । (କଳ୍ପନାଙ୍କ ପ୍ରବେଶ) ପ୍ରକୃତରେ କଳ୍ପନା ଦେବୀଙ୍କ ନୃତ୍ୟକଳ୍ପନା ଅତ୍ୟନ୍ତ ସୁନ୍ଦର । ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ରମାଦେବୀ ! ଏମିତି ଜଣେ ଶିକ୍ଷୟିତ୍ରୀଙ୍କଠାରୁ ନୃତ୍ୟ ଗୀତ ଶିକ୍ଷା କରୁଥିବାରୁ ମୁଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଦେଉଛି । ଆପଣ ନୃତ୍ୟ ଗୀତରେ ଖୁବ୍‌ ଉନ୍ନତି କରନ୍ତୁ, ଏଇ ଶୁଭେଚ୍ଛା ଜଣେଇ ମୁଁ ବିଦାୟ ନେଉଛି । ନମସ୍କାର । (ପ୍ରସ୍ଥାନ)

ବୀର

ସତରେ ରମା । ତୁମେ ଏପରି ନୃତ୍ୟ ଗୀତରେ କୋଉଦିନ ଭାଗ ନେବ ! ସେହିଦନକୁ ମୁଁ ଅପେକ୍ଷା କରି ରହିଛି । ସଙ୍ଗୀତଶିକ୍ଷା କେତେ ଦୂର ଆଗେଇଲାଣି କଳ୍ପନା ଦେବୀ ?

 

 

 

କଳ୍ପନା

ରମାଦେବୀଙ୍କର ପ୍ରତିଭା ଅଛି, କଣ୍ଠ ତାଙ୍କର ଖୁବ୍‌ ସୁନ୍ଦର । କିନ୍ତୁ ଶିଖିବା ପାଇଁ ତାଙ୍କର ଆଦୌ ମନ ନାହିଁ । ଯେମିତି ଗୀତ ଶିଖିବାପାଇଁ ଡାକୁଛି, ସେମିତି କୁଆଡ଼େ ବାହାରି ଯାଉଛନ୍ତି ।

 

 

 

ରମା

ମୋର କ’ଣ ବାହାରେ କିଛି କାମ ନାହିଁ ? ସବୁବେଳେ ତୁମ ପାଦତଳେ ବସି ଗୀତ ଶିଖିବାକୁ ମୋର ବେଳ କାହିଁ ? କିଛି ନ ବୁଝି ଏତେ ଅଭିଯୋଗ କାହିଁକି ?

 

 

 

କଳ୍ପନା

ତୁମେ ଯଦି ମୋ ଉପରେ ବିରକ୍ତ ହେଉଛ, ତା’ହେଲେ ମୁଁ ଆଉ କିଛି କହିବି ନାହିଁ । ମୁଁ କିଛି ତ କାମ କରିପାରୁ ନାହିଁ, ଆଉ ରହିବି କାହିଁକି ?

 

 

 

ରାମ

କାମ କରୁ ନ କିମିତି ? ଏତେ ନାଚ ଗୀତର ଯୋଉ ବନ୍ଦୋବସ୍ତ ହେଉଚି, ସେଗୁଡ଼ା କ’ଣ କିଛି କାମ ନୁହେଁ ?

 

 

 

ବୀର

କିନ୍ତୁ ଏ ସବୁ ପାଇଁ ସେ ଆସିନାହାନ୍ତି ରମା ! ଏଠି ରହି କେତେ ଦିନ ଆଉ ସେ ନୃତ୍ୟ ଗୀତ କରି ପାରିବେ ?

 

 

 

ରମା

ତୁମେ ଇଚ୍ଛା କଲେ ହୁଏତ ଅନେକ ଦିନ ଇମିତି ଚାଲିବ । ତାଙ୍କଠୁ ସବୁବେଳେ ତୁମେ ଗୀତ ଶୁଣି ପାରିବ । ମୋର ଗୀତ ନାଚ ଶିଖିବା ଦରକାର କ’ଣ ?

 

 

 

ବୀର

ରମା ! ବାରମ୍ବାର ତୁମେ ମତେ ସେଇ ପ୍ରଶ୍ନ କରୁଚ ? ଉତ୍ତର ଆଉ ମୁଁ ଦେଇ ପାରିବି ନାହିଁ । ତୁମକୁ ଶିଖିବାକୁ ହେବ । ହଁ କଳ୍ପନା, ଏଣିକି ମୁଁ ଘରେ ଥିଲାବେଳେ ତୁମେ ଗୀତ ଶିଖେଇବ ।

 

 

 

ରମା

କ’ଣ ମୁଁ ପିଲା ହୋଇଛି ଯେ, ବେତ ଧରି ପାଠ ପଢ଼ାଇବ ?

 

 

 

ବୀର

ତା ତ ମୁଁ କହୁନାହିଁ ରମା ! ତୁମର ବୁଦ୍ଧି ଅଛି, ବିବେକ ଅଛି–ସବୁ କଥା ତୁମେ ବୁଝି ପାରୁଛ । ଆଉ ଅବୁଝା ହୁଅନା ।

 

 

 

ଅରୁନ୍ଧତୀ

(ପ୍ରବେଶ) ଏଠି ସବୁ ବସି ଏମିତି ହୁଅ । ସେଣେ ଘରେ ଜିନିଷପତ୍ର ସବୁ ଅସଜଡ଼ା ହୋଇ ପଡ଼ିଚି । ପୂଜାରୀଟା କୁଆଡ଼େ ଯାଇ...

 

 

 

କଳ୍ପନା

ଚାଲନ୍ତୁ, ମୁଁ ଯାଉଛି ଆରପାଖ ଘରଟା ଓଳାଇ ନେବି । (ପ୍ରସ୍ଥାନ)

 

 

 

ରମା

ଇଏ କାହିଁକି ଘରଦ୍ୱାର ଓଳେଇବେ ? ଏଗୁଡ଼ା ଖାଲି ବାହାଦୁରି ନେବା କଥା-। ତୁମ କାମ ତୁମେ କର । ଏତେ କାମିକା ସାଜୁଛ କାହିଁକି ?

 

 

 

ଅରୁ

ତୁ ତୋ କାମ କରୁଥିଲେ, ଆଉ କିଏ କାହିଁକି କରନ୍ତା ? ତୁ ତ ଟୁଙ୍ଗ୍ ଟାଙ୍ଗ ଏକା ଏକ ହାୱା ଖାଇବାକୁ ବାହାରି ଯାଉଛୁ ଲୋ ଝିଅ, ଘର କାମ ଆଉ କରିବ କିଏ ?

 

 

 

ରମା

ସେଥିଲାଗି ତ ଚାକର ଅଛି । ମୁଁ ଆଉ କ’ଣ କରିବି ?

 

 

 

ଅରୁ

ଚାକର ଉପରେ ସବୁ ଛାଡ଼ିଦେଲେ ଚଳିବଟି ? ନିଜେ ଦେଖା ଚାହାଁ ନ କଲେ କୋଉଠି କିଛି ହେଲାଣି ? ଆହା ! ତୁ ଆଉ କିମିତି ଘର କରିବୁ କି ଲୋ ? ଗେରସ୍ତ ଖାଇଲାବେଳେ ଦିନେ ହେଲେ ତ ପାଖରେ ବସି ଭଲ ମନ୍ଦ ବୁଝିଲୁନି—ଗେରସ୍ତ ମନ ତ ଦିନେ ହେଲେ ନେଲୁ ନାହିଁ,

 

 

 

ରମା

ମନ ନେଇ ଚଳିବି ? ମୁଁ କ’ଣ ଆଗରୁ ତାଙ୍କ ମନ ନେଇ ନାହିଁ ?

 

 

 

ଅରୁ

ଶୁଣରେ ବୀର, ଆଗରୁ କେବେ କ’ଣ ଗୋଟାଏ କରିଥିଲା ବୋଲି ସେଇୟାକୁ ଧୋଇ ଶୁଖେଇ ଖାଇବ । ଆଉ କିଛି କରିବ ନାହିଁ । ଏ କୋଉ ଗାଁ କଥା ମ ! ସେ ତା’ହେଲେ ସତ କହିଥିଲେ, ଆଗରୁ ଚିହ୍ନା ହୋଇ ବାହା ହେଲେ ସେ ଡରିବ ନାହିଁ କି ଖାତିର କରିବ ନାହିଁ । ସବୁବେଳେ ତା ମନରେ ହେବ ସ୍ୱାମୀ ମତେ ଭଲପାନ୍ତି, ସେ କ’ଣ କିଛି ମତେ କହିବେ ?

 

 

 

ରମା

ଅପା ! ତୁମର ସେ ଚିକ୍‌କଣ କଥାଗୁଡ଼ାକ ରଖିଦିଅ । ମୁଁ ଢେର ବହି ପଢ଼ିଛି-। ତୁମଠୁ ଉପଦେଶ ନେବା ଆଉ ମୋର ଦରକାର ପଡ଼ୁ ନାହିଁ ।

 

 

 

ଅରୁ

କଣ କହିଲୁ, କ’ଣ କହିଲୁ ? ଦେଖୁଚୁ, ଦେଖୁଚୁ ବୀର—(ବୀରବାବୁ ବସି ଖବର କାଗଜ ପଢ଼ୁଥାନ୍ତି, କିନ୍ତୁ ସେଥିରେ ତାଙ୍କ ମନ ନ ଥାଏ । ରମା କଥା ସେ କିନ୍ତୁ ସବୁ ଶୁଣୁଥାନ୍ତି ।)

 

 

 

ବୀର

ତୁ ତାକୁ କହୁଛୁ, ସେ ତତେ କହୁଚି । ମୁଁ ଏଥିରେ କରିବି କ’ଣ ?

 

 

 

ଅରୁ

ଏଁ, ମୁଁ ତାକୁ କହୁଚି ବୋଲି ସେ ମତେ କହିବ ? ହଇରେ, ମୁଁ ତାକୁ କ’ଣ ଖରାପ କଥା କହିଲି ? ସେଇୟା ତ କହିବୁ ଯେ ଭାରିଜାକୁ କିଛି କହିବାର ଅଧିକାର ତୋର ନାହିଁ । ହଉ ହେଲା, ମୋର ଆଉ ଭଲ କଥା କହିବାର କିଛି ଦରକାର ନାହିଁ । ମୁଁ କାଲିଠୁ ଚାଲିଯାଉଛି । (ରମାକୁ ଚାହିଁ) ହଉ, ତତେ ଯଦି ଏତେ ଗୁରୁତର କଥା କହିଚି, ମୋ ଗାଲରେ ଦି’ଜୋତା ମାର ।

 

 

 

ରମା

ତୁମେ ଯେଭଳି ଲୋକ, ତୁମକୁ ସେହି ଭଳି ଦରକାର ।

 

 

 

ବୀର

ରମା ! ଚୁପ୍‌କର ତୁମେ ଜାଣ ସେ ମୋର ଅପା । ତୁମେ ମୋ ସ୍ତ୍ରୀ ହୋଇ ନ ଥିଲେ ଆଜି....

 

 

 

ଅରୁ

(ଖୁସିରେ) ହଁ ।, ଇମିତିକା ଟିକେ ଆଖି ନ ଦେଖେଇଲେ ମୁହଁ ଅତି ବଢ଼ିଯାଉଛି । ହଉ, ମୁଁ ଯାଏଁ ଦେଖେଁ, ସେ ଆଡ଼େ ରନ୍ଧା ବଢ଼ା କେତେଦୂର ଗଲା । (ପ୍ରସ୍ଥାନ)

 

 

 

ବୀର

(ରମାଙ୍କ ପାଖକୁ ଆସି) ରମା ! ରାଗିଲ ମୋ ଉପରେ ?

 

 

 

ରମା

ରାଗିବାର ମୋର କି ଅଧିକାର ଅଛି ! ମୁଁ ତୁମର ସ୍ତ୍ରୀ । ଯାହା ତୁମେ କହିଲେ ବି ସମାଜର ନୀତି ଅନୁସାରେ ମୋତେ ସବୁ ସହିବାକୁ ପଡ଼ିବ । ମୁଁ ତ ଏ ଘରର ଦାସୀ ?

 

 

 

ବୀର

ଏଇୟା ତୁମେ ବୁଝିଲ ? ଭଲ ପାଇ ବିବାହ କରି ସୁଦ୍ଧା ସ୍ୱାମୀର ହୃଦୟ ଚିହ୍ନି ପାରିଲ ନାହିଁ ?

 

 

 

ରମା

ଖୁବ୍‌ ଚିହ୍ନିଲିଣି, ଆଉ ଚିହ୍ନିବାକୁ କିଛି ବାକି ନାହିଁ ।

 

 

 

ବୀର

ଆଦୌ ଚିହ୍ନି ପାରିନ ରମା ! ତୁମେ ଉପରେ ବିରକ୍ତ ହେବା ଛଡ଼ା ଆଉ ମୋର ଅନ୍ୟ ଉପାୟ ନ ଥିଲା । ଅପାକୁ ଦୋଷ ଦେଇଥିଲେ ସେ ଅଭିମାନ କରିଥାନ୍ତା । କିନ୍ତୁ ତୁମ ଉପରେ ଅଧିକାର ଅଛି ବୋଲି ମୁଁ ତୁମକୁ କହିଲି । ତୁମେ ମୋର ସ୍ତ୍ରୀ । ସ୍ୱାମୀର ଅବସ୍ଥା ବୁଝିବାକୁ ଚେଷ୍ଟା କର, ରମା ! Judge me as I am ଯେଉଁ ପରିସ୍ଥିତିରେ ପଡ଼ି ମୁଁ ତୁମକୁ କହିଛି, ତା ପ୍ରତ୍ୟେକ ଗୃହସ୍ଥ ଜୀବନରେ ଥରେ ଅଧେ ଆସେ ।

 

 

 

ରମା

ଓ, ଅଧିକାର ନାମରେ ମନ ଇଚ୍ଛା ସବୁ କହିଯିବ । ସ୍ନେହ, ମମତା ନାମରେ ଅପମାନ, ପରିହାସ ସବୁ କରିଯିବ ?

 

 

 

ବୀର

ଏସବୁ ତୁମେ କ’ଣ କହୁଛ ରମା ?

 

 

 

ରମା

ଠିକ୍‌ କହୁଚି । ମତେ ବିବାହ କରି ତୁମେ ଆଦୌ ସୁଖୀ ହେଇନ । ଏଥିରେ ମୁଁ ଆଶ୍ଚର୍ଯ୍ୟ ହେଉନି । ଦୁନିଆଁରେ ସବୁ ସମ୍ପର୍କ ତୁଟେଇ ଶେଷକୁ ମୋତେ ତୁମର ଦୟାର ପାତ୍ର ହେବାକୁ ପଡ଼ିଲା । ଏଇ ଅବସ୍ଥାରେ ପଡ଼ି ମଣିଷ ଯେଉଁ ବ୍ୟବହାର ପାଏ, ତା ମୁଁ ପାଇଛି ।

 

 

 

ବୀର

ରମା ?

 

 

 

ରମା

ଦୁନିଆଁରେ ସମସ୍ତେ ସ୍ୱତଃପ୍ରବୃତ୍ତ ହୋଇ ଦୟା ଦେଖାନ୍ତି, କିନ୍ତୁ ମୋତେ ଦୟା ଦେଖାଇବା ପାଇଁ ତୁମେ ବାଧ୍ୟ ହେଇଥିଲ । ମୁଁ ଭଲ କରି ଜାଣେ ଯେ ସେ ଦୟା ଗ୍ରହଣ କରି ମୁଁ ବିଷପାନ କରିଛି । ଜୀଇଁ ଥାଉ ଥାଉ ମୁଁ ଆତ୍ମହତ୍ୟା କରିଛି ।

 

 

 

ବୀର

ଜାଣ, ତୁମେ ତୁମର ସ୍ୱାମୀକି କ’ଣ କହିଯାଉଛ ?

 

 

 

ରମା

ମିଛ ତ କିଛି କହୁନାହିଁ । ସୁଯୋଗ ପାଇବା ମାତ୍ରେ ତୁମେ ମତେ ଉପହାସ କରିଛ । କେବଳ ମତେ ଅପମାନ ଦେବାପାଇଁ ଆଜିର ନୃତ୍ୟ ହେଇଥିଲା ।

 

 

 

ବୀର

ରମା !

 

 

 

ରମା

ମୁଁ ତୁମର ଅଯୋଗ୍ୟା ବୋଲି ତୁମେ ସମସ୍ତଙ୍କ ଆଗରେ କହି ବୁଲୁଛ ।

 

 

 

ବୀର

ଏକଥା ମୁଁ କେବେ କହିଚି ?

 

 

 

ରମା

ଅଦ୍ୱୈତ ବାବୁଙ୍କ ଆଗରେ ସେ ଦିନ କ’ଣ କହିଲ ! ଭଗବାନ ତ ସମସ୍ତଙ୍କୁ ଗୀତ ଗାଇବା ଶକ୍ତି ଦେଇ ନାହାନ୍ତି । ତେବେ କାହିଁକି ସେଦିନ ମତେ ଅପମାନ ଦେଲ ?

 

 

 

ବୀର

ଅଦ୍ୱୈତ ଆଗରେ ପୁଣି ତୁମକୁ ଅପମାନ ହେଇଗଲା !

 

 

 

ରମା

ହବ ନାହିଁ ! ମୋ ସମ୍ବନ୍ଧରେ ତାଙ୍କର କେତେ ଉଚ୍ଚ ଧାରଣା ଥିଲା ।

 

 

 

ବୀର

ଓ, ତୁମେ ତେବେ ଚାହିଁଥିଲ, ଅଦ୍ୱୈତ ଆଗରେ ତୁମ ରୂପ ଗୁଣର ପ୍ରଶଂସା ? ସେ ପ୍ରଶଂସା ଶୁଣି ଅଦ୍ୱୈତ ତୁମକୁ ଅତି ଉଚ୍ଚରେ ଦେଖିଥାନ୍ତା । ଆଉ ସେ କଥା ଜାଣି ତୁମେ ଆତ୍ମପ୍ରସାଦ ଲାଭ କରିଥାନ୍ତା । ତା ପ୍ରତି ଏ ପ୍ରକାର ହଠାତ୍‌ ମମତାର କାରଣ କ’ଣ ରମା ? କାହିଁକି ତୁମେ ଅନବରତ ତାର ପ୍ରଶଂସା କରୁଥାଅ ? ତୁମ ସ୍ୱାମୀର ଦୁର୍ଗୁଣ ବାଛି, ତାର ପ୍ରଶଂସା କରିବାରେ ଏତେ ଆନନ୍ଦ ଆସେ କାହିଁକି ?

 

 

 

ରମା

ଇସ୍‌, ତୁମେ ଏତେ mean, ଏତେ ନୀଚ !

 

 

 

ବୀର

ତୁମ ନିଜର ରୂପ ଆଜି ମୋଠି ଦେଖିପାରୁଚ । ତୁମ ମନର ଦୁର୍ଭାବନା ଆଜି ତୁମକୁ ଭୟ ଦେଖାଉଚି । ତୁମ ମନର ବିଷ ଆଜି ତୁମକୁ ଅସ୍ଥିର କରୁଚି ।

 

 

 

ବୃଷ

(ପ୍ରବେଶ) ହଉ ମୁଁ ବାହାରିଲି । ନାଚଟି ବେଶ୍‌ ଲାଗିଲା । ଯାହା ହେଉ କଳ୍ପନା ଦେବୀ ମନଟା ଖୁସି କରିଦେଇଛନ୍ତି । ଆରେ ଅସଲ କଥା ଭୁଲି ଯାଉଥିଲି । ତୁମକୁ ଧନ୍ୟବାଦ ଜଣେଇଦେବାକୁ ଘନବାବୁ କହିଛନ୍ତି । ତାପରେ ସେ ନିଜେ ଆସିବେ ।

 

 

 

ବୀର

କଥା କ’ଣ ବୃଷ ଭାଇ ?

 

 

 

ବୃଷ

ବାପଘରକୁ ଯିବାପାଇଁ ତୁମେ ରମାଦେବୀଙ୍କୁ ଅନୁମତି ଦେଇଥିବାରୁ ସେ ଭାରି ଖୁସି ହୋଇଛନ୍ତି । ସବୁ କଥା ଭୁଲି ରମାକୁ ପୁଣି ଥରେ ସେଠିକି ପଠାଇଲ ବୋଲି ସେ ତୁମର ଭୂରି ଭୂରି ପ୍ରଶଂସା କରୁଛନ୍ତି । ଆଚ୍ଛା ବେଶ୍‌, ମୁଁ ତାହାହେଲେ ଆସେ । (ରମା ମୁହଁ ପୋତି ବସିଥିଲେ) (ପ୍ରସ୍ଥାନ)

 

 

 

ବୀର

(ବୃଷଭାନୁଙ୍କୁ ବଳେଇଦେଇ ଆସି) ତୁମେ ତା’ହେଲେ ତୁମ ଘରକୁ ଯାଇଥିଲ, ନା ? ବେଶ୍‌—ଏଣିକି ଯାଅ । ମୁଁ ବାଧା ଦେବି କାହିଁକି ? ସ୍ୱୟଂ ମହାଦେବ ତ ପାରି ନ ଥିଲେ, ମୁଁ ବା କି ଛାର । ମହାଦେବଙ୍କ ଘରଣୀ ସତୀ ସ୍ୱାମୀ ନିନ୍ଦା ସହି ପାରିଲେ ନାହିଁ । କିନ୍ତୁ ତୁମେ—ସ୍ୱାମୀ ନିନ୍ଦା ଶୁଣି ଆନନ୍ଦ ମନରେ ଘରକୁ ଫେରିଲ । ଏହା ହେଉଛି ତୁମର ବିଶେଷତ୍ୱ ।

 

 

 

ରମା

ହଁ, ସତୀଙ୍କ ମରଣ ଦେଖି ମହାଦେବ ପାଗଳ ହୋଇଗଲେ । ସତୀଙ୍କ ମଲା ଦେହଠୁଁ ତାଙ୍କୁ ଅଲଗା ରଖିବାପାଇଁ ସୁଦର୍ଶନ ଚକ୍ରର ଦରକାର ପଡ଼ିଲା । କିନ୍ତୁ ତୁମେ ଚାହୁଁଛ ମୋର ମରଣ । ଆଉ ୟାପରେ ତୁମେ ଗଢ଼ିବ ନୂଆ ସଂସାର । ସୁଗାୟିକା ପତ୍ନୀର କଣ୍ଠସଙ୍ଗୀତ ଶୁଣି ଜୀବନ ତୁମର ଆନନ୍ଦରେ କଟିଯିବ । ଏ କ’ଣ ତୁମର ବିଶେଷତ୍ୱ ନୁହେଁ ?

 

 

 

ବୀର

ରମା ! ଆଜିଯାଏ ତୁମକୁ ନାରୀ ବୋଲି ମନେ କରିଥିଲି । ତୁମ ନାରୀସୁଲଭ ରୋଷ ଅଭିମାନର ମୂଲ୍ୟ ଅଛି ବୋଲି ଭାବିଥିଲି । କିନ୍ତୁ ଆଜି ବୁଝୁଛି ଯେ ତୁମେ ଗୋଟାଏ ପଶୁ । ଗୋଟାଏ ସୟତାନି ମନୋଭାବ ନେଇ ତୁମେ ଜନ୍ମ ହେଇଛ ।

 

 

 

ରମା

କିନ୍ତୁ ତୁମେ ? ପତ୍ନୀ ଆଗରେ ଛଳନା ଆଉ ଅଭିନୟ କରି ବି ତୁମେ ଉଦାର, ମହତ୍‌ ସୁପୁରୁଷ । ଦୁନିଆ ଆଗରେ ଛାତି ଫୁଲେଇ ବାଟ ଚାଲିବା ପାଇଁ ତୁମେ ଆଜି ବେଶ୍‌ ସମର୍ଥ ହୋଇଛ ।

 

 

 

ବୀର

ଚୁପ୍‌କର ରମା, ଚୁପ୍‌କର । (ଜୋରରେ ବାହାରିଗଲେ) ।

 

୪ର୍ଥ ଦୃଶ୍ୟ

 

(ଜୀବନେଶ୍ୱର ଗୀତ ଗାଇ ବହି ବିକୁଥିଲେ । ଏହି ସମୟରେ ବୃଷଙ୍କର ପ୍ରବେଶ । ଜୀବନେଶ୍ୱର ନମସ୍କାର କଲେ ବି ବୃଷ ଉପରକୁ ଚାହିଁ କ’ଣ ଭାବୁଥିଲେ)

 

ଜୀବ

କ’ଣ ଭାବୁଛନ୍ତି ଆଜ୍ଞା ?

 

 

 

ବୃଷ

ଭାବୁଛି, ଦାଢ଼ି ରଖିବି ।

 

 

 

ଜୀବ

ଆଜ୍ଞା, ସେଗୁଡ଼ାକ କାହିଁକି ମୁହଁରେ ସ୍ଥାନ ଦେବେ ? ଆପଣଙ୍କର ଏ ମସୃଣ ଗଣ୍ଡଦେଶରେ ଟାଆଁସା ଦାଢ଼ିଗୁଡ଼ା କ’ଣ ସୁନ୍ଦର ଦିଶିବ ?

 

 

 

ବୃଷ

ନିଶ୍ଚୟ ଦିଶିବ ।

 

 

 

ଜୀବ

ହଉ ତେବେ ଦିଶୁ, ତଥାପି....

 

 

 

ବୃଷ

No ତଥାପି । What ତଥାପି ? ଦାଢ଼ି କେବେହେଲେ ମୁହଁକୁ ଅସୁନ୍ଦର କରେନା । ପଞ୍ଜାବୀ ଯୁବକମାନଙ୍କୁ ଦେଖିଛ ତ ?

 

 

 

ଜୀବ

ଦେଖିଛି ।

 

 

 

ବୃଷ

ଦାଢ଼ିକୁ ସଜେଇ ଜାଣିଲେ ହେଲା । ବୁଝିଲ ଜୀବନେଶ୍ୱର, ଏଇ ଦାଢ଼ି ରଖି ବ୍ରହ୍ମା ପିତାମୟ ବୋଲାଉଥିଲେ । ପୁରାଣଯୁଗଠାରୁ ଆରମ୍ଭ କରି ଆଧୁନିକ ଯୁଗ ପର୍ଯ୍ୟନ୍ତ ଏଇ ଦାଢ଼ି ଜରିଆରେ ବହୁତ ମହାପୁରୁଷ ମାହାତ୍ମ୍ୟ ଦେଖାଇଅଛନ୍ତି । ଓଡ଼ିଶା ଦେଶର ବଣମାଳତୀ ବୃଷଭାନୁ ଦାସ ଆଜି ଠିକ୍‌ ସେଇ ଉଦ୍ଦେଶ୍ୟରେ ଦାଢ଼ି ରଖିବାପାଇଁ ମନସ୍ଥ କରିଅଛନ୍ତି ।

 

 

 

ଜୀବ

ଆପଣ ଠିକ୍‌ କରିଛନ୍ତି ସାର୍‌! ଦାଢ଼ିର ମହିମା ନ ଜାଣି ମୁଁ ତାର ମୁର୍ଦାବାଦ୍‌ କରୁଥିଲି । କିନ୍ତୁ ଦେଶରେ ତାର ଆଦର ବଢ଼ିବା ଜାଣି ଏଣିକି ତାର ଜିନ୍ଦାବାଦ କରିବି । ହଁ ସାର୍‌ ! ମୁଁ ଶୁଣୁଛି ଏଣିକି ମକଦ୍ଦମା କୁଆଡ଼େ ଆଉ ହବ ନାହିଁ । ଆପଣଙ୍କ ଭବିଷ୍ୟତ୍‌ ପନ୍ଥା କ’ଣ ଆଜ୍ଞା ?

 

 

 

ବୃଷ

କିଏ କହିଲା ? ମକଦ୍ଦମା ହବ ନାହିଁ ବୋଲି ତୁମେ ଭାବୁଚ କାହିଁକି ?

 

 

 

ଜୀବ

ଆଜ୍ଞା, ଦେଶ ସାରା ବଡ଼ ବଢ଼ି ହୋଇ ଲୋକଙ୍କ ସମ୍ପତ୍ତି-ବାଡ଼ି ସବୁ ଗଲା । ମକଦ୍ଦମା ଲଢ଼ିବାକୁ ତାଙ୍କର ଆଉ ବଳ କାହିଁ ?

 

 

 

ବୃଷ

ବଢ଼ି ହେଲା ବୋଲି ତ ମକଦ୍ଦମା ବେଶି ହେବ ।

 

 

 

ଜୀବ

କିମିତି ଆଜ୍ଞା ?

 

 

 

ବୃଷ

ଆରେ ବୁଝୁନ, କେତେକ ଗରିବ-ଗୁରୁବାଙ୍କ ଘର ସିନା ଭାସିଗଲା, କିନ୍ତୁ ଗାଁ ଟାଉଟରଙ୍କ ହାତ ତେଲିଆ ହୋଇଗଲା, ସହରୀ ମହାଜନଙ୍କ ପେଟ ଆହୁରି ଓହଳି ପଡ଼ିଲା । ଲୁଗା ଗାଣ୍ଠି, ଚାଉଳ ବସ୍ତା ତାଙ୍କ ଘରେ ଢିଲ୍‌ ହୋଇଗଲା । ପାଖରେ ଯୋଉ ପଇସା ରହିଲା ସେଇ ପରା କଚେରୀକୁ ଟାଣି ଆଣିବ । ଧୋଇ ମରୁଡ଼ି ହେଲେ ମକଦ୍ଦମା ଆହୁରି ବଢ଼ିବ ।

 

 

 

ଜୀବ

ସତେ ? ହେ ପ୍ରଭୁ ! ତା’ହେଲେ ଏ ବଢ଼ିଟାକୁ ଟିକେ ବ୍ୟାପକ କରିଦିଅ ।

 

 

 

ବୃଷ

ଆହୁରି ବଢ଼ି ହେବ ଜୀବନେଶ୍ୱର । ମାଳିକା ପରା କହିଚି—‘‘ଦଳେଇ ଚିତଳ, ଆଉ ବଉଳା କୁମ୍ଭୀର’’ ପରା ଶାରଳା ଦର୍ଶନକୁ ଯାଉଛନ୍ତି ।

 

 

 

ଜୀବ

ଯାଆନ୍ତୁ । ଭଲ ଭାବରେ ବଢ଼ି ହେଉ । ଲୋକଙ୍କ ହାତ ତେଲିଆ ହଉ । ମକଦ୍ଦମା ବଢ଼ୁ ଆପଣଙ୍କର ଉନ୍ନତି ହେଉ । ଆପଣଙ୍କ ସହାୟତାରେ ମୋର ବି ଉନ୍ନତି ହେଉ । କିନ୍ତୁ ସାର୍‌ ଆପଣ ଗୋଟାଏ ଭୁଲ କରିଦେଲେ ।

 

 

 

ବୃଷ

କି ଭୁଲ ?

 

 

 

ଜୀବ

ଆଜ୍ଞା, ନେତା ହେବା ପାଇଁ, ଆଉ ନାମ ଅର୍ଜିବା ପାଇଁ ଏ ବଢ଼ି ଗୋଟାଏ ବଢ଼ିଆ ସୁଯୋଗ ଯୋଗାଇଥିଲା । ଆପଣ ସେ ସୁଯୋଗ ନେଲେ ନାହିଁ ଆଜ୍ଞା !

 

 

 

ବୃଷ

କ’ଣ ତା’ହେଲେ କରିଥାନ୍ତି ?

 

 

 

ଜୀବ

ବଢ଼ି ଅଞ୍ଚଳକୁ ଯାଇ ଟିକେ ଦେଖି ଆସି, ସମାଜ କିମ୍ବା ପ୍ରଜାତନ୍ତ୍ରରେ ଗୋଟାଏ ପତ୍ର ପ୍ରକାଶ କରି ଦେଇଥାନ୍ତେ, ତା’ପରେ ଆସେମ୍ବ୍‍ଲି ମେମ୍ବର ହେବା ପାଇଁ ଠିଆ ହେଇ ଯାଇଥାନ୍ତେ ।

 

 

 

ବୃଷ

ଏ କ’ଣ ସମ୍ଭବ ହୋଇଥାନ୍ତା, ଜୀବନେଶ୍ୱର ?

 

 

 

ଜୀବ

ନିଶ୍ଚୟ ହୋଇଥାନ୍ତା । ଜୀବନରେ ଏପରି ସୁଯୋଗକୁ ଛାଡ଼ିବା କଥା ନୁହେଁ ।

 

 

 

ବୃଷ

କିନ୍ତୁ ଏ କଥା ମତେ କହିଛି କିଏ ? ଜୀବନରେ ସୁଯୋଗ ପରେ ସୁଯୋଗ ଛାଡ଼ି ଆଜି ମୁଁ ବଣମାଳତୀ । ଟିକିଏ ଆଗରୁ ପଦାକୁ ବାହିରିଥିଲେ ମୁଁ କ’ଣ ଆଜି ଏମ୍‌.ଏଲ.ଏ. ହୋଇ ନ ଥାନ୍ତି ?

 

 

 

ଜୀବ

ଆସେମ୍ବ୍‍ଲିରେ ଆପଣଙ୍କଠାରୁ ଆଉ କେହି କ’ଣ ବେଶି କହି ପାରନ୍ତେ ?

 

 

 

ବୃଷ

ପ୍ରକୃତରେ ବୁଦ୍ଧିଆ ପିଲା ତୁମେ ଜୀବନେଶ୍ୱର । ତୁମେ ମତେ ଚିହ୍ନି ପାରିଲ, ଅଥଚ ଦେଶ ଚିହ୍ନିଲା ନାହିଁ, ଜାତି ଜାଣିଲା ନାହିଁ ।

 

 

 

ଜୀବ

ଚିହ୍ନିବ, ନିଶ୍ଚୟ ଜାଣିବ । ମହାପୁରୁଷମାନଙ୍କୁ ପ୍ରଥମେ ଲୋକ ଚିହ୍ନି ପାରନ୍ତି ନାଇଁ, କିନ୍ତୁ ତାଙ୍କର ମୃତ୍ୟୁ ପରେ ଦେଶ ତାଙ୍କୁ ଝୁରି ହୁଏ ।

 

 

 

ବୃଷ

ମୃତ୍ୟୁ ପରେ ଦେଶ ମତେ ଝୁରି ହେବ ବୋଲି, କେହି ଯଦି ମତେ ଗ୍ୟାରେଣ୍ଟି ଦିଅନ୍ତା ଜୀବନେଶ୍ୱର, କାଲି ସକାଳେ ମୁଁ ଆତ୍ମହତ୍ୟା କରନ୍ତି । ଏ ଆତ୍ମହତ୍ୟା ଅତି ମହତ, ଅତି ପବିତ୍ର ହୋଇଯା’ନ୍ତା । କିନ୍ତୁ ସେ ଗ୍ୟାରେଣ୍ଟି ଦବ କିଏ ?

 

 

 

ଜୀବ

ମୃତ୍ୟୁ କଥା ଆପଣ ଚିନ୍ତା କରନ୍ତୁ ନାହିଁ ଆଜ୍ଞା ! ଜୀବଦ୍ଦଶାରେହିଁ ଆପଣ ସମ୍ମାନ ପାଇବେ ।

 

 

 

ବୃଷ

ସତ କହୁଚ ଜୀବନେଶ୍ୱର !

 

 

 

ଜୀବ

ଏଥିରେ ମିଛ ନାହିଁ ଆଜ୍ଞା ! ଆପଣ ତ ଜ୍ୟୋତିଷ । ନିଜ ଜାତକ ଆହୁରି ଭଲ କରି ଦେଖନ୍ତୁ ! ପ୍ରତିଭା ପୂଜାର ବେଳ ଆସୁଛି ।

 

 

 

ବୃଷ

ତୁମେ ଅଣ୍ଟାଭିଡ଼ି ବାହାରିଲେ, ମୋର ପ୍ରକୃତ ମୂଲ୍ୟ ଦେବାକୁ ଦେଶ ଶିଖନ୍ତା-

 

 

 

ଜୀବ

ଏ ସବୁ କଥା ମୁଁ ଚାହୁଁଛି ଆଜ୍ଞା ! କିନ୍ତୁ କାମ କରିବାକୁ ମାନେ ପ୍ରେରଣା ଆଉ ମିଳୁ ନାହିଁ ।

 

 

 

ବୃଷ

କେଉଁଥିରେ ତୁମର ପ୍ରେରଣା ଆସିବ ଜୀବନେଶ୍ୱର ?

 

 

 

ଜୀବ

ଜାଣି ସୁଦ୍ଧା ଆପଣ ଏମିତି ଅଜଣା ହେଉଛନ୍ତି ? ପ୍ରେରଣା କିଏ ଦେଇପାରେ, ଆପଣଙ୍କୁ କ’ଣ ମାଲୁମ ନାହିଁ । ଯୁଗ ଯୁଗ ଧରି ପୁରୁଷକୁ ପ୍ରେରଣା ଦେଇ ଆସିଛି ସେଇ ନାରୀ । ତାର ଅନୁପସ୍ଥିତିରେ, ଜୀବନ-ନଈଟା ଶୁଖିଗଲା ବୃଷବାବୁ, ସେଥିରେ ବଢ଼ି ତ ଦୂରର କଥା—ଫୁଟେ କି ଦୁଇ ଫୁଟ ପାଣି ବି ସେଥିରେ ହେଲା ନାହିଁ ।

 

 

 

ବୃଷ

ଧୈର୍ଯ୍ୟ ଧର—ମୁଁ ତାର ବନ୍ଦୋବସ୍ତ କରୁଚି ।

 

 

 

ଜୀବ

ଆଉ କେତେ ଦିନ ଆଜ୍ଞା । ହାତରେ କିଛି ପଇସା ହେଲା । ମନଟା ଟିକେ ଖୁସି ହେଲା ବେଳକୁ ପ୍ରିୟା ବିରହରେ ପୁଣି ମନ ଖରାପ ହୋଇଯାଉଛି । ଜୀବନଟା ମୋର ଗୁଡ଼ାଖୁ ହୋଇଗଲା ଆଜ୍ଞା । ଏଥିରେ ଅତର ବାସନା ସଙ୍ଗେ ସଙ୍ଗେ କଡ଼ା ଗନ୍ଧ ବି ଅଛି ।

 

 

 

ବୃଷ

ଜୀବନଟା ଗୋଲାପ ଫୁଲ ପରି ମହକି ଉଠିବ । ତୁମକୁ ସେ କଥା ଦେଖେଇ ଦେବାର ବନ୍ଦୋବସ୍ତ କରିଦେବି । ଠିକ୍‌ ତୁମର ମନଲାଖି ପ୍ରିୟା ତୁମେ ପାଇବ ଜୀବନେଶ୍ୱର ।

 

 

 

ଜୀବ

ଆପଣଙ୍କ ତୁଣ୍ଡରେ ଫୁଲ ଚନ୍ଦନ ବୃଷ୍ଟି ହେଉ ବୃଷବାବୁ । ଜୀବନ ପିଠା ମୋର ଖୁବ୍‌ ଶୀଘ୍ର ମିଠା ହେଇଯାଉ । (ଦୁହିଙ୍କର ପ୍ରସ୍ଥାନ)

 

୫ମ ଦୃଶ୍ୟ

 

[ବୀର ବାବୁଙ୍କ ଘର । କଳ୍ପନା ଦେବୀ ବସିଥିଲେ । ଏହି ସମୟରେ ଅଦ୍ୱୈତଙ୍କ ପ୍ରବେଶ-। ଅଦ୍ୱୈତଙ୍କୁ ଦେଖି କଳ୍ପନା ଉଠି ଠିଆ ହେଲେ ।]

କଳ୍ପନା

ନମସ୍କାର ।

 

 

 

ଅଦ୍ୱୈତ

ନମସ୍କାର । ବୀର, ରମାଦେବୀ ଏମାନେ ସବୁ କାହାନ୍ତି ?

 

 

 

କଳ୍ପନା

ବାହାରକୁ ଯାଇଛନ୍ତି । ବର୍ତ୍ତମାନ ଆସିବେ, ବସନ୍ତୁ ।

 

 

 

ଅଦ୍ୱୈତ

ବାସ୍ତବିକ ଆପଣଙ୍କ ନୃତ୍ୟକଳ୍ପନା ସେ ଦିନ ମତେ ଖୁବ୍‌ ଭଲ ଲାଗିଥିଲା । ସୁବିଧା ସୁଯୋଗ ପାଇଲେ ଆପଣ ସୁନାମ ଅର୍ଜି ପାରିବେ ।

 

 

 

କଳ୍ପନା

ଆପଣମାନଙ୍କର ଶୁଭେଚ୍ଛା ଥିଲେ, ଜୀବନଟା ମୋର ସେଇ କଳା ଚର୍ଚ୍ଚାରେ ବିତିଯିବ ।

 

 

 

ଅଦ୍ୱୈତ

ଗୋଟେ କଥା ପଚାରିବି କିଛି ମନେ କରିବେ ନାହିଁ ?

 

 

 

କଳ୍ପନା

କୁହନ୍ତୁ ନା, ମନେ କରିବି କାହିଁକି ? ସବୁ କଥାକୁ ସହଜ ଭାବରେ ଗ୍ରହଣ କରିବାକୁ ମୁଁ ପିଲାଦିନୁ ଶିଖିଚି ।

 

 

 

ଅଦ୍ୱୈତ

ସେ ତ କଳାକାରର ଲକ୍ଷଣ । ହଁ, ବୀର କହୁଥିଲା ଯେ ଚିରକୁମାରୀ ରହିବାକୁ ଆପଣ ଠିକ୍‌ କରିଛନ୍ତି । ଏ କଥା କ’ଣ ସତ ?

 

 

 

କଳ୍ପନା

ସତ ।

 

 

 

ଅଦ୍ୱୈ

ବିବାହିତ ଜୀବନରେ କ’ଣ କଳା ଚର୍ଚ୍ଚା ହୋଇ ପାରେନା ?

 

 

 

କଳ୍ପନା

ହେଇପାରେ । କିନ୍ତୁ ସ୍ୱାମୀ, ସ୍ତ୍ରୀ ଉଭୟେ କଳାକାର ହୋଇଥିବା ଦରକାର । ଏ କଥା ନ ହେଲେ କଳାଚର୍ଚ୍ଚା ଅସମ୍ଭବ ହେଇ ଉଠେ । ଜଣକର କଳାପ୍ରାଣତାକୁ ଅନ୍ୟ ଜଣେ ବୁଝି ନ ପାରିଲେ, ବିବାହିତ ଜୀବନରେ କଳାର ବିକାଶ ହୋଇ ପାରେନା ।

 

 

 

ଅଦ୍ୱୈତ

ଆପଣ ତା’ହେଲେ ଜଣେ କଳାକାରକୁ ବିବାହ କରିବାକୁ ଚାହାନ୍ତି ?

 

 

 

କଳ୍ପନା

ସିମିତି ଗୋଟାଏ ସ୍ୱପ୍ନ ମୁଁ ଦେଖୁଥିଲି ଅଦ୍ୱୈତବାବୁ, କିନ୍ତୁ—

 

 

 

ଅଦ୍ୱୈତ

କିନ୍ତୁ କ’ଣ କଳ୍ପନାଦେବୀ ?

 

 

 

କଳ୍ପନା

ଆଜି ସ୍ୱପ୍ନ ମୋର ଭାଙ୍ଗି ଯାଇଛି । ବାସ୍ତବ ଜଗତକୁ ଫେରି ଆସିବା ପାଇଁ ମୁଁ ବାଧ୍ୟ ହୋଇଛି ।

 

 

 

ଅଦ୍ୱୈତ

ଆଚ୍ଛା କହନ୍ତୁ ତ କଳ୍ପନା ଦେବୀ, କଳାକାର ନ ହୋଇ ବି ଆପଣଙ୍କର ସ୍ୱାମୀ ଯଦି ଭବିଷ୍ୟତ ଜୀବନରେ ଆପଣଙ୍କୁ କଳାଚର୍ଚ୍ଚା କରିବା ପାଇଁ ସୁଯୋଗ ଦିଅନ୍ତି, ସିଏ ଯଦି ଆପଣଙ୍କର ହୃଦୟ ବୁଝନ୍ତି, ତେବେ କ’ଣ ବିବାହ କରିବାକୁ ଆପଣ ଆପତ୍ତି କରିବେ ?

 

 

 

କଳ୍ପନା

ଆପତ୍ତି କରିବି ନାହିଁ—ବିବାହକୁ ମୁଁ ଘୃଣା କରେନା । ଜୀବନରେ ତାର ମୂଲ୍ୟ ମୁଁ ବୁଝେ । କିନ୍ତୁ ଜଣେ ଉଦାର ଆଉ ହୃଦୟବାନ୍‌ ବ୍ୟକ୍ତିଙ୍କ ହାତ ଧରିବା ସେତେ ସହଜ ନୁହେଁ । ଟିକେ ଅପେକ୍ଷା କରନ୍ତୁ ମୁଁ ଚାହା ଆଣେ ।

 

 

 

ଅଦ୍ୱୈତ

ନା, ଥାଉ, ଗୋଟାଏ ନିତାନ୍ତ ଜରୁରୀ କାମ ଅଛି, ପରେ ପୁଣି ଆସିଲେ ଆପଣଙ୍କ ହାତରୁ ଚାହା ଖାଇବି । ହଁ, ରମାଦେବୀ ତ ଅନେକ ଥର ଆମ ଘରକୁ ଗଲେଣି—ଆପଣଙ୍କ ପାଦ କ’ଣ ସେଠି କେବେହେଲେ ପଡ଼ିବ ନାହିଁ କଳ୍ପନା ଦେବୀ !

 

 

 

କଳ୍ପନା

(ହସି) ମତେ କ’ଣ କେବେ ନିମନ୍ତ୍ରଣ କରିଛନ୍ତି ?

 

 

 

ଅଦ୍ୱୈ

ନିମନ୍ତ୍ରଣ କଲେ ଯିବେ ତ ?

 

 

 

କଳ୍ପନା

କାହିଁକି ଯିବିନି, ପରୀକ୍ଷା କରନ୍ତୁ ନା ।

 

 

 

ଅଦ୍ୱୈ

ଆଚ୍ଛା ସେଇ ଅପେକ୍ଷାରେ ରହିଲି । ହଁ, ସେମାନଙ୍କୁ ମୋ ଆସିବା କଥା ନିଶ୍ଚେ କହିଦେବେ । (ଅରୁନ୍ଧତୀଙ୍କ ପ୍ରବେଶ)

ଅରୁ

ବୀର ଏ ପର୍ଯ୍ୟନ୍ତ ଆସି ନାହିଁ ?

କଳ୍ପନା

ନା, ଅଦ୍ୱୈତବାବୁ କେତେବେଳୁ ଆସିଲେଣି । କିନ୍ତୁ ସେ ଏ ପର୍ଯ୍ୟନ୍ତ ଆସି ନାହାନ୍ତି ।

ଅରୁ

ସେ ବୋହୂଟାର ଭଲା ଟିକେ ଦେଖା ଅଛି ? ଗେରସ୍ତଟା କଚେରୀରୁ ଫେରିବ, କ’ଣ ଖାଇବ, କ’ଣ କରିବ, ସେ ବିଷୟ ଟିକେ ହେଲେ ବୁଝୁଛି ନା । ଛି—ଛି—ବୀର ଶେଷରେ ଏଇ ନିଆଁଲାଗୀଟାକୁ ବାଛିଲା ! ତୋରି ଭଳି ବୋହୂଟିଏ ଭଲା ହୋଇଥାନ୍ତା ଆହା କି ସୁନ୍ଦର ମାନିଥାନ୍ତା ! ଯେମିତି ରୂପ, ସିମିତି ଗୁଣ ! ଛାଡ଼, ଭାଗ୍ୟ !

କଳ୍ପନା

(ଲାଜରା ହୋଇ) ତାଙ୍କର ରୂପ, ଗୁଣ ସବୁ ଅଛି, କିନ୍ତୁ ଟିକେ ଜିଦଖୋର ।

ଅରୁ

ଜିଦଖୋର ହେବା କ’ଣ ଭଲ । କିଲୋ ମାଇକିନିଆ ଝିଅଟା ଏତେ ଫୁଲେଇ କ’ଣ ମ ? ଏଇକ୍ଷଣି ଯଦି ବୀର ରାଜି ହୁଅନ୍ତା, ତାକୁ ମୁଁ ତୋ’ରି ପରି ଝିଅ ସାଙ୍ଗରେ ବାହା ଦିଅନ୍ତି । ସେ ପୋଡ଼ାମୁହିଁ କୋଉ ଗାତକୁ ଯା’ନ୍ତା ମୁଁ ଟିକେ ଦେଖନ୍ତି । ଏ ଟୋକାଟା ତ ସିମିତିକା ନୁହେଁ । କରୁ ଯାହା କରୁଚି । ଯାଏଁ ଦେଖେ ସେଆଡ଼େ ପୂଜାରୀ କ’ଣ କଲା । (ଚାଲିଗଲା ପରେ ପରେ ବୀର ଆସିଲେ ।)

 

 

 

ବୀର

ରମା ଏ ପର୍ଯ୍ୟନ୍ତ ଆସି ନାହିଁ ।

 

 

 

କଳ୍ପନା

ନାଁ, ଗୀତ ଶିଖିବାରେ ତାଙ୍କର ମୋଟେ ମନ ନାହିଁ ! ଟିକିଏ ଯଦି ମନ ଦିଅନ୍ତେ—

 

 

 

ବୀର

ନା, ଆଉ ସେ ମନ ଦେବ ନାହିଁ । ପଦେ ପଦେ ସେ ମୋତେ ବାଧା ଦେବାକୁ ଚେଷ୍ଟା କରୁଛି । ମୋର ଅବାଧ୍ୟ ହେଇ ସେ ଆନନ୍ଦ ପାଉଚି । ସେ ଯେ କି ଉପାଦାନରେ ଗଢ଼ା ମୁଁ ବୁଝିପାରୁ ନାହିଁ ।

 

 

 

କଳ୍ପନା

ତାଙ୍କୁ ବୁଝେଇବା ପାଇଁ ମୁଁ ଖୁବ୍‌ ଚେଷ୍ଟା କରିଛି । କିନ୍ତୁ ସେ ବୁଝୁ ନାହାନ୍ତି ।

(ରମାଙ୍କ ପ୍ରବେଶ)

 

 

 

କଳ୍ପନା

ଏଇ ତ ରମାଦେବୀ ଆସିଗଲେଣି !

 

 

 

ବୀର

କଳ୍ପନା ! ବର୍ତ୍ତମାନ ତୁମର ସ୍କୁଲ ଆରମ୍ଭ କର ।

 

 

 

ରମା

ସବୁବେଳେ ସେଇ ସ୍କୁଲ । ଗୀତ ଶିଖିବା ଛଡ଼ା, ସତେ ଯେପରି ଜୀବନରେ ଆଉ କିଛି ନାହିଁ ! କେତେବେଳେ ଟିକିଏ ହସ ଖୁସି ବା ଦୁଃଖ ସୁଖ ହବାର ସୁଯୋଗ ନାହିଁ । ସବୁବେଳେ ସେଇ ଗୋଟାଏ ଦୁହା—ଗୀତ ଶିଖ ।

 

 

 

ବୀର

ହସ ଖୁସି ହବାର ସୁଯୋଗ ଆସୁଛି କେଉଠୁଁ ? ରାଗ ଅଭିମାନ କରି ତୁମେ ସବୁବେଳେ ମୋଠୁ ଦୂରେଇ ଯାଉଛ । କଚେରୀରୁ ଫେରିଲାବେଳେ ତୁମେ ଘରେ ନାହଁ । ଖାଇ ବସିଲା ବେଳେ ତୁମେ କାର୍ଯ୍ୟବ୍ୟସ୍ତ । କୁହ ତ ରମା, ସ୍ୱାମୀ ହିସାବରେ ଏ ସବୁ କ’ଣ ମୋର ପ୍ରାପ୍ୟ ? ତୁମକୁ ଗୀତ ଶିଖେଇବାକୁ ଚେଷ୍ଟା କରିବା କ’ଣ ମୋର ଅପରାଧ ?

 

 

 

ରମା

ଅପରାଧ କାହିଁକି ହବ ? ତୁମେ ଯେ ବଡ଼ଲୋକ, ବଡ଼ଲୋକଙ୍କ ଦୋଷ କ’ଣ କେବେ କାହାରି ଆଖିରେ ପଡ଼ିବ ?

 

 

 

ବୀର

ଅଭିମାନରେ ସମାଧାନ ହୋଇ ପାରେନା ରମା । କୁହ ତୁମେ କ’ଣ ଚାହଁ ?

 

 

 

ରମା

ମୁଁ ଗୀତ ବୋଲି ପାରିବି ନାହିଁ । କାହିଁକି ମିଛରେ କଳ୍ପନା ଦେବୀଙ୍କି ତୁମେ ହଇରାଣ କରୁଛ ?

 

 

 

କଳ୍ପନା

ରମାଦେବୀ ! ଗୀତ ସିନା ତୁମେ ଗାଇ ପାରିବ ନାହିଁ, କିନ୍ତୁ ଯନ୍ତ୍ର-ସଙ୍ଗୀତ ଶିଖିବାରେ କ’ଣ ଅଛି ? ଖୁବ୍ ଅଳ୍ପ ସମୟ ଭିତରେ ତୁମେ ବେହେଲା ଶିଖି ପାରିବ । ସତରେ ବୀରବାବୁ...

 

 

 

ବୀର

ଗୀତ ଶିଖିବା ତା’ହେଲେ ବନ୍ଦ ହେଉ । ଆଜିଠୁ ତୁମେ ବେହେଲା ଶିଖେଇବା ଆରମ୍ଭ କର ।

 

 

 

କଳ୍ପନା

ମୁଁ ତା’ହେଲେ ଯାଏଁ । ବେହେଲାଟାକୁ ସଜାଡ଼ି ସାରିବା ପରେ ରମାଦେବୀଙ୍କୁ ଡାକିବି (ପ୍ରସ୍ଥାନ) ।

 

 

 

ରମା

(ବିରକ୍ତିରେ) କଳ୍ପନାଦେବୀ ତା’ହେଲେ ଯାଉ ନାହାନ୍ତି ?

 

 

 

ବୀର

ତୁମେ ବେହେଲା ଶିଖିବ ପରା !

 

 

 

ରମା

ହଁ, ପ୍ରଥମେ ବେହେଲା, ତା ପରେ ସୀତାର, ବୀଣା, କ୍ଳାରିଓନେଟ୍‌, ବଂଶୀ, ଇମିତି ପଛକୁ ପଛ ଶିଖା ଚାଲିବ । ଜୀବନଟାଯାକ କଳ୍ପନା ଦେବୀଙ୍କ ଛାତ୍ରୀ ହେଇ ମୁଁ ରହିବି । ସେ ଆଜ୍ଞା ଦେବେ, ଆଉ ମୁଁ ପାଳିବି ।

 

 

 

ବୀର

ତୁମେ ଯଦି ଶିଖିବାକୁ ଚାହିଁବ ସେ ନିଶ୍ଚୟ ଶିଖାଇ ଦେବେ ରମା ! କଳା ଚର୍ଚ୍ଚାରେ ତାଙ୍କର ଆନନ୍ଦ । ସେଥିପାଇଁ ବିବାହ କରିବାକୁ ସେ ଚାହାନ୍ତି ନାହିଁ-

 

 

 

ରମା

ଏଇଠି ରହି ସେ ଖୁବ୍‌ ଆନନ୍ଦ ପାଇବେ । ତୁମର ପ୍ରଶଂସା, ଆଉ ମୋର ଭକ୍ତି ଏ ପରିବାରରେ ତାଙ୍କୁ ଖୁବ୍‌ ଉଚ୍ଚ ଆସନ ଦେବ । ଏ ସୁଯୋଗ କେତେ ଜଣକୁ ମିଳେ ?

 

 

 

ବୀର

ସେଇଥି ପାଇଁ ତ ସେ ଏଠାକୁ ଆସିଛନ୍ତି ।

 

 

 

ରମା

ଯଦି ସୁଯୋଗ୍ୟ ପାତ୍ର ମିଳନ୍ତି ସେ ବିବାହ କରିବେ ନାହିଁ ?

ବୀର

ପାତ୍ର ଠିକ୍‌ କରିଛ ନା କ’ଣ ?

ରମା

ଅଦ୍ୱୈତ ବାବୁ ସୁଯୋଗ୍ୟ ପାତ୍ର ।

ବୀର

ଓ (ହସିଲେ) । ଅଦ୍ୱୈତ ସାଙ୍ଗରେ ତା’ହେଲେ ତୁମର ରୀତିମତ ଆଲୋଚନା ହୋଇ ଯାଇଛି ।

ରମା

କଳ୍ପନାଦେବୀଙ୍କୁ ବିବାହ କରିବାକୁ ଅଦ୍ୱୈତ ବାବୁଙ୍କର କିଛି ଆପତ୍ତି ନାହିଁ । ଅଦ୍ୱୈତ ବାବୁଙ୍କ ପରି ହୃଦୟବାନ୍‌ ବ୍ୟକ୍ତିଙ୍କୁ ପାଇଲେ କଳ୍ପନାଦେବୀ ନିଶ୍ଚୟ ସୁଖୀ ହେବେ । ସେ କାହିଁକି ଆପତ୍ତି କରିବେ ?

ବୀର

ଅଦ୍ୱୈତ କଳାକାର ନୁହେଁ, ନିରାଟ ବାସ୍ତବବାଦୀ ସେ । କଳ୍ପନା ପରି କଳାକାରକୁ ପାଇ ସେ ସୁଖୀ ହୋଇ ପାରିବ ନାହିଁ ।

ରମା

ଏଗୁଡ଼ା ସବୁ ତୁମ ମନର କଥା ।

ବୀର

ରମା ! କଳ୍ପନାକୁ ତଡ଼ିଦେବାକୁ ତାହାହେଲେ ତୁମେ ଯୋଜନା ଆରମ୍ଭ କରି ସାରିଲଣି ?

ରମା

ତାଙ୍କୁ ତଡ଼ିଦେବା ବଳ ମୋର କାହିଁ ? ମୁଁ ଯଦି ସୁଗାୟିକା ହେଇଥାନ୍ତି—ତାହାହେଲେ ସେ ଆପେ ଆପେ ଚାଲି ଯାଇଥାନ୍ତେ । କିନ୍ତୁ ମୁଁ ତ ଗାଇ ଜାଣେନା । ସେଇ ଅଭାବ ପୂରଣ କରିବା ପାଇଁ ସେ ଆସିଛନ୍ତି । ସେ କାହିଁକି ଯିବେ ? ସତରେ ଯୋଜନା କରିବାରେ ତୁମେ ଖୁବ୍‌ ଧୁରନ୍ଦର ।

ବୀର

ପୁରୁଷ ଜାତି ବିଷୟରେ ତୁମର ଧାରଣା କ’ଣ ରମା ?

ରମା

ଏଇ ପୁରୁଷ ବାହାରକୁ କେଡ଼େ ସୁନ୍ଦର ! କେତେ ସରଳ—କଥା ତାର କେତେ ସରସ । କିନ୍ତୁ ଭିତରଟା ତାର କେତେ ଅପରିଷ୍କାର ! ଉପରେ ମିଠା କଥା କହି ଭିତରେ ଜହର ସାଇତି ରଖିବା ହେଲା ପୁରୁଷର ବୈଶିଷ୍ଟ୍ୟ ।

ବୀର

ନାରୀର ବୈଶିଷ୍ଟ୍ୟ ବିଷୟରେ କିଛି ହେଲେ ଭାବିନାହଁ ? ଚପଳ ଚାହାଣୀ, ଆଉ ମଧୁର ହସକୁ ପୁଞ୍ଜି କରି ସେମାନେ ଚାହାନ୍ତି ସ୍ୱାମୀକୁ ନିଜର ପଣତରେ ବାନ୍ଧି ରଖିବାକୁ । ସୌନ୍ଦର୍ଯ୍ୟ ଆଉ ଲାଳିତ୍ୟର ଅନ୍ତରାଳରେ ସେମାନେ ସାଇତି ରଖିଥାନ୍ତି ଅହଙ୍କାର ଆଉ ଅଭିମାନ । ଦେଖ ରମା, ପରସ୍ପର ପ୍ରତି ଆମେ ଯଦି ଏପରି ବାକ୍ୟବାଣ ପ୍ରୟୋଗ କରି ଚାଲିବା ତେବେ ସମାଧାନର ବାଟ ଫିଟି ପାରିବ ନାହିଁ ।

ରମା

ସମାଧାନର ଦରକାର କ’ଣ ?

ବୀର

ପୁରୁଷ ଆଉ ସ୍ତ୍ରୀ ଜାତିପାଇଁ ଓକିଲ ସାଜି ମକଦ୍ଦମା ଲଢ଼ିବାକୁ ଆମେ ବିବାହ କରି ନ ଥିଲେ ରମା । ଆମେ ବିବାହ କରିଥିଲେ ସୁଖଶାନ୍ତି ପାଇବା ପାଇଁ; ପରସ୍ପରର ସ୍ନେହ ସୁଆଗ ପାଇଁ, ଜୀବନକୁ ସରସ କରିବା ପାଇଁ । ମୋ ଉପରେ ଯେତେବେଳେ ତୁମର ରାଗ ଆସେ, ଅଭିମାନ ଆସେ, ଥରେ ଆମର ସେଇ ଅତୀତକୁ ମନେ ପକାଅ; ରମା । ଅତୀତର ସେଇ ପ୍ରଣୟ, ସେ ମମତା ଯଦି ଚିର ସବୁଜ ରହିବ, ତେବେ ଆମ ଜୀବନରେ କେବେହେଲେ ଅଶାନ୍ତି ଆସିବ ନାହିଁ । (ପକେଟରୁ ହାର କାଢ଼ି) ଦେଖିଲ ହାରଟା କିମିତି ହୋଇଛି ?

ରମା

ମୋର ମତାମତର ଦରକାର କ’ଣ ?

ବୀର

ବହୁତ ବାଛି ମୁଁ ତୁମ ପାଇଁ ଆଣିଛି, ଏଇଟା ଯଦି ତୁମର ପସନ୍ଦ ନ ହୁଏ ତେବେ ସେ ଫେରାଇ ନବାକୁ କହିଛି । ବଜାରକୁ ଯାଇ ତୁମେ ତୁମର ପସନ୍ଦ ଅନୁସାରେ ଆଣିବ । ପିନ୍ଧିଲ କିମିତି ଦିଶୁଛି ମୁଁ ଟିକେ ଦେଖେ ।

 

 

 

ରମା

ମୋର ତ ହାର ଦରକାର ନ ଥିଲା—ମୁଁ ବି ସେଥିପାଇଁ କହି ନ ଥିଲି ।

 

 

 

ବୀର

ଯେଉଁ ହାରଟା ପିନ୍ଧିଛ, ସେଇଟା ମୋ ଆଖିକୁ ସୁନ୍ଦର ଦିଶୁ ନାହିଁ । ନିଅ, ଏ ନୂଆଟା ପିନ୍ଧି ଦେଖ । ଆସ ମୁଁ ପିନ୍ଧେଇ ଦେଉଛି ।

 

 

 

ରମା

ନା ଥାଉ, ପିନ୍ଧେଇବା ଦରକାର ନାହିଁ । ଏଇ ହାରଟାରେ ମୋର ଚଳିଯିବ । ନୂଆ ହାରଟା ବରଂ ତୁମର ଭଉଣୀଙ୍କୁ ଦେଇ ଦିଅ । (ବୀରଙ୍କ ହାତକୁ ଠେଲିଦେଲେ)

 

 

 

ବୀର

ରମା !

 

 

 

ରମା

ଖରାପ ତ କିଛି କହି ନାହିଁ ! ହାର ପାଇଁ ମୁଁ କ’ଣ ରଙ୍କ ହୋଇଛି । ସେ ସିନା ପାଉ ନାହାନ୍ତି ଯେ...

 

 

 

ବୀର

ରମା ସେଦିନର ସାମାନ୍ୟ ଘଟଣାକୁ ତୁମେ ଏ ପର୍ଯ୍ୟନ୍ତ ଭୁଲି ପାରି ନାହଁ ? ଛି, ଆସ ମୁଁ ପିନ୍ଧେଇ ଦିଏ । (ପିନ୍ଧେଇଦବାକୁ ଗଲାବେଳେ ରମା ଘୁଞ୍ଚି ଠିଆହେଲା)

 

 

 

ରମା

ନାଁ ମୁଁ ପିନ୍ଧିବାକୁ ଚାହେଁନା । ଏ ସବୁ ପିନ୍ଧିବାକୁ ମୋର ଯୋଗ୍ୟତା ନାହିଁ—ମୁଁ ଗାଇ ଜାଣେନା, ମୁଁ କଳାକାର ନୁହେଁ ।

 

 

 

ବୀର

ପିନ୍ଧିବ ନାହିଁ ? (ରମାକୁ ଗମ୍ଭୀରଭାବେ ଚାହିଁ) ପିନ୍ଧିବାକୁ ତୁମେ ବାଧ୍ୟ । ତୁମେ ମୋର ସ୍ତ୍ରୀ, ମୋ ମନ ଅନୁସାରେ ତୁମକୁ ବେଶ ହେବାକୁ ପଡ଼ିବ ।

 

 

 

ରମା

ମୁଁ ତ ଯନ୍ତ୍ର ନୁହେଁ ଯେ କଳ ମୋଡ଼ିଦବା ମାତ୍ରେ ତୁମର ଉପଭୋଗ ପାଇଁ ପ୍ରସ୍ତୁତ ହୋଇଯିବି ! ମୁଁ ମଣିଷ, ମୋର ବି ଗୋଟାଏ ମନ ଅଛି; ସ୍ୱାଧୀନତା ଅଛି ।

 

 

 

ବୀର

Is it ? ସ୍ୱାଧୀନତା ନାମରେ ତୁମେ ଅନେକ କିଛି କରି ଯାଉଛ, Am I nobody in this house—ମୁଁ କ’ଣ ଏ ଘରର କେହି ନୁହେଁ ? ତୁମ ମନ ଇଚ୍ଛାରେ ତୁମେ ବୁଲି ବାହାରିବ; ଇଚ୍ଛାନୁସାରେ ମୋ ବନ୍ଧୁବାନ୍ଧବଙ୍କ ପ୍ରତି ଦୁର୍ବ୍ୟବହାର କରିବ । ମୋର ମାନ ସମ୍ମାନରେ ଆଘାତ ଆଣିବା ପାଇଁ ସବୁବେଳେ ଯତ୍ନ କରିବ; ଅଥଚ ମୁଁ କିଛି କହିବି ନାହିଁ, ନା ? No, no that can’t be—ସବୁଥିରେ ମୁଁ ହସ୍ତକ୍ଷେପ କରିବି । I shall surely [interfere]

 

 

 

ରମା

କାହିଁକି ?

 

 

 

ବୀର

କାରଣ ମୁଁ ତୁମର ସ୍ୱାମୀ । ମୋର ଆଦେଶ ତୁମକୁ ମାନିବାକୁ ହେବ । You have to obey my order.

 

 

 

ରମା

ନା-ନା, ତା ହୋଇ ପାରେ ନା ।

 

 

 

ବୀର

(ଟେବୁଲ ବାଡ଼େଇ) Shut up—

 

 

 

 

 

(ରମା ଚୁପ୍‌ ହୋଇଗଲେ ଓ ବୀର ବାହାରିଗଲେ ।)

 

 

 

ପୂଜାରୀ

(ପ୍ରବେଶ) ମା–ଚାହା ।

 

 

 

ରମା

ଥୋଇ ଦେ ।

 

 

 

ପୂଜାରୀ

ଶୀତଳ ହୋଇଯିବ ଯେ ।

 

 

 

ରମା

(ରାଗି କରି) ଯା କହୁଛି । (ପୂଜାରୀ ଚାଲିଗଲା) ମୋ ଜୀବନର ସବୁ ଆଶା ଆକାଂକ୍ଷା ଆଜି ଶୀତଳ ହେଇ ଯାଇଛି—ସାମାନ୍ୟ ଚା’ଟା ଶୀତଳ ହୋଇଗଲେ କ୍ଷତି କ’ଣ ?

 

 

 

କଳ୍ପନା

(ନୋଟେସନ୍‌ ଖାତା ଧରି) ଆସ ରମା ।

 

 

 

ରମା

କାହିଁକି ?

 

 

 

କଳ୍ପନା

ନୋଟେସନ୍‌ଟା ଆଗ ବତେଇ ଦେବି ।

 

 

 

ରମା

ଦରକାର ନାହିଁ ।

 

କଳ୍ପନା

ଛି, ବୀରବାବୁ ଅସନ୍ତୁଷ୍ଟ ହେବେ ।

 

ରମା

ବୀରବାବୁଙ୍କ ପାଇଁ ମୁଁ ଯେତେ ଭାବୁ ନାହିଁ ସେତେ ଭାବୁଛ ତୁମେ । ହଁ, କଳାକାର ପାଇଁ କଳାକାରର ଦରଦ ଖୁବ୍‌ ସ୍ୱାଭାବିକ ।

 

 

 

କଳ୍ପନା

(ଭାଙ୍ଗିପଡ଼ି) ରମାଦେବୀ !

 

 

 

ରମା

ଏତେ ଛଳନା କାହିଁକି ? କଥାଟା ଖୋଲିଦେଲେ ତ ଭଲ ହୁଅନ୍ତା । କଳା ନାମରେ ଏତେ ବ୍ୟଭିଚାର କାହିଁକି ?

 

 

 

କଳ୍ପନା

ଏ ସବୁ ତୁମେ କ’ଣ କହୁଛ ?

 

 

 

ରମା

ମତେ ଖୁବ୍‌ ବୋକା ବୋଲି ଭାବିଛ; କିନ୍ତୁ ମୁଁ ଏତେ ବୋକା ନୁହେଁ । ତୁମଠୁଁ ଢେର ବେଶି ପାଠ ମୁଁ ପଢ଼ିଛି ।

 

 

 

କଳ୍ପନା

ମୁଁ କ’ଣ ମନା କରୁଛି ।

 

 

 

ରମା

ମୋର ଶିକ୍ଷୟିତ୍ରୀ ହେବାର ଏତେ ଇଚ୍ଛା କାହିଁକି ? ତୁମର କି ଯୋଗ୍ୟତା ଅଛି ?

 

 

 

କଳ୍ପନା

କିନ୍ତୁ ସଙ୍ଗୀତ ବିଷୟରେ ତୁମଠୁଁ ଢେର ବେଶି ଯୋଗ୍ୟତା ଅଛି ।

 

 

 

ରମା

ହଁ, ସେଇଥିପାଇଁ ତ କଳାକାର ଶ୍ରୀ ବୀରକିଶୋର ଦାସ ଆଜି ପାଗଳ ।

 

 

 

କଳ୍ପନା

ରମାଦେବୀ !

 

 

 

ରମା

ଯାଅ—ଚାଲିଯାଅ ମୋ ଆଗରୁ—କାହିଁକି ସେ ଖାତାଟା ଏଠିକି ଆଣିଛ ? ଏଇଟା ନୋଟେସନ୍‌ ଖାତା ନୁହେଁ, ଏଇଟା ଗୋଟାଏ ଜୀବନ୍ତ ଉପହାସ । (ଦଉଡ଼ି ଯାଇ ନୋଟେସନ୍‌ ଖାତା ଚିରି ଦେଲେ ।)

 

 

 

କଳ୍ପନା

ରମାଦେବୀ, କ’ଣ କଲ ତୁମେ ? (ବୀରବାବୁ ପ୍ରବେଶ କଲେ ।)

 

 

 

ବୀର

(ରାଗି) ରମା ! ତୁମେ ସେ ଖାତା ଚିରିଦେଲ ?

 

 

 

କଳ୍ପନା

ମୁଁ ଚାଲିଯାଉଛି ବୀରବାବୁ । ଆପଣଙ୍କ ସଂସାରରେ ମୁଁ ଅଶାନ୍ତି ସୃଷ୍ଟି କରିବି କାହିଁକି ? ମତେ ଆପଣ କ୍ଷମା କରନ୍ତୁ ।

 

 

 

ବୀର

ନା-ନା, ତୁମେ ଯାଇ ପାରିବ ନାହିଁ । ଦୁନିଆର କୌଣସି ଶକ୍ତି ଆଜି ତୁମକୁ ତଡ଼ି ଦେଇ ପାରିବ ନାହିଁ ।

 

 

 

କଳ୍ପନା

ନା-ନା, ମୁଁ ଯିବି ।

 

 

 

ରମା

ତୁମେ କାହିଁକି ଯିବ କଳ୍ପନା ଦେବୀ । ତୁମେ ଗଲେ ଗୋଟାଏ ଜୀବନ ନଷ୍ଟ ହୋଇଯିବ । ଯାହାର ଏ ଘରେ ଦରକାର ନାହିଁ ସେ ବାହାରିଯିବ ।

 

 

 

ବୀର

ହଁ ଯାଅ, ଅନେକ ଥର ଯିବ ବୋଲି କହିଛ; କିନ୍ତୁ ଯାଇ ନାହଁ । ଆଜି ଏହି ମୁହୂର୍ତ୍ତରେ ଚାଲିଯାଅ ।

 

 

 

ରମା

ହଁ, ମୁଁ ଯିବି ।

 

 

 

ବୀର

ଜଲ୍‌ଦି ଯାଅ । Out of my sight please. Get out. (ରମା ବାହାରି ଗଲାବେଳେ କଳ୍ପନା ଦେବୀ ରମାକୁ ଅଟକାଇଲେ)

 

 

 

କଳ୍ପନା

ରମାଦେବୀ ! (ରମା ହାତ ଛିଞ୍ଚାଡ଼ି ଚାଲିଗଲା) ଏ କ’ଣ ହେଲା ବୀର ବାବୁ !

 

 

 

ବୀର

ଭଲ ପାଇବାର ପରିଣତି । ପ୍ରେମର ପୂର୍ଣ୍ଣ ପ୍ରକାଶ ।

 

 

 

 

 

(ପାଗଳ ଭଳି ଖୁବ୍‌ ଜୋରରେ ହସି ଉଠିଲେ)

 

 

 

DROP

Image

 

Unknown

ତୃତୀୟ ଅଙ୍କ

୧ମ ଦୃଶ୍ୟ

 

(ଅଦ୍ୱୈତ ବାବୁଙ୍କ ଘରର ଡ୍ରଇଁ ରୁମ୍‍ । କଳ୍ପନାଙ୍କ ପ୍ରବେଶ । ସିଡ଼ି ଉପରୁ ଆସିଲେ ଅଦ୍ୱୈତ ।)

 

ଅଦ୍ୱୈତ

ଆରେ-କଳ୍ପନା ଦେବୀ ଯେ ! ନମସ୍କାର, ବସନ୍ତୁ !

 

 

 

କଳ୍ପନା

ଆପଣଙ୍କ ନିମନ୍ତ୍ରଣଙ୍କୁ ଅପେକ୍ଷା ନ କରି ମୁଁ ଚାଲି ଆସିଲି ଅଦ୍ୱୈତବାବୁ ।

 

 

 

ଅଦ୍ୱୈତ

ସେଇ ତ ବନ୍ଧୁତାର ଲକ୍ଷଣ ।

 

 

 

କଳ୍ପନା

ଆଜି ମୁଁ ଖୁବ୍‌ ଜରୁରୀ କାମରେ ଆସିଛି । ଆପଣଙ୍କ ଛଡ଼ା ସେ କଥା କେହି କରି ପାରିବେ ନାହିଁ ।

 

 

 

ଅଦ୍ୱୈତ

କହନ୍ତୁ ।

 

 

 

କଳ୍ପନା

ଆପଣଙ୍କ ବନ୍ଧୁ ଆଉ ବନ୍ଧୁପତ୍ନୀଙ୍କର ଭୀଷଣ ମନାନ୍ତର ହେଇଛି ।

 

 

 

ଅଦ୍ୱୈତ

କିନ୍ତୁ ଆପଣ ଏଥିରେ ବ୍ୟସ୍ତ ହେଉଛନ୍ତି କାହିଁକି, ଯୋଉଁଠି ବେଶି ସ୍ନେହ ସୋହାଗ, ସେଇଠି ରାଗ ଅଭିମାନ ସବୁ ଥାଏ । ସାଧାରଣ କଳିତକରାଳ ପରି, ସେ କଳିକଜିଆ ଏତେ ପିତା ନୁହେଁ, ଭାରି ମିଠା । ଯେ ତାର ସୁଆଦ ଚାଖିଛି, ସେ ବାରମ୍ବାର କଜିଆ କରୁଛି, ଆମର ମୁଣ୍ଡ ବଥେଇବା ଦରକାର କ’ଣ ?

 

 

 

କଳ୍ପନା

କିନ୍ତୁ ରମାଦେବୀ ଘରୁ ବାହାରି ଯାଇଛନ୍ତି ଯେ—

 

 

 

ଅଦ୍ୱୈତ

ଯାଆନ୍ତୁ, ଆପଣ ଏତେ ଚିନ୍ତା କରୁଛନ୍ତି କାହିଁକି ?

 

 

 

କଳ୍ପନା

ବୀରବାବୁଙ୍କ ଅବସ୍ଥା ଭଲ ନାହିଁ ।

 

 

 

ଅଦ୍ୱୈତ

ସେଇଟା ପାଗଳାଟାଏ, ମିଛରେ ମନ ଖରାପ କରୁଛି କାହିଁକି ? ଆପଣ କହନ୍ତୁ ତ, ରମାଦେବୀ କୁଆଡ଼େ ଯାଇ ପାରନ୍ତି—ଏଣ୍ଡୁଅ ଦଉଡ଼ି ଦଉଡ଼ି ସିଜୁବାଡ଼କୁ ।

 

 

 

କଳ୍ପନା

ମାନେ ?

 

 

 

ଅଦ୍ୱୈତ

ମାନେ ବାପଘରେ ଯାଇ ଟିକିଏ ରାଗ ଥଣ୍ଡା କରୁଥିବେ, ବୀର ଏତେ ମନ ଖରାପ କରୁଛି କାହିଁକି ?

 

 

 

କଳ୍ପନା

ଆପଣ ବୁଦ୍ଧିଜୀବୀ, ପ୍ରଖର ବୁଦ୍ଧିର ବ୍ୟବହାର କରି ଆପଣ ରୋଜଗାର କରନ୍ତି ଅଜସ୍ର ଟଙ୍କା । ଆପଣଙ୍କୁ ପୁଣି କଥାରେ କିଏ ପାରିବ ?

 

 

 

ଅଦ୍ୱୈତ

ଏତେ ପ୍ରଶଂସାର ପାତ୍ର ମୁଁ ନୁହେଁ କଳ୍ପନା ଦେବୀ ।

 

 

 

କଳ୍ପନା

କ’ଣ ମିଛ କହିଲି ଆପଣ ସ୍ପଷ୍ଟବାଦୀ, ମଧୁରଭାଷୀ, ଆଉ ବନ୍ଧୁପ୍ରେମୀ । କଳାକାରକୁ ଆପଣ ମର୍ଯ୍ୟାଦା ଦେଇ ଜାଣନ୍ତି, ଏ କଥା କ’ଣ ଅସ୍ୱୀକାର କରିବେ ?

 

 

 

ଅଦ୍ୱୈତ

ଆପଣମାନେ ଯଦି ସ୍ୱୀକାର କରୁଛନ୍ତି, ମୁଁ ଅସ୍ୱୀକାର କରିବି କାହିଁକି ? ମୁଁ କ’ଣ ଏତେ ବୋକା ହେଇଛି ?

 

 

 

କଳ୍ପନା

ବୋକା ବୋଲି କହିବାକୁ କାହା ଜିଭରେ ହାଡ଼ ଅଛି ! କଟକର ସ୍ୱନାମଧନ୍ୟ ଆଡ଼ଭୋକେଟ ! ଓକିଲାତି ବୁଦ୍ଧି ଖଟେଇ ରମାଦେବୀଙ୍କୁ ଟିକେ ବୁଝେଇ ଦିଅନ୍ତୁ । ଆପଣଙ୍କ କଥା ସେ ନିଶ୍ଚୟ ରଖିବେ ।

 

 

 

ଅଦ୍ୱୈତ

ଆପଣ ସେ ସବୁ କଥା କିଛି ଭାବନ୍ତୁ ନାହିଁ କଳ୍ପନା ଦେବୀ, ସବୁ ଠିକ୍‌ ହେଇଯିବ । ଆଚ୍ଛା ସେ ସବୁ କଥା ଛାଡ଼ି ଅନ୍ୟ ବିଷୟ ଆଲୋଚନା ହେଉ ।

 

 

 

କଳ୍ପନା

ଆଲୋଚନାଟା ତା’ହେଲେ ଆପଣ ଆରମ୍ଭ କରନ୍ତୁ ।

 

 

 

ଅଦ୍ୱୈତ

ଆପଣ ସେ ବିଷୟ କ’ଣ ଠିକ୍‌ କଲେ ?

 

 

 

କଳ୍ପନା

କୋଉ ବିଷୟ ?

 

 

 

ଅଦ୍ୱୈତ

ବିବାହ କରିବା କଥା ।

 

 

 

କଳ୍ପନା

ଆଚ୍ଛା ଅଦ୍ୱୈତବାବୁ, ଆପଣ ମତେ ଏତେ କଥା ପଚାରୁଛନ୍ତି, ଆପଣଙ୍କୁ କିଛି ପଚାରିବା ପାଇଁ ମତେ ଅନୁମତି ଦିଅନ୍ତୁ ।

 

 

 

ଅଦ୍ୱୈତ

ଆରେ ଅନୁମତି ଗୋଟାଏ କ’ଣ ? ପଚାରନ୍ତୁ ନା, ଆପଣଙ୍କ ପାଖରେ ମୁଁ କ’ଣ ଲୁଚେଇ ପାରେ !

 

 

 

କଳ୍ପନା

ଧନ୍ୟବାଦ ! ଆଚ୍ଛା କହନ୍ତୁ ଆପଣ ଏ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି କାହିଁକି-?

 

 

 

ଅଦ୍ୱୈତ

(ହସି) ଯେସାକୁ ତେସା ନୀତି ଧରିଲେ ପରା ! ଦେଖନ୍ତୁ କନ୍ୟା ନ ମିଳିବାରୁ ମୁଁ ବିବାହ କରି ନାହିଁ ।

 

 

 

କଳ୍ପନା

ଆପଣଙ୍କର ଯୋଉ କଥା ! ଆପଣଙ୍କୁ ପୁଣି କନ୍ୟା ମିଳୁ ନାହାନ୍ତି ?

 

 

 

ଅଦ୍ୱୈତ

କଣ ଆପଣ ବିଶ୍ୱାସ କରିପାରୁ ନାହାନ୍ତି ? ମୁଁ ସତ କହୁଛି, ମୋ ମନ ଅନୁସାରେ ମୁଁ ପାତ୍ରୀ ପାଇ ନାହିଁ । ତା ଛଡ଼ା ଅନେକ ସମୟରେ ଭାବେ ଏମିତି ହୁଏତ ବେଶ୍‍ ଅଛି—ଚିନ୍ତା ନାହିଁ, ଦକ ନାହିଁ, ଜୀବନ ଶାନ୍ତିରେ କଟି ଯାଉଛି । କିନ୍ତୁ ପରେ ଜୀବନର ଅସାରତା ବୁଝିପାରେ । ଯେତେ ହେଲେ ଆମେ ମଣିଷ । ରକ୍ତ ମାଂସର ଦେହ ନେଇ କେତେ କାଳ ଆଉ ବିଧାତା ସୃଷ୍ଟିର ଏକ ଚିରନ୍ତନ ସତ୍ୟକୁ ଅସ୍ୱୀକାର କରିବୁ ? ଏକ ସ୍ୱାଭାବିକ ପ୍ରବୃତ୍ତିକୁ କେତେ ଦିନ ଆଉ ଦମନ କରି ହେବ ।

 

 

 

କଳ୍ପନା

ସେଇ ପ୍ରବୃତ୍ତିକୁ ଦମନ କରି ମଣିଷ ଆଜି ସଭ୍ୟ ବୋଲେଇଛି । କିନ୍ତୁ ଏଇ ସଭ୍ୟ ହେବା ପାଇଁ ମଣିଷ ଯେ କି ଯନ୍ତ୍ରଣା ପାଏ, ତା କେବଳ ଅନୁଭବୀ ମାତ୍ରେ ବୁଝି ପାରିବ । ନିଜର ଦୁର୍ବଳତାକୁ ଗୋପନ ରଖିବା ଯେ କେତେ ବଡ଼ ସାଧନା !

 

 

 

ଅଦ୍ୱୈତ

କିନ୍ତୁ କଳ୍ପନା ଦେବୀ, ବେଳେବେଳେ ସେ ସାଧନା ସଫଳ ହୁଏନା । ପରିସ୍ଥିତି ମଣିଷକୁ ଧରା ପକେଇ ଦିଏ ।

 

 

 

କଳ୍ପନା

ଆଉ ସେଇଥିପାଇଁ ମୁଁ ବିବାହ କରିବାକୁ ଚାହେଁନା ଅଦ୍ୱୈତ ବାବୁ ।

 

 

 

ଅଦ୍ୱୈତ

କଳ୍ପନା ଦେବୀ !

 

 

 

କଳ୍ପନା

ଛଳନା ଆଉ ଅଭିନୟ କରିବାକୁ ମୁଁ ଚାହେଁନା । କିନ୍ତୁ ସତ କହିଲେ ପରିତ୍ରାଣ ଅଛି ତ ? ଦୁର୍ବଳ ମନ ମୋର ଜଣଙ୍କ ପାଖରେ ଦିନେ ନଇଁ ଯାଇଥିଲା ବୋଲି ଯଦି ମୁଁ ମୋର ଭାବି ସ୍ୱାମୀଙ୍କ ଆଗରେ କହି ବସିବି—ସେ କ’ଣ ମୋତେ କେବେ କ୍ଷମା କରି ପାରିବେ ?

 

 

 

ଅଦ୍ୱୈତ

(ଅବାକ୍‌ ହୋଇ ଚାହିଁଲେ) ।

 

 

 

କଳ୍ପନା

ମୁଁ ଆସୁଚି ଅଦ୍ୱୈତ ବାବୁ ! ନମସ୍କାର । (ପ୍ରସ୍ଥାନ) ।

 

 

 

ଅଦ୍ୱୈତ

[କଳ୍ପନା ଦେବୀଙ୍କର ଯିବା ବାଟକୁ ଚାହିଁ ରହିଲେ—ତା’ପରେ ଚେୟାର ଉପରେ ବସି ଅନେକ ଭାବିବାକୁ ଲାଗିଲେ ! ରମାଙ୍କ ପ୍ରବେଶ]

 

 

 

ରମା

ଅଦ୍ୱୈତବାବୁ ! (ରମାଙ୍କ ସ୍ୱରରେ ଚଞ୍ଚଳତା)

 

 

 

ଅଦ୍ୱୈତ

କଣ ହେଇଚି ରମାଦେବୀ ! ବସନ୍ତୁ ନା ।

 

 

 

ରମା

ମତେ ବର୍ତ୍ତମାନ ଉପାୟ କହନ୍ତୁ ଅଦ୍ୱୈତ ବାବୁ । ମୁଁ କ’ଣ କରିବି ?

 

 

 

ଅଦ୍ୱୈତ

ଏସବୁ ଆପଣ କ’ଣ କହୁଚନ୍ତି ?

 

 

 

ରମା

ଏ ପର୍ଯ୍ୟନ୍ତ ଯାହାସବୁ ଘଟିଗଲାଣି ସେ ସବୁ କ’ଣ ଆପଣ ଜାଣି ନାହାନ୍ତି ?

 

 

 

ଅଦ୍ୱୈତ

ସବୁ ଜାଣେ ।

 

 

 

ରମା

ବନ୍ଧୁ ତା’ହେଲେ ଆସି ସବୁ କହି ଯାଇଚନ୍ତି—ମୋର ଦୋଷ ଦୁର୍ଗୁଣ ଶୁଣି ବନ୍ଧୁଙ୍କୁ ଆପଣ ନିଶ୍ଚୟ ସହାନୁଭୂତି ଦେଖାଇଥିବେ । କିନ୍ତୁ ଅଦୈତ ବାବୁ, ମୋ କଥା କ’ଣ ଆପଣ ଶୁଣିବେ ନାହିଁ ?

 

 

 

ଅଦ୍ୱୈତ

ବୀର ମତେ କିଛି କହି ନାହିଁ । ସେ ବଡ଼ ଲୋକ—ଏତେ କଷ୍ଟ କରି ସେ ମୋ ପାଖକୁ ଆସିବ କିପରି ? କଳ୍ପନା ଦେବୀଙ୍କଠାରୁ ମୁଁ ସବୁ ଶୁଣିଛି ।

 

 

 

ରମା

କଳ୍ପନା ଦେବୀ ! ସେ ଦେବୀ ନୁହେଁ ଅଦ୍ୱୈତ ବାବୁ, ସେ ରାକ୍ଷସୀ ।

 

 

 

ଅଦ୍ୱୈତ

ରମାଦେବୀ !

 

 

 

ରମା

ମୋର ସୁଖର ସଂସାରକୁ ସେ ଆଜି ଜାଳି ଦେଇଚି । ତାରି ପାଇଁ ମୁଁ ଆଜି ସ୍ୱାମୀଙ୍କର ସ୍ନେହ ସୁହାଗରୁ ବଞ୍ଚିତ ହୋଇଚି । ଆପଣଙ୍କ ବନ୍ଧୁଙ୍କ ମନକୁ ସେ ଆଜି ବିଷାକ୍ତ କରି ଦେଇଛି ।

 

 

 

ଅଦ୍ୱୈତ

ଏ କଥା କ’ଣ ସତ ରମାଦେବୀ ?

 

 

 

ରମା

ମୁଁ ଜାଣେ, ଏ କଥା ଶୁଣି ଆପଣ ଖୁବ୍‌ ଆଘାତ ପାଇବେ । କାରଣ କଳ୍ପନାକୁ ଆପଣ ଖୁବ୍‌ ଭଲ ପାଆନ୍ତି । କିନ୍ତୁ ଭଲ ପାଇବା ବଦଳରେ ଆପଣ ପାଇବେ କ’ଣ ?

 

 

 

ଅଦ୍ୱୈତ

ରମାଦେବୀ !

 

 

 

ରମା

ହଁ ଅଦ୍ୱୈତ ବାବୁ, କଳ୍ପନା ଦେବୀ ଆଜି ଆପଣଙ୍କ ବନ୍ଧୁଙ୍କୁ ହୃଦୟ ଦେଇ ସାରିଚି । ଆଉ ଆପଣଙ୍କ ବନ୍ଧୁ ବି ତାଙ୍କର ପ୍ରେମରେ ପାଗଳ ।

 

 

 

ଅଦ୍ୱୈତ

ଏ ସବୁ ମୁଁ କ’ଣ ଶୁଣୁଛି ରମାଦେବୀ !

ରମା

ମୋର ସମସ୍ତ ଆଶା ଆକାଂକ୍ଷା ଆଜି ଉଭେଇ ଯାଇଚି ।

ଅଦ୍ୱୈତ

ବୀର କେବେ ଏତେ ତଳକୁ ଖସି ପାରେନା ।

ରମା

ଆପଣ ତାଙ୍କୁ ଏତେ ଉଚ୍ଚରେ ରଖିଛନ୍ତି ଅଥଚ ଆପଣଙ୍କ ସହିତ କଳ୍ପନାର ବିବାହ ପ୍ରସ୍ତାବକୁ ସେ ବିରୋଧ କରୁଚନ୍ତି । ତାଙ୍କ ମତରେ ଆପଣ କଳ୍ପନାର ଯୋଗ୍ୟ ପାତ୍ର ନୁହନ୍ତି ।

ଅଦ୍ୱୈତ

ରମାଦେବୀ !

ରମା

କଳ୍ପନାର କୁମାରୀବ୍ରତକୁ ସେ ପ୍ରଶଂସା କରିଚନ୍ତି । ଆଉ ତାଙ୍କରି ସାହାଯ୍ୟରେ କଳ୍ପନା କଟକରେ କଳାଚର୍ଚ୍ଚା କରିବାକୁ ଚାହାନ୍ତି । ଏ ସବୁର ମାନେ କ’ଣ ?

ଅଦ୍ୱୈତ

ଆପଣ ବୀରକୁ ଭୁଲ ବୁଝୁଛନ୍ତି । ତାର ଉଦ୍ଦେଶ୍ୟକୁ ସରଳ ଭାବରେ ନ ନେଇ ଆପଣ ସନ୍ଦେହ କରୁଛନ୍ତି । ଏତକ କରିବା ପୂର୍ବରୁ ଥରେ ଭାବି କହନ୍ତୁ-। ବୀର ଆପଣଙ୍କୁ କେବେ ଅଣହେଳା କରିଚି ? ଆପଣଙ୍କୁ କ’ଣ ସେ ହତାଦର କରିଚି ?

ରମା

ସବୁ ଜାଣି ବି ଆଜି ଆପଣ ଇମିତି କହୁଚନ୍ତି ?

ଅଦ୍ୱୈତ

ବୀର ଆପଣଙ୍କୁ କେତେ ଭଲ ପାଏ ତା ମୁଁ ନିଜେ ଜାଣେ । ଆପଣଙ୍କୁ ସଙ୍ଗୀତ ଶିଖେଇବା ପାଇଁ ତାର ଯୋଉ ଆଗ୍ରହ, ତାହା ଆପଣ ଛଳନା ବୋଲି କହି ପାରିବେ ନାହିଁ ।

ରମା

ଅଦ୍ୱୈତ ବାବୁ !

ଅଦ୍ୱୈତ

ଆଉ ମୁଁ ଭଲ କରି ଜାଣେ ଯେ ଆପଣ ବୀରକୁ ଖୁବ୍‌ ସ୍ନେହ କରନ୍ତି । ଏତେ ମନାନ୍ତର ପରେ ବି ଆପଣ କ’ଣ ବୀରକୁ ଘୃଣା କରନ୍ତି ?

ରମା

ଘୃଣା କରିବା ପାଇଁ ମୁଁ ବିବାଦ କରି ନ ଥିଲି ଅଦ୍ୱୈତ ବାବୁ ! ମୁଁ ବିବାଦ କରିଥିଲି ସୁଖର ସଂସାର ଗଢ଼ିବା ପାଇଁ । କିନ୍ତୁ ଖାମଖିଆଲ ନୀତି ଧରି ସେ ମୋତେ ଆଘାତ ଦେଲେ । ଆଉ ତା ପରେ ତାଙ୍କ ଜୀବନରେ ଆସିଲା କଳ୍ପନା । ମତେ ଜାଣିବା ଆଗରୁ କଳ୍ପନା ସହିତ ତାଙ୍କର ପରିଚୟ ଥିଲା । ସଙ୍ଗୀତ ଶିକ୍ଷା ସମୟରେ ହାସ ପରିହାସ ଭିତରେ ତାଙ୍କର ଦିନ କଟି ଯାଉଥିଲା ।

ଅଦ୍ୱୈତ

ସବୁ କଥା ଧୀର ସ୍ଥିର ଭାବରେ ବିଚାର କରନ୍ତୁ ।

ରମା

ମୁଁ ସବୁ ବିଚାର କରି ସାରିଚି ।

ଅଦ୍ୱୈତ

ଆଚ୍ଛା, ରମାଦେବୀ ! ବୀରକୁ ଜାଣିବା ପୂର୍ବରୁ କଲେଜ ଜୀବନରେ ଆପଣଙ୍କର ଅନ୍ୟ କାହା ପ୍ରତି ଦୁର୍ବଳତା ଆସି ନ ଥିଲା ?

 

 

 

ରମା

ଅଦ୍ୱୈତ ବାବୁ !

 

 

 

ଅଦ୍ୱୈତ

ଜୀବନରେ ଦୁର୍ବଳ ମୁହୂର୍ତ୍ତ ଆସି ନାହିଁ ବୋଲି କେହି କହି ପାରିବେ ନାହିଁ ରମାଦେବୀ ! ଆପଣ ବି କହି ପାରିବେ ନାହିଁ ।

 

 

 

ରମା

ଆପଣ ଏ ସବୁ କ’ଣ କହୁଚନ୍ତି ଅଦ୍ୱୈତବାବୁ !

 

 

 

ଅଦ୍ୱୈତ

କିନ୍ତୁ ଏ କଥା ସତ ଯେ—ବୀର ଯେତେବେଳେ ଆପଣଙ୍କ ଜୀବନରେ ଦେଖା ଦେଲା ସେତେବେଳେ ଆପଣ ତାକୁ ସବୁଠାରୁ ବେଶି ଭଲ ପାଇଚନ୍ତି । ଆଜି ମଧ୍ୟ ଆପଣ ଦୁହିଙ୍କର ମନର ଭାବ ବଦଳି ଯାଇ ନାହିଁ ।

 

 

 

ରମା

ଆପଣଙ୍କୁ ମୁଁ କେମିତି ବୁଝେଇବି ଅଦ୍ୱୈତ ବାବୁ ? ମୋର ମନର କଥା କେବଳ ମୁଁ ବୁଝୁଚି । ଅନ୍ୟ ନାରୀ ପ୍ରତି ତାଙ୍କର ଆକର୍ଷଣକୁ ମୁଁ କେବେ ହେଲେ ସହି ପାରିବି ନାହିଁ ।

 

 

 

ଅଦ୍ୱୈତ

ବଡ଼ ଦୁଃଖ ଲାଗୁଚି ରମାଦେବୀ ! ଏତେ ମମତା ସ୍ନେହ ପରେ ବି ଆପଣ କ’ଣ କଲେ ? ଏଥିପାଇଁ ବାପାଙ୍କର ଅବାଧ୍ୟ ହୋଇଥିଲେ ? ଏଇଥି ପାଇଁ ବନ୍ଧୁ ବାନ୍ଧବ ସାଇ ପଡ଼ିଶା ସମସ୍ତଙ୍କ ଆଗରେ ଟାଣ କରୁଥିଲେ ?

 

 

 

ରମା

ଆଉ ସେ ସବୁ କଥା କୁହନ୍ତୁ ନାହିଁ ଅଦ୍ୱୈତ ବାବୁ !

 

 

 

ଅଦ୍ୱୈତ

କେବଳ ନାରୀତ୍ୱର ଦ୍ୱାହି ଦେଇ ଆପଣ ସୁଖର ସଂସାରକୁ ଜାଳି ପୋଡ଼ି ଛାରଖାର କରିଦେଲେ । ସାମାନ୍ୟ ଖିଆଲରେ ସ୍ୱାମୀର ଆଦର ସୁଆଗକୁ ପାଦରେ ଠେଲି ଦେଲେ ।

 

 

 

ରମା

ବନ୍ଦ କରନ୍ତୁ ଅଦ୍ୱୈତବାବୁ !

 

 

 

ଅଦ୍ୱୈତ

ଜାଣି ଜାଣି ଆପଣ ନିଜର ସର୍ବନାଶ କରିଦେଲେ । ଏତେ ଶିକ୍ଷା ପାଇ ବି ଗୋଟାଏ ଅଶିକ୍ଷିତ ସ୍ତ୍ରୀ ପରି ଆପଣ ଅନର୍ଥ ସୃଷ୍ଟି କଲେ !

 

 

 

ରମା

ଦୟାକରି ବନ୍ଦ କରନ୍ତୁ ଅଦ୍ୱୈତବାବୁ । ସବୁ ଜାଣି ବାପଘର ଆଉ ସ୍ୱାମୀଘର ଆଶା ମୁଁ ଛାଡ଼ି ଦେଇଛି । ବର୍ତ୍ତମାନ ମୁଁ କ’ଣ କରିବି ମତେ କୁହନ୍ତୁ ।

 

 

 

ଅଦ୍ୱୈତ

ଆଜି ଆପଣ ଦୁଇକୁଳ ଖାଇ ବସିଛନ୍ତି । କିନ୍ତୁ ଜାଣନ୍ତି ରମାଦେବୀ, ବଢ଼ିଲା ନଈ ଦୁଇକୂଳ ଖାଇ ଶେଷରେ ସମୁଦ୍ରରେ ମିଶି ଯାଏ । ତାକୁ କେହି ବାଧା ଦେଇ ପାରନ୍ତି ନାହିଁ ।

 

 

 

ରମା

ମୁଁ ବି ସେମିତି ମିଶିଯିବି । ଦୁନିଆର ଜନସମୁଦ୍ର ଭିତରେ ମିଶିଯିବା ପାଇଁ ମୁଁ ବି ଚାଲିଯିବି । (ଶଙ୍କରଙ୍କ ପ୍ରବେଶ)

 

 

 

ଶଙ୍କର

କୁଆଡ଼େ ଚାଲିଯିବୁ ମା

 

 

 

ରମା

ବାବା !

 

 

 

ଅଦ୍ୱୈତ

ନମସ୍କାର ଆଜ୍ଞା । ଆପଣ...

 

 

 

ଶଙ୍କର

ରମା ଏଠାକୁ ଆସିଛି ଶୁଣି ମୁଁ ଆସିଲି ବାବା

 

 

 

ଅଦ୍ୱୈତ

ଏ ବେଳରେ ପହଞ୍ଚି ଆପଣ ଠିକ୍‌ କରିଚନ୍ତି ଆଜ୍ଞା ।

 

 

 

ଶଙ୍କର

କ’ଣ କରିବି ବାବା ! ବୁଢ଼ା ବାପଟା କଥାରେ ଘୋଷା ହେଇ ମା’ଟା ମୋର ଚାଲି ଆସିଥିଲା । ମୁଁ ଯଦି ଆଜି ଏଠିକି ଆସି ନ ଥାନ୍ତି, ସେ କେବେହେଲେ ମୋ ପାଖକୁ ଯାଇ ନ ଥାନ୍ତା । (ରମାକୁ ଚାହିଁ) ଚାଲ ମା’, ଯା’ଠାରୁ ଆଶ୍ୱାସନା ପାଇବାପାଇଁ ଏତେ ଆଶା କରିଥିଲୁ, ସେ ତ ପର ହେଇଗଲା । ବାପଘର ଛଡ଼ା ତତେ ଆଉ କିଏ ଆଶ୍ରୟ ଦେବ ?

 

 

 

ଅଦ୍ୱୈତ

ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଆଜ୍ଞା, ସମାଧାନ ନିଶ୍ଚୟ ହେବ ।

 

 

 

ଶଙ୍କର

ଆଉ ସମାଧାନ କାହିଁ ବାବା ? ରମା ଜୀବନରେ ପୂର୍ଣ୍ଣଛେଦ ପଡ଼ି ଯାଇଛି । ଆଜି ତାର କିଛି ନାହିଁ ।

 

 

 

ରମା

(କାନ୍ଦି) ବାବା !

 

 

 

ଶଙ୍କର

ଚାଲ ମା, ବୁଢ଼ା ବାପର ସବୁ ଦୋଷ ଭୁଲି ତୁ ଘରକୁ ଫେରି ଚାଲ ।

 

 

 

ଅଦ୍ୱୈତ

ଯାଆନ୍ତୁ ରମାଦେବୀ । ବାପାଙ୍କ କଥା ଆପଣଙ୍କୁ ରଖିବାକୁ ହବ ।

 

 

 

 

 

(ଶଙ୍କରଙ୍କ ସହ ରମାର ପ୍ରସ୍ଥାନ । ଅଦ୍ୱୈତ ସେମାନଙ୍କୁ ବଳେଇ ଦେବାକୁ ଗଲେ)

 

ତୃତୀୟ ଅଙ୍କ

୨ୟ ଦୃଶ୍ୟ

 

(ଶଙ୍କର ବାବୁଙ୍କର ଘରର ଅଳିନ୍ଦ । ଘନ ଓ ବୃଷଭାନୁଙ୍କ ପ୍ରବେଶ ବୃଷଭାନୁ ହାତ ପୋଛି ପୋଛି ଆସୁଥିଲେ । ଭଲ ଭୋଜନ ପରେ ମୁହଁରେ ସନ୍ତୋଷ ଭାବ । ପକେଟରୁ ପାନ କାଢ଼ି ଖାଇଲେ)

 

ବୃଷ

ବୁଝିଲ ଘନବାବୁ, ସବୁ ଭାଗ୍ୟ । ଭାଗ୍ୟ ନ ଥାଇ ପଥ ନାହିଁ ! ତା ନ ହେଇଥିଲେ, ଏତେ ଗୁଣ ଥାଇ ବୃଷଭାନୁ ଦାସ ବଣରେ ଫୁଟି ବଣରେ ଝଡ଼ି ପଡ଼ୁଥାନ୍ତା । ଛାଡ଼, କପାଳିଆ ଲୋକଟାଏ ତୁମେ । ହଇ ହେ ଇମିତି ସ୍ତ୍ରୀ କେତେ ଜଣକୁ ମିଳନ୍ତି ?

 

 

 

ଘନ

ଆପଣ ତ କ’ଣ ଖୁବ୍‌ ପ୍ରଶଂସା କରୁଛନ୍ତି ।

 

 

 

ବୃଷ

କାହିଁକି ? କ’ଣ ମିଛ କହୁଚି ? ହଁ ତୁମକୁ ମିଛ ଲାଗୁଥିବ । ନିଜ ଘରର ଦେବତାଙ୍କୁ ପୂଜା କରିବାକୁ କାହାକୁ ସୁଖ ଲାଗେ ? ମୁଁ ପରା ଅଙ୍ଗେ ଲିଭେଇଚି ।

 

 

 

ଘନ

ମାନେ ?

 

 

 

ବୃଷ

ମାନେ ଆଉ କ’ଣ ? ବୁଝିଲ ଘନ ବାବୁ, ବଜାରରୁ ମୁଁ ଯେଉଁ ଜିନିଷଟା ଆଣିବି, ଆମ ଘରଣୀଙ୍କର ପସନ୍ଦ ହେବ ନାହିଁ । କୋଉଟାକୁ ଯଦି ଖରାପ କହିଲେଣି ତ, କୋଉଟାକୁ ମହଙ୍ଗା । ଏମିତି ଶୁଣି ଶୁଣି ମୋ ଜମାନା ଚାଲିଗଲାଣି । ଖାଲି କହିବ, ଅମୁକ ଭଲ ଆଣୁଚି, ଅମୁକ ଶସ୍ତାରେ କିଣୁଚି । କିରେ ମୋ ଦେହରେ କ’ଣ ଗୋଟାଏ ମାର୍କାମରା ହେଇଚି ଯେ ମୋତେ ବଜାର ଲୋକ ଦେଖିଲେ ଠକୁଚନ୍ତି !

 

 

 

ଘନ

ଆପଣଙ୍କର ଯୋଉ କଥା...

 

 

 

ବୃଷ

ସତରେ ଘନବାବୁ, ତୁମ ସ୍ତ୍ରୀଟି ଗୋଟିଏ ସାକ୍ଷାତ ଲକ୍ଷ୍ମୀ । ପାନଖଣ୍ଡେ ଭାଙ୍ଗି ଦେଇଛନ୍ତି ଯେ, ପାଟି ମାଇଲିଏ ବାଟକୁ ମହକୁଚି । ଯାହାହେଉ ଖୁବ୍‌ ଖୁସିରେ ଅଛ ।

 

 

 

ଘନ

ହଁ, ଯାହା ଭଗବାନଙ୍କ ଇଚ୍ଛା ।

 

 

 

ବୃଷ

ହଉ, ରମାଦେବୀଙ୍କ କଥା କ’ଣ କରିବା କହିଲ ?

 

 

 

ଘନ

କହିବାକୁ ଆଉ କ’ଣ ଅଛି ? ଆପଣ ଯେତେବେଳେ ସମାଧାନ ପାଇଁ ଆସିଛନ୍ତି, ସେତେବେଳେ ଆଉ ଆପତ୍ତି ଉଠିବ କାହିଁକି ? ହସି ଖେଳି ରମା ଘର ସଂସାର କରୁ ଏ କଥା ଆମେ ସମସ୍ତେ ଚାହୁଁ । ତେବେ ବାବାଙ୍କୁ ଥରେ ପଚାରି ଦେବା ଉଚିତ । ଯେତେ ହେଲେ ସେ ଘରର ମୁରବି ।

 

 

 

ବୃଷ

ହଁ, ହଁ, ଶଙ୍କର ବାବୁଙ୍କୁ ନିଶ୍ଚୟ ପଚାରିବାବୁ ହେବ ।

 

 

 

ଶଙ୍କର

(ପ୍ରବେଶ) କ’ଣ ପଚାରିବ ବୃଷଭାନୁ ବାବୁ ?

 

 

 

ଘନ

ଏଇ ରମାର ଯିବା କଥା ।

 

 

 

ବୃଷ

ହଁ, ଏଥିରେ ଆଉ ଆପତ୍ତି କରିବାର କ’ଣ ଅଛି ? ଘର କରି କ’ଣ କଳି କଜିଆ ହୁଏ ନାହିଁ ? ସେୟା ଧରି ବସିଲେ ଚଳିବ ? ସୂତା ମାଜିଲେ ସରୁ, କଥା ମାଜିଲେ ମୋଟ ।

 

 

 

ଶଙ୍କର

ହଁ, ଭଲ କହି ପାର ବୋଲି କଟକରେ ତୁମର ଖ୍ୟାତି ଅଛି ବୃଷଭାନୁ ବାବୁ, କିନ୍ତୁ ସବୁ ଜାଗାରେ କ’ଣ ବଡ଼ ବଡ଼ କଥାଚଳେ ?

 

 

 

ବୃଷ

ଆଜ୍ଞା, ଆପଣ ବି ଏଇଆ ବୁଝିଲେ । ବନ୍ଧୁବାନ୍ଧବମାନେ ବି ମତେ ସମଝି ପାରିଲେ ନାହିଁ । ସେ ମୋର ଭାଗ୍ୟ ଛଡ଼ା ଆଉ କ’ଣ ? ହଉ...

 

 

 

ଶଙ୍କର

କୋଉ ମୁହଁରେ, ଆପଣ ରମାକୁ ନବା କଥା କହୁଛନ୍ତି ? କ’ଣ ଆଉ ତାର ଅଛି ?

 

 

 

ଘନ

ବାବା !

 

 

 

ଶଙ୍କର

ସେଠି କଳ୍ପନା ଦେବୀଙ୍କ ପୋଇଲି ହେଇ ରହିବା ଅପେକ୍ଷା ବାପଘରେ ପଖାଳ ତୋରାଣି ପିଇ ରହିବା ଭଲ ।

 

 

 

ବୃଷ

ତା’ହେଲେ କ’ଣ ଆଜ୍ଞା ସେ ସବୁଦିନେ ଏଇଠି ରହିବେ ?

 

 

 

ଶଙ୍କର

ଆଉ କୋଉଠିକି ଯିବ ? କିଏ ଅଛି ତାର ?

 

 

 

ବୃଷ

ନାନା କଥାର ଦ୍ୱାହି ଦେଇ ସୀମା କମିଶନ ଷଢ଼େଇକଳା ଖରସୁଆଁକୁ ବିହାରରେ ରଖିଲା ପରି ଆପଣ ରମାଦେବୀଙ୍କୁ ବାପଘରେ ରହିବା ପାଇଁ ସୁପାରିଶ କରୁଛନ୍ତି, କିନ୍ତୁ ଫଳ ଭଲ ହେବ ନାହିଁ । ହଉ, ମୁଁ ଆସୁଚି । ରମାଦେବୀ ତା’ହେଲେ ଆପଣଙ୍କ ସହିତ ଏକମତ ? ହଁ, ନ ହେବେ କାହିଁକି-! ଯେତେ ହେଲେ ସେ ଆପଣଙ୍କର ଝିଅ । ହଉ ଆଜ୍ଞା, ଆସୁଚି, ନମସ୍କାର (ପ୍ରସ୍ଥାନ)

 

 

 

ଘନ

ବାବା ! ତୁମେ କ’ଣ ପରିସ୍ଥିତିକୁ ଟିକେ ଭାବି ପାରୁନ ?

 

 

 

ଶଙ୍କର

ସବୁ ଭାବିଚି ।

 

 

 

ଘନ

କିଛି ଭାବିନ । ଭାବିବାର ଶକ୍ତି ତୁମର ଆଉ ନାହିଁ । କୌଣସି ବିଷୟରେ ତୁମର ବିଚାର ନ ଥାଏ । ଜଣେ ହେଡ଼୍‌କ୍ଲର୍କ ହିସାବରେ ତୁମେ ରିଟାୟାର୍‌ କରିଚ । ପୁଅ ତୁମର ସେକ୍ରେଟାରିଏଟ୍‌ର ଜଣେ ଆସିଷ୍ଟାଣ୍ଟ । ହଜାର ହଜାର ଟଙ୍କାର ଯୌତୁକ ଦେଇ ଝିଅକୁ କେବେ ହେଲେ ବଡ଼ ଜାଗାରେ ଦେଇ ପାରି ନ ଥାନ୍ତ । ଅଥଚ ସେଦିନ ତୁମେ ବୀରବାବୁ ଭଳି ଉପଯୁକ୍ତ ପାତ୍ରଙ୍କୁ ନାପସନ୍ଦ କରି ମୂଳରୁ ସବୁ ଗୋଳମାଳ କରିଛ ।

 

 

 

ଶଙ୍କର

ଘନ !

 

 

 

ଘନ

ରମା ଠିକ୍‍ ତୁମରି ଭଳି ଜିଦଖୋର ହେଇଚି ।

 

 

 

ଶଙ୍କର

ଅଥଚ ତୁ ତୋ ମା’ ପରି ଶାନ୍ତ, ଶିଷ୍ଟ, ସରଳ; ଏଇୟା, ନା ?

 

 

 

ଘନ

ସବୁବେଳେ ଅଭିମାନ କରିବା ଭଲ ନୁହେଁ ବାବା । ବୁଝେଇ ସୁଝେଇ ରମାକୁ ଫେରେଇ ନ ଦେଇ, ତୁମେ ତାକୁ ଯେ ମତେଇ ଦେଇଚ, ସେଇଟା କ’ଣ ଭଲ ହଉଛି ?

 

 

 

ଶଙ୍କର

ଓଃ, ବୁଝିଲି । ମୁଁ ତ ରୋଜଗାର କରୁ ନାହିଁ । ଏଠି ତାକୁ ରଖିବାକୁ ଇଚ୍ଛା କରିବି କିମିତି ? ନା ଆଉ ଏ ଭୁଲ ମୁଁ କରିବି ନାହିଁ । ରମାକୁ ଏଠୁ ଚାଲିଯିବା ପାଇଁ ମୁଁ କହିବି ।

 

 

 

ଘନ

ଖାଲି ଅଭିମାନ କରି ଶିଖିଚ, କିନ୍ତୁ କୌଣସି କଥା ବିଚାର କରିବାକୁ ତୁମେ ଚାହୁଁନ ।

 

 

 

ଶଙ୍କର

ମୁଁ ସବୁ ବିଚାର କରି ସାରିଚି । ରମା ଯିବା ପୂର୍ବରୁ ସେ ମୋ ପାଟିରେ ଟିକେ ବିଷ ଦେଇଯିବ । ତା ପରେ ସେ ଯେଉଁଠିକି ଯିବ ମୁଁ ଆଉ କିଛି କହିବି ନାହିଁ-। (ପ୍ରସ୍ଥାନ)

 

 

 

ମିନି

(ପ୍ରବେଶ) ବାବାଙ୍କୁ ତୁମେ ଏମିତି କାହିଁକି କହିଲ ?

 

 

 

ଘନ

ମୋତେ ଏଇକ୍ଷଣି କେହି କିଛି କୁହ ନାହିଁ । ମୋ ମୁଣ୍ଡ ଠିକ୍‌ ନାହିଁ । (ପ୍ରସ୍ଥାନ)

 

 

 

ରମା

(ପ୍ରବେଶ) ଭାଉଜ, ଦେଖିଲ ତ ଭାଇ କିମିତି ତୁମ ଉପରେ ରାଗି ଉଠିଲେ ? ତୁମ କଥାରେ ଯେ କିଛି ମୂଲ୍ୟ ଅଛି ସେ କଥା ସେ ଆଦୌ ଭାବିଲେ ନାହିଁ । ଏଇ ହଉଚି ପୁରୁଷର ଲକ୍ଷଣ ।

 

 

 

ମିନି

ଇମିତି ସବୁ କଥା ଧରି ବସିଲେ ଘର ଚଳିବ ନାହିଁ ରମା । ଅନେକ କଥା ଇମିତି ସହିବାକୁ ହେବ ।

 

 

 

ରମା

କିନ୍ତୁ ଦେଖ ଭାଉଜ, ତୁମେ ଯେତିକି ସହିବ, ଲୋକେ ସେତିକି ତୁମ ଉପରେ ଜୁଲମ କରିବେ । ଏ କଥା ପରା ମୁଁ ଅଙ୍ଗେ ଲିଭେଇଚି ।

 

 

 

ମିନି

ରମା ! ଦୁହେଁ ଦୁହିଁକି ଭଲ ପାଇ ଭବିଷ୍ୟତର ସୁଖ-ସ୍ୱପ୍ନ ଦେଖିବା ଖୁବ୍‌ ସହଜ । କିନ୍ତୁ ସ୍ୱାମୀ ସ୍ତ୍ରୀ ହେଇ ଘର କରିବା ଭାରି କଷ୍ଟ ।

 

 

 

ରମା

(ଆଘାତ ପାଇ) ଭାଉଜ !

 

 

 

 

 

(ମିନି ବୁଝି ପାରିଲେ ରମା ଆଘାତ ପାଇଛନ୍ତି କିନ୍ତୁ ତାଙ୍କ ଅଭିମାନ ଭାଙ୍ଗିବା ପାଇଁ ଏତକ ଦରକାର ଭାବି କହିଲେ )

 

 

 

ମିନି

ସବୁବେଳେ ଆଦାୟ କରି ବସିଲେ ଚଳିବ ନାହିଁ ରମା ! ପାଇବା ପାଇଁ କିଛି ତ୍ୟାଗ ବି ଦରକାର । ଆସ ଖାଇବ । (ରମାଙ୍କ ହାତ ଧରି ଭିତରକୁ ନେଇଗଲେ)

 

ଦ୍ୱିତୀୟ ଦୃଶ୍ୟ

 

(ବୀର ତଳକୁ ମୁହଁପୋତି ବସିଥିଲେ । ମନରେ ଅସଂଖ୍ୟ ଭାବନା । ପାଖରେ ଥିଲେ ଅରୁ)

 

ଅରୁ

ତୁ ଯେତେ ଲୁଚେଇଲେ ହବ । ତୁ ନିଶ୍ଚେ ତା କଥା ଭାବୁଛୁ ।

 

 

 

ବୀର

ନା ମୁଁ କାହିଁକି ତା କଥା ଭାବିବି ?

 

 

 

ଅରୁ

ହଁ, କାହିଁକି ଭାବିବୁ, ଆଜି କହିଲେ ଗଣ୍ଡା ଗଣ୍ଡା ଝିଅ ମିଳିବେ ।

 

 

 

ବୀର

ଅପା ! ତୁ ଆଉ ମତେ ସେ ସବୁ କହନା କହୁଚି ।

 

 

 

ଅରୁ

ଛି, ଆଉ ଇମିତି ବାୟା ହ’ନା । ତାକୁ ଭୁଲିଯା । କୋଉ ଗୁଣର ସେଇଟା ହେଲା ? ନାଚ ଗୀତ କିଛି ତ ଶିଖିଲା ନାହିଁ । ଭଲରେ ତ ପଦେ କଥା କହିଲା ନାହିଁ । ତାକୁ ତୁ ଝୁରି ହେଉଚୁ କାହିଁକି ? ଯଦି କହନ୍ତୁ ଏଇ କଳ୍ପନା ସାଥିରେ... । ଆହା କି ସୁନ୍ଦର ପିଲା, କି ସୁନ୍ଦର କଣ୍ଠ !

 

 

 

ବୀର

ଅପା ତୁ ଗଲୁ ଏଠୁ । କେତେଗୁଡ଼ାଏ କାମ ମୋର କରିବାକୁ ଅଛି ।

 

 

 

ଅରୁ

କି କାମଟା ବସି କରୁଚୁ ? ଚାଲ, ଖାଇବୁ ଚାଲ ।

 

 

 

ବୀର

ଖାଇବି ? କ’ଣ ଆଉ ଖାଇବି ଅପା ? ଖାଇବା ଦିନ ମୋର ଚାଲି ଯାଇଛି । ଉପଭୋଗର ଆଶା ମୋର ଉଭେଇ ଯାଇଚି ।

 

 

 

ଅରୁ

ହଇରେ ପୁଣି ସିମିତି ବାଇଆଙ୍କ ଭଳି କହିଲୁ ? କାହିଁକି ଆଉ ସିମିତି ହେଉଚୁ ? ସେ ଫୁଲେଇଟାକୁ ଭୁଲିଯା । ତୋ ପରି ପିଲାର ହାତ ଧରିବା ପାଇଁ ସେଇଟାର କିଛି ହେଲେ ଗୁଣ ନ ଥିଲା । ସିଏ ଯାଇଛି, ବେଶ ହେଇଛି-। ଏଣିକି ତୋ ମନ ଅନୁସାରେ ତୁ ବିଭା ହେବୁ ।

 

 

 

ବୀର

ମନ ଅନୁସାରେ ମୁଁ କ’ଣ ବିବାହ କରି ନ ଥିଲି ? କିନ୍ତୁ କ’ଣ ହେଲା ? ନା, ବିବାହର ସମସ୍ତ ମର୍ଯ୍ୟାଦା ଆଜି ମୋ ପାଖରୁ ଚାଲିଯାଇଛି । ଦୁନିଆରେ ସବୁ ପ୍ରବଞ୍ଚନା, ଛଳନା । ସମସ୍ତଙ୍କୁ ଆଜି ଅବିଶ୍ୱାସ ଆଉ ଘୃଣା କରିବାକୁ ମୁଁ ଶିଖିଚି ।

 

 

 

ଅରୁ

ଛି, ଛି, ଏଡ଼ୁଟିଏ ହେଲୁଣି, ତେବେ ବି ସିମିତି ପିଲା ପରି ହଉଚୁ ? ତୁ ଆଉ ନାରାଜ ହ’ନା । ସେ କଳ୍ପନାଟି ବେଶ୍‌ ପିଲା ତାକୁ ବାହା ହେଇ ତୁ ପୁଣି ଥରେ ଘର କର ମୋ କଥା ମାନ ।

 

 

 

ବୀର

(ଶୁଷ୍କ ହସ ହସି) ପୁଣି ଥରେ ମୁଁ ଘର କରିବି ? ତୁ ଠିକ୍‌ କହିଚୁ ଅପା । ମୁଁ ସେୟା କରିବି । କଳ୍ପନାକୁ ପାଇବା ପରେ ପୁଣି ଥରେ ମୋ ସଂସାର ହସି ଉଠିବ । ସେ ବିଭାଘର ପୁରୁଣା ହେଇଗଲେ ଛାଡ଼ପତ୍ର ଦେଇ ମୁଁ ପୁଣି ଥରେ ନୂଆ ସଂସାର ଗଢ଼ିବି । Marriage and divorce will follow each other (ଜୋରରେ ହସି ଉଠିଲେ) ।

 

 

 

ଅରୁ

ବୀର ତୁ ଇମିତି ହସ୍‌ନା ପାଗଳଙ୍କ ଭଳି ।

 

 

 

ବୀର

ଅପା ! ଜାଣୁ, ମତେ ଛାଡ଼ପତ୍ର ମକଦ୍ଦମା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । ପ୍ରଣୟ ନାଟକର ଶେଷ ଦୃଶ୍ୟ ପାଇଁ ଆୟୋଜନ କରିବାକୁ ହେବ ।

 

 

 

(ବୃଷଭାନୁଙ୍କ ପ୍ରବେଶ)

 

 

 

ବୀର

କ’ଣ ହେଲା ବୃଷ ଭାଇ ?

 

 

 

ବୃଷ

ହବ ଆଉ କ’ଣ ? ଯା’ ହବାର କଥା ସେଇୟା ହେଲା । ଓହୋ... ସେ ଶଙ୍କରବାବୁଟା ମତେ କି କଡ଼ା କଥା ନ କହିଲା !

 

 

 

ବୀର

ତା’ହେଲେ ନିଷ୍ପତ୍ତି କରି ସାରିଛନ୍ତି ?

 

 

 

ବୃଷ

କିନ୍ତୁ ତାଙ୍କର ସେ ନିଷ୍ପତ୍ତିକୁ ମାନୁଛି କିଏ ? ବୃଷଭାନୁ ଦାସ କଳେ ବଳେ କୌଶଳେ ନିଶ୍ଚୟ ରମାଦେବୀଙ୍କୁ ଏ ଘରକୁ ଆଣିବ ।

 

 

 

ବୀର

ନା, ଦରକାର ନାହିଁ । ମୁଁ ତାକୁ ଛାଡ଼ପତ୍ର ଦେବି ।

 

 

 

ବୃଷ

ଏଁ ! ‘ଛାଡ଼ପତ୍ର, ମାନେ release letter (ରିଲିଜ ଲେଟର) ବିବାହିତ ଜୀବନର ସମସ୍ୟା ହିମାଳୟକୁ ତୁମେ ଭାଙ୍ଗିବ ଗୋଟାଏ ଛାଡ଼ପତ୍ର କାଗଜରେ ।’

 

 

 

ବୀର

ହଁ, ଠିକ୍‌ ସେୟା ହବ । ମତେ ତୁମେ ଆଉ କିଛି କୁହନା ବୃଷ ଭାଇ, ମୁଁ ସବୁ ଠିକ୍‌ କରି ସାରିଛି ।

 

 

 

 

 

(ଟେବୁଲ ଉପରେ ମୁହଁ ମାଡ଼ି ବୀର ବସିରହିଲେ । ଅବସ୍ଥାର ଦାସ ହୋଇ ସେ ଯାହା କରିବାକୁ ଯାଉଛନ୍ତି ସେ କଥା କ’ଣ ଠିକ୍‌ ? ଏଇ ପ୍ରଶ୍ନ ତାଙ୍କ ମନରେ ଜାଗିଲା । ଏଇ ଅବସ୍ଥାରେ କ’ଣ କରିବାକୁ ହେବ, ଏ କଥା ଅରୁ ବୃଷଭାନୁଙ୍କୁ ଇଙ୍ଗିତରେ ପଚାରିଲେ ।

 

କିଛି କହିବା ଅନୁଚିତ ବୋଲି ଠାରରେ ଜଣେଇ ବୃଷ ଅରୁକୁ ସାଙ୍ଗରେ ଧରି ଭିତରକୁ ଚାଲିଗଲେ । ବୀର ଗୋଟିଏ ବହି ଆଣି ପଢ଼ିଲେ ଓ କାଗଜ ଆଣି ଲେଖିବାକୁ ଲାଗିଲେ । ଏଇ ସମୟରେ ପାଖ ଘରୁ ଶୁଣାଗଲା କଳ୍ପନାର ଗୀତ ।)

 

 

 

ବୀର

ବନ୍ଦ କର କଳ୍ପନା । ଏ ଘରେ କେହି ଗୀତ ଗାଇ ପାରିବେ ନାହିଁ ।

 

 

 

କଳ୍ପନା

(ପ୍ରବେଶ କରି) ବୀରବାବୁ !

 

 

 

ବୀର

ସଙ୍ଗୀତର ଏଠି ମୃତ୍ୟୁ ହୋଇଚି । କିନ୍ତୁ ସେ’ ତ ଆପେ ଆପେ ମରି ନାହିଁ । ମୁଁ ତାକୁ ହତ୍ୟା କରିଛି । ସଙ୍ଗୀତକୁ ଯେ ଘୃଣା କରେ ତାକୁ ସଙ୍ଗୀତ ଶିଖେଇବାକୁ ଇଚ୍ଛା କରି ମୁଁ ସଙ୍ଗୀତକୁ ମାରି ଦେଇଛି ।

 

 

 

କଳ୍ପନା

ବୀର ବାବୁ ଆପଣ ଥୟ ଧରନ୍ତୁ । ସବୁ ଠିକ୍‌ ହେଇଯିବ ।

 

 

 

ବୀର

ନା ମୁଁ ଠିକ୍‌ ହେବାକୁ ଚାହେଁନା । ମୁଁ ଚାହେଁ ସବୁ ଭାଙ୍ଗିଯାଉ । ଧୂମକେତୁ ଭଳି ମୁଁ ଚାହେଁ ପ୍ରଳୟ—ସର୍ବନାଶ !

 

 

 

କଳ୍ପନା

ବୀରବାବୁ ।

 

 

 

ବୀର

ସଙ୍ଗୀତ ଆଜି ପ୍ରଳୟକୁ ଡାକି ଆଣିଛି । ମୁଁ ସେଇ ସଙ୍ଗୀତ ପାଇଁ ଆଜି ମୋର ସର୍ବନାଶ କରିଛି । ତେଣୁ ମୁଁ ଚାହେଁ ଆଜି ସର୍ବନାଶର ଗୀତ । ଗାଇପାରିବ ତୁମେ ? ଧ୍ୱଂସର ଆବାହନ ପାଇଁ ତୁମେ ପ୍ରଳୟର ନୃତ୍ୟ କରି ମତେ ଶେଷ କରି ଦେଇ ପାରିବ ?

 

 

 

କଳ୍ପନା

ଆପଣ ଏ ସବୁ କ’ଣ କହୁଛନ୍ତି ବୀରବାବୁ ! (ଦୁଃଖରେ ଭାଙ୍ଗି ପଡ଼ୁଥିଲେ)

 

 

 

ବୀର

ପାରିବ ନାହିଁ ମତେ ଶେଷ କରି ? ପୁରାଣରେ ସେଇ ନାଗକନ୍ୟା ଭଳି ମୋର ଶରୀର ସାରା ବିଷ ଭରି ପାରିବ ନାହିଁ ତୁମେ ?

 

 

 

କଳ୍ପନା

ବୀରବାବୁ ଆଜି ଆପଣଙ୍କର ସବୁ ଅଶାନ୍ତି ମୂଳରେ ମୁଁ । ମତେ ଆପଣ ଶେଷ କରିଦିଅନ୍ତୁ । ମୋ ଭଳି ଗୋଟାଏ ଅଲୋଡ଼ା ଜୀବନ ସବୁଦିନ ପାଇଁ ଲିଭିଯାଉ ।

 

 

 

ବୀର

ବାଃ ! ଚମତ୍‌କାର ! ଏକଦମ୍‌ ନାଟକୀୟ ! ନା, ନା, ତୁମେ କାହିଁକି ନ ରହିବ-? ମୋ ଭଳି ଗୋଟାଏ ଧୂମକେତୁ ସବୁଦିନ ପାଇଁ ଲୁଚିଯାଉ । ତୁମ ପାଇଁ ଆକାଶ ମୁକ୍ତ ହେଉ । ମୁଁ ତୁମର ମଙ୍ଗଳ କାମନା କରୁଛି କଳ୍ପନା । ତୁମେ ସୁଖୀ ହୁଅ । ଯାହା ସବୁ କହିଛି ସେଥିଲାଗି ମତେ କ୍ଷମା କର (ସଜୋରେ ପ୍ରସ୍ଥାନ)

 

 

 

କଳ୍ପନା

ବୀରବାବୁ ! ଶୁଣନ୍ତୁ । ମୋ କଥା ଟିକିଏ ଶୁଣିଯାନ୍ତୁ । (ଅଦ୍ୱୈତଙ୍କ ପ୍ରବେଶ)

 

 

 

 

 

(କଳ୍ପନା ନିଜକୁ ସଂଯତ କରିନେଲେ । ନିଜର ଦୁଃଖ, ଅବସାଦକୁ ଚାପି ରଖି କହିଲେ)

 

 

 

କଳ୍ପନା

ଆରେ ଅଦ୍ୱୈତ ବାବୁ ।

 

 

 

ଅଦ୍ୱୈତ

ତା’ହେଲେ କ’ଣ ମତେ ତଡ଼ି ଦେବେ ?

 

 

 

କଳ୍ପନା

ଆରେ, ଏ କଥା କ’ଣ କହୁଛନ୍ତି ? ବସନ୍ତୁ ।

 

 

 

ଅଦ୍ୱୈତ

ଆଜି ଖାଲି ବସିବାକୁ ମୁଁ ଆସିନାହିଁ, ମୁଁ ଆପଣଙ୍କ ନିଷ୍ପତ୍ତି ଜାଣିବାକୁ ଚାହେଁ ।

 

 

 

କଳ୍ପନା

ମୁଁ ଜଣେ ସାମାନ୍ୟ ସଙ୍ଗୀତ ଶିକ୍ଷୟିତ୍ରୀ । ମୋର ନିଷ୍ପତ୍ତି ଗୋଟାଏ କ’ଣ ? ଯାହାର ଆଦ୍ୟ ପ୍ରାନ୍ତ ଅତି ସାଧାରଣ ତାକୁ ଆପଣ ଅଯଥା ମର୍ଯ୍ୟାଦା ଦେଉଛନ୍ତି ?

 

 

 

ଅଦ୍ୱୈତ

ଏ ସବୁ କହି ମତେ ଭୁଲେଇ ଦେବାର ଚେଷ୍ଟା କରନ୍ତୁ ନାହିଁ । ମୁଁ ଜାଣେ ଆପଣ ବୀରକୁ ଭଲ ପାଆନ୍ତି ।

 

 

 

କଳ୍ପନା

ଅଦ୍ୱୈତ ବାବୁ ।

 

 

 

ଅଦ୍ୱୈତ

କିନ୍ତୁ କହନ୍ତୁ, ଆପଣ କ’ଣ ବୀରକୁ ବିବାହ କରି ପାରିବେ ? ଦୁଇଟି ଜୀବନରେ ସମାଧାନର ସୁଯୋଗ ନ ଦେଇ ଆପଣ କ’ଣ ସେମାନଙ୍କୁ ଧ୍ୱଂସ ଆଡ଼କୁ ଟାଣି ନେବେ ?

 

 

 

କଳ୍ପନା

ଆପଣ ବନ୍ଦ କରନ୍ତୁ ଅଦ୍ୱୈତ ବାବୁ । ମୋର ସରଳତାର ସୁଯୋଗ ନେଇ ଆପଣ ଖୁବ୍‍ ଆଗେଇଛନ୍ତି, ମତେ ଆପଣ ଯେତେ ନୀଚ, ଘୃଣ୍ୟ ଭାବିଛନ୍ତି । ମୁଁ ତା ନୁହେଁ । ଆପଣ ମତେ କ୍ଷମା କରନ୍ତୁ । ଆଉ ଅଧିକ କହିଲେ ମୁଁ ଆପଣଙ୍କ ସମ୍ମାନ ରଖି ପାରିବି ନାହିଁ ।

 

 

 

ଅଦ୍ୱୈତ

ମତେ କ୍ଷମା କରନ୍ତୁ । ମୋ କଥାଟା ବୋଧେ ମୁଁ ଠିକ୍‌ ଭାବେ ପ୍ରକାଶ କରି ପାରିଲି ନାହିଁ । ଆପଣ କହିଥିଲେ ଅତୀତକୁ ଯେ ଭୁଲିପାରିବ ତାକୁ ଆପଣ ସ୍ନେହ ଶ୍ରଦ୍ଧା ଦେଇ ପାରିବେ । ମୁଁ କଥା ଦେଉଛି କଳ୍ପନା ଦେବୀ । ଅତୀତରେ ବିବାହ କରିବାକୁ ଆପଣଙ୍କ ମନ ଥିଲା ବୋଲି ଜାଣି ବି ମୋର ଦୁଃଖ ନାହିଁ ।

 

 

 

କଳ୍ପନା

ନା-ନା-ଅଦ୍ୱୈତ ବାବୁ । ଆପଣ ଏକଥା କେବେ କରି ପାରିବେ ନାହିଁ ।

 

 

 

ଅଦ୍ୱୈତ

ମତେ ବିଶ୍ୱାସ କରନ୍ତୁ । ଅତୀତ ମୋ ପାଖରେ ମୂଲ୍ୟହୀନ । ଆପଣଙ୍କୁ ନେଇ ମୁଁ ମୋର ବର୍ତ୍ତମାନକୁ ସରସ ସୁନ୍ଦର କରିବାକୁ ଚାହେଁ । (ବୀରଙ୍କ ପ୍ରବେଶ)

 

 

 

ବୀର

ବାଃ Romantic

 

 

 

ଅଦ୍ୱୈତ

ଆରେ ବୀର ! ମୁଁ ତୋ ଅପେକ୍ଷାରେ ଥିଲି ।

 

 

 

ବୀର

ସତେ ?

 

 

 

ଅଦ୍ୱୈତ

ତୋର ଆଜି କ’ଣ ହୋଇଛି ବୀର । ଦିନେ ତୁ ନିଜକୁ ପରମ ପ୍ରେମିକ ବୋଲି ପରିଚୟ ଦେଉଥିଲୁ । ଆଜି କିନ୍ତୁ ନିଜର ସ୍ତ୍ରୀକୁ ସନ୍ତୁଷ୍ଟ କରିପାରିନୁ । ସାମାନ୍ୟ ଖିଆଲରେ ଗୋଟାଏ ଜୀବନ ନଷ୍ଟ କରି ଦେଇଛୁ ।

 

 

 

ବୀର

ଚୁପ୍‌ କର, ରମା ପ୍ରତି ତୋର ଦରଦର କାରଣ ମୁଁ ଜାଣେ । କଳ୍ପନାକୁ ବିବାହ କରିବାକୁ ତୁ ଆଗେଇ ଆସିଥିଲୁ । କିନ୍ତୁ ତୁ ହତାଶ ହେଲୁ । ଆଜି ତୋର ସମସ୍ତ ଉପଦେଶ, ସମସ୍ତ ଦରଦ ଗୋଟାଏ ବ୍ୟର୍ଥ ପ୍ରେମିକର ପ୍ରଳାପ । ଗୋଟାଏ ଆହତ ମନର ବିକଳ ଚିତ୍କାର ।

 

 

 

ଅଦ୍ୱୈତ

ଏ ସବୁ ତୋର ମନଗଢ଼ା କଥା । କଳ୍ପନା ଦେବୀଙ୍କୁ ତୁ ପଚାରି ପାରୁ !

 

 

 

ବୀର

ଆଚ୍ଛା ? କଳ୍ପନା ! ତୁମେ ବିବାହ କରିବାକୁ ଠିକ୍‌ କରି ସାରିଛ ? କୁହ ? (କଳ୍ପନା ନୀରବ) (କଳ୍ପନାକୁ ଟିକେ ଚାହିଁ ଆହତ ସ୍ୱରରେ) ମତେ କ୍ଷମା କର କଳ୍ପନା । ମୋର ଭୁଲ ହେଇଯାଇଛି । ଖୁବ୍‌ ଜୋରରେ ବାହାରିଗଲେ । (କଳ୍ପନା ଓ ଅଦ୍ୱୈତ ଚାହିଁ ରହିଲେ ।)

 

ଚତୁର୍ଥ ଦୃଶ୍ୟ

 

[ଶଙ୍କରଙ୍କର ଘରର ଅଳିନ୍ଦ । ଘନ ବିରକ୍ତ ହୋଇ ବାହାରକୁ ଚାଲି ଯାଉଥିଲେ । ପଛରେ ଗୋଟିଏ ପୁଡ଼ିଆ ଧରି ଆସୁଥିଲେ ମିନି ।]

 

ମିନି

ଟିକିଏ ଶୁଣ ଭଲା ! ମୋ କଥା ଟିକିଏ ଶୁଣ ।

 

 

 

ଘନ

ଖୁବ୍‌ ଶୁଣିଚି ମିନି । ଆଉ ତୁମର କିଛି ଶୁଣେଇବା ଦରକାର ନାହିଁ ।

 

 

 

ମିନି

ମଲା, ଅବସ୍ଥାକୁ ଚାହିଁ ବ୍ୟବସ୍ଥା କରିବା କ’ଣ ଭଲ ନୁହେଁ ?

 

 

 

ଘନ

ଭଲ ମନ୍ଦ, ମତେ ଆଉ ତୁମେ ବୁଝାଅ ନାହିଁ ମିନି । ମୁଁ ସବୁ ବୁଝିଛି । ସେ କାମ ମୁଁ କେବେହେଲେ କରି ପାରିବି ନି ମିନି । ତୁମେ ମତେ ଆଉ ସେ କଥା କୁହ ନାହିଁ ।

 

 

 

ମିନି

ତା’ହେଲେ କିମିତି ଚଳିବ କହିଲ ?

 

 

 

ଘନ

ଗୋଲାମି କରି କରଜ କରି ପଛେ ଟଙ୍କା ଆଣିବି । କିନ୍ତୁ ମୁଁ ସେ କାମ ଆଦୌ କରି ପାରିବି ନାହିଁ ମିନି । ତୁମେ ମତେ ଆଉ ବାଧ୍ୟ କରନା ।

 

 

 

ମିନି

ଏ ଗୁଡ଼ାକ ଥାଇ ମୋର କ’ଣ ହବ କହିଲ ? ଋଣରେ ତୁମେ ବୁଡ଼ି ରହିବ । ଆଉ ଗହଣାରେ ମୁଁ ସଜେଇ ହେଇ ସବୁ ଭୁଲିଯିବି, ଏଇଟା କ’ଣ ଶୋଭା ଦିଶିବ ? ଆଉ ସେମିତି ହୁଅନି, ମୋ କଥା ଶୁଣ ।

 

 

 

ଘନ

ମିନି ଏ ପର୍ଯ୍ୟନ୍ତ ତୁମ କଥା ମୁଁ ମାନି ଆସିଥିଲି, କିନ୍ତୁ ଆଜି ମୁଁ ଆଉ ମାନି ପାରିବି ନାହିଁ । ତୁମ ଗହଣା ନେଇ ଦାଣ୍ଡରେ ବନ୍ଧା ପକେଇବି ? ଲୋକେ ମତେ କ’ଣ କହିବେ ? ନା-ନା, ମିନି ସେ କଥା ହେଇପାରିବ ନାହିଁ, ସେ କାମ ମୋ ଦେଇ ହେଇ ପାରିବ ନାହିଁ, (ଚାଲି ଯାଉ ଯାଉ ପୁଣି ଫେରି) ଆରେ ବାବାଙ୍କର ଜର ଦେଖିବାକୁ ଭୁଲି ଯାଇଛି (ପୁଣି ଭିତରକୁ ଗଲେ । ରମାଙ୍କ ପ୍ରବେଶ)

 

 

 

ରମା

ଭାଇ କାହିଁକି ପାଟି କରୁଥିଲେ ଭାଉଜ ?

 

 

 

ମିନି

ବାବାଙ୍କୁ ରକ୍ତଚାପ ବେମାର ହେବା ଦିନଠୁ ଜାଣ ତ କେତେ ଖର୍ଚ୍ଚ ଚାଲିଛି, ପୁଣି ଇଞ୍ଜେକସନ୍‌ ଦବାକୁ ଡାକ୍ତର କହିଚି । ସେଥିପାଇଁ ମୁଁ କହିଲି ମୋ ଗହଣା ବନ୍ଧା ପକାଇବାକୁ

 

 

 

ରମା

ଭାଉଜ । (ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ)

 

 

 

ମିନି

କ’ଣ ହେଲା ? ଏମିତି ଚାହୁଁଚ କାହିଁକି ମ ?

 

 

 

ଘନ

(ପ୍ରବେଶ) ତୁ କ’ଣ କଲୁ ରମା ?

 

 

 

ରମା

ଭାଇ !

 

 

 

ଘନ

ଜାଣି ଜାଣି ତୁ ନିଜର ସର୍ବନାଶ କରିଛୁ, ତୁ ଆଜି ସବୁ ସାରି ଦେଇଛୁ । ମୁଁ ଯାହା ଆଶଙ୍କା କରିଥିଲି ଆଜି ଠିକ୍‌ ସେଇୟା ହେଇଚି । ଏଥିପାଇଁ ତୁ ପରକୁ ଦୋଷ ଦେଉଥିଲୁ ନା ?

 

 

 

ମିନି

କ’ଣ ହେଇଚି ?

 

 

 

ଘନ

ଅଦ୍ୱୈତବାବୁ ଏଇ ଚିଠି ଦେଇଛନ୍ତି ?

 

 

 

ରମା

କ’ଣ ଲେଖିଛନ୍ତି ?

 

 

 

ଘନ

ତୁ ମତେ ସେ ସବୁ କିଛି ପଚାରନା ରମା ! ତୁମେ ସମସ୍ତେ ମୋ ମୁଣ୍ଡଟାକୁ ଗୋଳମାଳ କରି ଦେଇଚ ।

 

 

 

ମିନି

ଇମିତି କ’ଣ ହଉଚମ ? କ’ଣ ହେଇଚି କୁହ ?

 

 

 

ଘନ

ସମସ୍ତେ ଖାଲି ଅଭିମାନ କରି ବସିଲେ । କିନ୍ତୁ କେହି ଟିକେ ମୋ କଥା ଶୁଣିଲେ ନାହିଁ । କାଲି ସକାଳେ ମୁଁ ଦାଣ୍ଡରେ ମୁଣ୍ଡ ଟେକି ବାଟ ଚାଲିବି କେମିତି ?

 

 

 

ମିନି

ମଲା, କ’ଣ ହେଇଚି ଟିକେ କୁହ ଭଲା !

 

 

 

ଘନ

ଭାବିଥିଲି ବୀରବାବୁଙ୍କ ପାଖକୁ ଯାଇ ତାଙ୍କୁ ଟିକେ ବୁଝେଇ ସୁଝେଇ ଦେଇଥାନ୍ତି । କିନ୍ତୁ କୋଉ ମୁହଁରେ ଯାଇଥାନ୍ତି ! ଯାହାର ତ ଯିବାର କଥା ସେ ଏ ଯାଏ ଟାଣ କରି ରହିଲା । ମୁଁ ଆଉ କୋଉ ମୁହଁରେ ଯିବି ? କୋଉ ଲଗ୍ନରେ ଯେ ରମା ଜନ୍ମ ହୋଇଥିଲା !

 

 

 

(ଶଙ୍କରଙ୍କର ପ୍ରବେଶ । ମିନିଙ୍କର ପ୍ରସ୍ଥାନ)

 

 

 

ଶଙ୍କର

କଣ ହେଇଚି ?

 

 

 

ଘନ

ତୁମେ ଏଠିକି କାହିଁକି ଆସିଲ ? ଡାକ୍ତର ଯେତେ ମନା କଲେ ବି ତୁମେ ଶୁଣୁନା ।

 

 

 

ଶଙ୍କର

କଣ ହୋଇଚି, ମତେ ଆଗ କହ ।

 

 

 

ଘନ

କଣ ଆଉ ହେବ ! ଯାହା ହେବା କଥା ସେଇୟା ହେଲା ! ଆଜିଯାଏ ସବୁ ସହିଲି ବୋଲି ସମସ୍ତେ ମନଇଚ୍ଛା କାମ କରି ଯାଉଛନ୍ତି । ମୋର ଏଇ ସହିବା ଗୁଣ ପାଇଁ ଆଜି ସବୁ ଅନର୍ଥ ହେଇଚି । ଦାଣ୍ଡକୁ ଚିହ୍ନା ପଡ଼ିଲା ବେଳକୁ ମୁଁ । ସବୁ ଦାୟିତ୍ୱ ନେଲା ବେଳକୁ ମୁଁ । ଅଥଚ ଘର ଭିତରେ ବସି ସମସ୍ତେ ମତେ ପଦେ ପଦେ ବାଧା ଦେଉଛନ୍ତି । ଆଜି ମୁଁ କ’ଣ କରିବି ?

 

 

 

ଶଙ୍କର

କ’ଣ ହେଇଚି କହୁନୁ କାହିଁକି ?

 

 

 

ଘନ

କିଛି ହେଇ ନାହିଁ । କାହାରି କିଛି ବ୍ୟସ୍ତ ହେବା ଦରକାର ନାହିଁ । ସମସ୍ତଙ୍କର ଜିଦ୍‌ ବଜାଏ ରହିଛି । ଏଣିକି ତା’ରି ଫଳ ମତେ ଭୋଗ କରିବାକୁ ପଡ଼ିବ ।

 

 

 

ରମା

କ’ଣ ହେଇଚି ଭାଇ !

 

 

 

ଘନ

ତୁ ମୋତେ କିଛି ପଚାରନା ! ତୋ କଥା ଶୁଣିଲା ବେଳକୁ...(କିଛି କହି ପାରିଲେ ନାହିଁ)

 

 

 

ଶଙ୍କର

 

ଘନ

 

ମିଛରେ ଗୋଟାଏ ଚହଳ ପକେଇଛୁ କାହିଁକି ?

 

ମୁଁ କେବେ ହେଲେ ମିଛରେ ଚହଳ ପକାଏନା । ମତେ ଛାଡ଼ି ବାକି ସମସ୍ତେ ତୁଚ୍ଛା କଥାକୁ ନେଇ ବଡ଼ କରି ଥୋଇଛନ୍ତି ।

 

 

 

ଶଙ୍କର

କ’ଣ ତୁ କହୁଚୁ ଘନ ?

 

 

 

ଘନ

ନିଜର ଜିଦ୍‍ ବଜାୟ ରଖିବା ପାଇଁ ସମସ୍ତେ ଏତେ ତମ୍ବୁ ତୋଫାନ କରୁଥିଲେ-। କିନ୍ତୁ ଘରର ଝିଅ ଯେତେବେଳେ କଚେରୀରେ ଠିଆ ହୋଇ ତାର ସ୍ୱାମୀ ଆଗରେ ସାକ୍ଷୀଦେବ ସେତେବେଳେ କୋଉ ମର୍ଯ୍ୟାଦାଟା ରହିବ ? କୋଉ ମୁହଁ ନେଇ ସମସ୍ତେ ଏଣିକି ବଡ଼ ବଡ଼ କଥା କହିବେ ?

 

 

 

ଶଙ୍କର

ମୋ ନାଁ ନ ଧରି ପରୋକ୍ଷ ଭାବରେ ତୁ ମତେ ହିଁ ସବୁ ଦୋଷ ଦେଇ ଯାଉଛୁ-। ଆପତ୍ତି କରିବାର ଶକ୍ତି ମୋର ନାହିଁ ।

 

 

 

ଘନ

ଅଭିମାନ କରି ତୁମେ ଭୁଲ ପରେ ଭୁଲ କରି ବସିଚ ବାବା । ରମାକୁ ଠିକ୍‌ ବାଟକୁ ଆଣିବା ପାଇଁ ମୁଁ ଯେତେ ଯତ୍ନ କରିଚି ସବୁ ବିଫଳ ହେଇଚି ।

 

 

 

ଶଙ୍କର

ଏଥିପାଇଁ କ’ଣ ଦାୟୀ ମୁଁ ?

 

 

 

ଘନ

ଥରେ ଭାବି ଦେଖ ବାବା । ତୁମର ଏଇ ଅଭିମାନର ପ୍ରଭାବ ରମା ଉପରେ ପଡ଼ିଚି । ନିଜର ଦୋଷ ନ ବାଛି ସେ ଆଜି ପରକୁ ଦୋଷୀ କରୁଚି ।

 

 

 

ଶଙ୍କର

ଘନ !

 

 

 

ଘନ

ଆଜି ସବୁ ସରିଯାଇଛି । ଶତ ଝଡ଼ ଝଞ୍ଜା ଭିତରେ ବି ନାରୀ ଜୀବନକୁ ଯାହା ସାର୍ଥକ କରିଥାଏ ରମା ଆଜି ସେଇଥିରୁ ଚିରଦିନ ପାଇଁ ବଞ୍ଚିତ ହେବାକୁ ଯାଉଚି ।

 

 

 

ଶଙ୍କର

କଣ ତୁ କହୁଚୁ ଘନ ?

 

 

 

ଘନ

(ଟିକେ ରହି) ଚିରଦିନ ପାଇଁ ରମାକୁ ତ୍ୟାଗ କରିବା ପାଇଁ ବୀରବାବୁ ଠିକ୍‌ କରି ସାରିଛନ୍ତି ।

 

 

 

ଶଙ୍କର

ଘନ ! (ରମା ନିର୍ବାକ୍‌ ହେଇ ଠିଆହୋଇଥାନ୍ତି)

 

 

 

ଘନ

ବାବା ! [ବାବା ଓ ରମାର ପରିସ୍ଥିତିକୁ ଲକ୍ଷ୍ୟ କରି] ଆଚ୍ଛା ତୁମେ ଆଗେ ଭିତରକୁ ଗଲ । ସେ ସବୁ କଥା ମୁଁ ବୁଝିବି, ଚାଲ ।

 

 

 

ଶଙ୍କର

ମୁଁ ଯିବି । ନିଶ୍ଚୟ ଯିବି । କିନ୍ତୁ ମୁଁ ଏକା ଯିବି ନାହିଁ ରମା ବି ମୋ ସାଙ୍ଗରେ ଯିବ ।

 

 

 

ରମା

ବାବା !

 

 

 

ଶଙ୍କର

ତୁ ବିଷ ଖାଇ ପାରିବୁ ମା ?

ଘନ

ବାବା !

 

 

 

ଶଙ୍କର

[ରମାକୁ ଚାହିଁ] ପାରିବୁ ମା ? ଦିନେ ମୋ ପାଟିରେ ବିଷ ଦେବା ପାଇଁ ତତେ କହିଥିଲି, କିନ୍ତୁ ଆଜି ମୁଁ ତୋ ପାଟିରେ ବିଷ ଦେବି !

 

 

 

ଘନ

ବାବା ! ଏ ସବୁ ତମେ କ’ଣ କହିଯାଉଚ ?

 

 

 

ଶଙ୍କର

ହଁ, ହଁ । ଯୋଉ ହାତରେ ଦିନେ ତତେ ମୁଁ ବଢ଼େଇ ଆଣିଥିଲି, ଠିକ୍‌ ସେଇ ହାତରେ... ଆଉ କିଛି କହି ନ ପାରି ଚାଲିଗଲେ ।

 

 

 

ରମା

ଏଥିରେ କାହାରି କିଛି ଦୁଃଖ କରିବାର ନାହିଁ । ଏଥିରେ ବରଂ ଆନନ୍ଦ ହେବାର ଯଥେଷ୍ଟ କାରଣ ଅଛି ।

 

 

 

ଘନ

ରମା ! ନିର୍ଲ୍ଲଜତାର ଗୋଟେ ସୀମା ଅଛି ।

 

 

 

ରମା

ଭାଇ ।

 

 

 

ଘନ

ଚୁପ୍‍ କର । ଗଉଁ ଗୁମାନ କରି ନିଜର ତ ସର୍ବନାଶ କଲୁ । ତା ଛଡ଼ା ନିଜର ଭାଇ ବନ୍ଧୁ କୁଟୁମ୍ବ ସମସ୍ତଙ୍କ ମୁହଁରେ କାଳି ବୋଳିଲୁ । ଅନୁତାପ ନ କରି ତୁ ଆହୁରି ଟାଣ କରୁଚୁ ?

 

 

 

ରମା

କାହିଁକି ଅନୁତାପ କରିବି ? ମୁଁ କି ଦୋଷ କରିଚି ?

 

 

 

ଘନ

ରମା ?

 

 

 

ରମା

ବରଂ ମୁଁ ଆଜି ମୁକ୍ତି ପାଇଛି । ଏହି ମୁକ୍ତିରେ ହିଁ ମୋର ଶାନ୍ତି । ଜଣେ ଚରିତ୍ରହୀନ ନିଷ୍ଠୁର ସ୍ୱାମୀ ସହିତ....

 

 

 

ଘନ

ବନ୍ଦ କର ରମା, ବନ୍ଦ କର ! ତତେ ଟିକିଏ ଲଜ୍ଜ୍ୟା ଲାଗୁ ନାହିଁ ? ତୁ ଏସବୁ କଥା କହି ପାରୁଚୁ ? ଯେତେ ହେଲେ ସେ ତୋର ସ୍ୱାମୀ । ତାଙ୍କ ବିରୁଦ୍ଧରେ ତୁ ଇମିତି କହି ପାରୁଚୁ ! (ଦୁଃଖରେ କହିଲେ) ରମା ! ଆଜି ତୋ କଥା ଶୁଣିଲା ବେଳକୁ ବୋଉ କଥା ମୋର ମନେ ପଡ଼ିଯାଉଛି । ସେ ଯଦି ଆଜି ଥାନ୍ତା ! ଛି-ଛି, ତା ଭଳିଆ ମାଠୁଁ ଜନ୍ମ ହୋଇ ତୁ ଆଜି କ’ଣ ହେଇଚୁ !

ରମା

କେବଳ ମତେହିଁ ଦୋଷ ଦେବାକୁ ତୁମେ ଶିଖିଚ ! ଦୁନିଆରେ ଆଉ କାହାର ଦୋଷ ତୁମ ଆଖିରେ ପଡ଼େନା ? ମୋ ପ୍ରତି ସେ ଯେମିତି ନିଷ୍ଠୁର ହେଇଚନ୍ତି, ଯେପରି ଅବିଚାର କରିଚନ୍ତି, ତାକୁ ଲକ୍ଷ୍ୟ କରିଥିଲେ, ଯେ କୌଣସି ଲୋକ କହନ୍ତା ଯେ, ଏପରି ଗୋଟିଏ ନରପିଶାଚକୁ ଗୁଳି କରି ମାରିଦେବା ଦରକାର ।

ଘନ

(ଖୁବ୍‌ ଜୋରରେ ଚିତ୍କାର କରି କହିଲେ) ରମା । (ରାଗରେ ଚାଲିଗଲେ) (ବୀରକିଶୋରଙ୍କ ପ୍ରବେଶ)

ବୀର

ରମା !

ରମା

ତୁମେ ?

ବୀର

ଘରକୁ ଚାଲ

ରମା

କାହିଁକି

ବୀର

(ଶୁଷ୍କ କଣ୍ଠରେ) କ’ଣ ସବୁଦିନ ଏଠି ଥିବ ?

ରମା

କୋଉଠିକି ଯିବି ? କାହା ପାଖକୁ ଯିବି ?

ବୀର

ଏଇ ତାହାହେଲେ ତୁମର ଶେଷକଥା । [ରମା ନୀରବ] ଜବାବ ଦିଅ । (ଶଙ୍କରଙ୍କର ପ୍ରବେଶ)

ଶଙ୍କର

କିଏ ? ଓ, ତୁମେ ? ଏଠି କାହିଁକି ?

ବୀର

ରମାକୁ ନେଇ ଯିବା ପାଇଁ !

ଶଙ୍କର

ରମାକୁ ନେଇଯିବ ? (ହସି) ହଠାତ୍‌ ଏ ପ୍ରକାର ମମତା କିପରି ବୀର ବାବୁ ? ଏ ଦରିଦ୍ରଗୁଡ଼ାକଙ୍କ ପ୍ରତି ଏ ଅଯାଚିତ ଦୟା କାହିଁକି ?

ରମା

ବାବା !

ବୀର

ବେଶ୍‌, ମୁଁ ରମାଠୁଁ ଶେଷ ଥର ପାଇଁ ଶୁଣିବାକୁ ଚାହେଁ ?

ରମା

(ଅଭିମାନରେ) ତୁମର ସୁଖ ସଂସାରରେ ଅଶାନ୍ତିର ନିଆଁ ଜାଳିବାକୁ ମୁଁ ଚାହେଁନା । ତୁମେ ଶାନ୍ତିରେ ରୁହ । ତୁମେ ସୁଖରେ ରୁହ । (ପ୍ରସ୍ଥାନ)

ଶଙ୍କର

[ବୀରଙ୍କୁ ଚାହିଁ] କାହିଁକି ଆଉ ଠିଆ ହେଇଛ ? ଯାଅ । ବାହାରି ଯାଅ ।

 

୫ମ ଦୃଶ୍ୟ

(ରାଜପଥ-ବୀର ଓ ଜୀବନେଶ୍ୱର)

 

ଜୀବ

ଆପଣଙ୍କ ଉପକାର ମୁଁ ଶୁଝି ପାରିବି ନାହିଁ ଆଜ୍ଞା । ସବୁ ଜନ୍ମଯାକ ମୁଁ ଆପଣଙ୍କ ପାଖେ ଋଣୀ ରହିଲି । ଆପଣ ଯାହା କହିବେ, ତାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରିବି ।

ବୀର

ରାତି ଏଗାରଟା ବେଳେ ଆସି ମୋ ସାଙ୍ଗରେ ଦେଖା କରିବ ।

ଜୀବ

ଆଜ୍ଞା, ଏଗାରଟା ବେଳେ ?

ବୀର

ହଁ, ଶଙ୍କର ବାବୁଙ୍କ ଘରକୁ ଯିବାକୁ ପଡ଼ିବ ।

ଜୀବ

ନିଶ୍ଚୟ ଆସିବି ସାର୍‍ ।

ବୀର

ବେଶ୍‌ ମୁଁ ଯାଉଛି । ମୁଁ ତୁମକୁ ଘରେ ଅପେକ୍ଷା କରିଥିବି । (ପ୍ରସ୍ଥାନ)

(ବୃଷବାବୁଙ୍କ ପ୍ରବେଶ)

ବୃଷ

କିହୋ Mr. ଜୀବନେଶ୍ୱର ? ଖବର କ’ଣ ?

ଜୀବ

ଏଣିକି ମିଳାମିଶା ହୋଇଗଲା ସାର୍‌ ।

ବୃଷ

କ’ଣ, ମିଳାମିଶା ହୋଇଗଲା ?

ଜୀବ

ଆଜ୍ଞା ଆଡ଼ଭୋକେଟ୍‍ ସାହେବ ଆଜି ଶଶୁର ଘରକୁ ଯାଉଛନ୍ତି ।

ବୃଷ

ଶଶୁର ଘରକୁ ? କେତେବେଳେ ?

ଜୀବ

ରାତି ଏଗାରଟା ବେଳେ ।

ବୃଷ

ଏଁ । କଥାଟା ତ କିଛି ଭଲ ଦିଶୁ ନାହିଁ ।

ଜୀବ

ଦିଶୁ ନାହିଁ ଆଜ୍ଞା ? କିନ୍ତୁ

ବୃଷ

No କିନ୍ତୁ । ତାଙ୍କ ସାଙ୍ଗରେ ସମସ୍ତ କଥା ଭାଷା ଜଣେଇବାକୁ ପଡ଼ିବ ।

ଜୀବ

ସାର୍‌, ଏକଥା ବଡ଼ ଗୁପତ ସାର୍‌।

ବୃଷ

ମୋ ପାଖରେ ଗୁପତ ଜୀବନେଶ୍ୱର !

ଜୀବ

ସବୁ କହିବି ସାର୍‌ । ମୁଁ ଦୁଇଆଡ଼େ ରହିଛି ସାର୍‌ ।

ବୃଷ

ଆସ, ଆସ । ଅନେକ ମନ୍ତ୍ରଣା କରିବାକୁ ଅଛି । (ଦୁହିଁଙ୍କର ପ୍ରସ୍ଥାନ)

Image

 

ତୃତୀୟ ଅଙ୍କ

୬ଷ୍ଠ ଦୃଶ୍ୟ

 

(ଶଙ୍କରବାବୁଙ୍କ ଘର । ସମୟ ରାତି ବାରଟା । ଘଣ୍ଟାରେ ଠନ ଠନ କରି ବାରଟା ବାଜିଲା । ରମା ଘର ଭିତରେ ଚଲାବୁଲା କରୁଥିଲେ ହଠାତ୍‌ ବୀରଙ୍କ ପ୍ରବେଶ)

 

ରମା

କିଏ ?

 

 

 

ବୀର

କ’ଣ ଚିହ୍ନି ପାରୁନା ?

 

 

 

ରମା

ତୁମେ ଏତେବେଳେ ?

 

 

 

ବୀର

କାହିଁକି ? ପ୍ରଣୟୀ ଆଉ ପ୍ରଣୟିନୀଙ୍କ ମଧୁର ଆଳାପ ପାଇଁ ଏ କ’ଣ ପ୍ରକୃତ ସମୟ ନୁହେଁ ? (ଶଙ୍କର ଉଠି ପଡ଼ିଲେ)

 

 

 

ଶଙ୍କର

ଏଁ, କିଏ ପୁଣି କାହିଁକି ? ଯାଅ ଚାଲିଯାଅ ।

 

 

 

ବୀର

ଚାଲିଯିବି (ହସିଉଠିଲେ) ଶ୍ୱଶୁରାଳୟକୁ ଆସି ଜାମାତା କ’ଣ ଇମିତି ଫେରିଯାଏ ? ଅଭ୍ୟର୍ଥନା କାହିଁ ? ଉପଢ଼ୌକନ କାହିଁ ? ମୁଁ ଜାଣେ ଏସବୁ ତୁମ ପାଖରେ ନାହିଁ । ତୁମ ଆଖିରେ ମୁଁ ଅଯୋଗ୍ୟ, ଅପଦାର୍ଥ ।

 

 

 

ଶଙ୍କର

ହଁ, ତୁମେ ଠିକ୍‌ ସେଇୟା ! ତୁମେ ଜାନୁଆର, ସୟିତାନ୍‌, ଚରିତ୍ରହୀନ ।

 

 

 

ବୀର

Stop. ନାରୀକୁ କେବଳ ଇନ୍ଦ୍ରିୟ ପରିତୃପ୍ତିର ମାଧ୍ୟମ ବୋଲି ମୁଁ କେବେ ଗ୍ରହଣ କରିନାହିଁ । ନାରୀତ୍ୱକୁ ମୁଁ ସମ୍ମାନ ଦିଏ, ସତୀତ୍ୱ ମୁଁ ବୁଝେ । ଅନ୍ୟ ନାରୀକୁ ପ୍ରତାରିତ କରି ବ୍ୟଭିଚାର ପଥକୁ ମୁଁ କେବେହେଲେ ଟାଣି ଆଣି ନାହିଁ । କିନ୍ତୁ ତୁମେ ମୋର ଯଥେଷ୍ଟ କ୍ଷତି କରିଛ । ଘରେ ବାହାରେ ସବୁଠି ମୋର କୁତ୍ସାରଟନା କରି ତୁମେ ମୋର ସର୍ବନାଶ କରିଛ । ମୋର ବ୍ୟକ୍ତିତ୍ୱକୁ ହେୟ ଜ୍ଞାନ କରି ତୁମେ ମୋର ସମ୍ମାନରେ କାଳି ବୋଳିଛ । ଏତେଦିନ ଯାକେ ମୁଁ ତୁମକୁ ସହ୍ୟ କରି ଆସୁଥିଲି । କିନ୍ତୁ ଆଉ ନୁହେଁ ।

 

 

 

ଶଙ୍କର

ଚାଲିଯାଅ ଏଠୁ ।

 

 

 

ବୀର

ସେ ଦିନ ଚାଲିଯାଇଥିଲି । କିନ୍ତୁ ଆଜି ନୁହେଁ । ତୁମର ଫାଙ୍କା ଆୱାଜରେ ଡରିଯାଇ ପଛଘୁଞ୍ଚା ଦେବାକୁ ମୁଁ ଆସିନାଇଁ । ବାରମ୍ବାର ଆଘାତ ଦେଇ ତୁମେ ମତେ ରକ୍ତାକ୍ତ କରିଛ । ତା ବଦଳରେ ଆଜି ମୁଁ ଚାହେଁ ତୁମକୁ ରକ୍ତାକ୍ତ କରିବାକୁ (ଚାବୁକ ଉଞ୍ଚାଇଲା ବେଳେ ଶଙ୍କର ସାମନାରେ ରମା ଠିଆ ହେଇଗଲେ)

 

 

 

ରମା

ତୁମେ ତାଙ୍କ ଦେହରେ ହାତ ଦେଇ ପାରିବ ନାହିଁ । ଲଜ୍ଜା ହୁଏନା ? ଯିଏ ନିଜର ବାପ ସମାନ ତୁମେ ତାଙ୍କୁ.....

 

 

 

ବୀର

ଓ ବାପ ସମାନ ! (ହସିଲେ) ଯେ ମୋର ନିନ୍ଦା କରେ, ମତେ ଘୃଣା କରେ; ମୋର ସର୍ବନାଶ କରି ବି ଯାହାର ଲଜ୍ଜା ନାହିଁ, ଅନୁତାପ ନାହିଁ, ସେ ପୁଣି ମୋର ବାପ । ଘୁଞ୍ଚିଯାଅ କହୁଚି । ତୁମ ସାଙ୍ଗେ ହିସାବ ନିକାଶ ହେବାକୁ ଡେରି ଅଛି ଘୁଞ୍ଚ କହୁଛି ।

 

 

 

ରମା

ନା-ଘୁଞ୍ଚିବି ନାହିଁ ।

 

 

 

ବୀର

ଘୁଞ୍ଚିବ ନାହିଁ ?

 

 

 

ରମା

(ଚିତ୍କାର କରି) ନା ।

 

 

 

ବୀର

ଚିତ୍କାର କରନା । ବାହାରର ସବୁ ଦରଜା ବନ୍ଦ ଅଛି । ତୁମର ଅତି ଆଦରର ଭାଇ ଭାଉଜ ବର୍ତ୍ତମାନ ଦାମ୍ପତ୍ୟ ଜୀବନର ମଧୁର ସ୍ୱପ୍ନ ଦେଖିବାରେ ବ୍ୟସ୍ତ-। କିନ୍ତୁ ତୁମେ ?

 

 

 

ରମା

ବେଶ୍ ମତେ ତା’ହେଲେ ମାରି ଦିଅ ।

 

 

 

ବୀର

ମାରିଦେବି ? (ହସିଲେ) ତୁମକୁ ଏତେ ଶୀଘ୍ର ମାରିଦେବା, ଇଚ୍ଛା ମୋର ନୁହେଁ । ତୁମକୁ ବଞ୍ଚି ରହିବାକୁ ହେବ । ଈର୍ଷା, ଅଭିମାନ, ଘୃଣା ଆଉ ଅହଙ୍କାରକୁ ସାଙ୍ଗରେ ନେଇ ପ୍ରତି ମୁହୂର୍ତ୍ତରେ ତୁମେ ଜଳିବ । ଜୀଇଁ ଥାଉ ଥାଉ ତୁମେ ମୃତ୍ୟୁ ଯନ୍ତ୍ରଣା ଅନୁଭବ କରିବ । ଘୁଞ୍ଚିଯାଅ ।

 

 

 

ରମା

ନା, ଘୁଞ୍ଚିବି ନାହିଁ ।

 

 

 

ବୀର

ଘୁଞ୍ଚିବ ନାହିଁ ? ବେଶ୍‍ ଏଇକ୍ଷଣି ହିସାବ ନିକାଶ ହେଇଯାଉ ।

 

 

 

 

 

(ଚାବୁକ ପ୍ରହାର କଲେ । କିନ୍ତୁ ରମା ସେମିତି ଠିଆ ହୋଇରହିଲେ)

 

 

 

ଶଙ୍କର

ଆଉ କାହିଁକି ଠିଆ ହେଇଛ ? ଏଣିକି ଚାବୁକ୍‌ ଚଳାଅ । ଜଲଦି ଚଳାଅ [ବୀର ସେମିତି ଠିଆ ହେଇଥାନ୍ତି । ମନ ତାଙ୍କର ଚଞ୍ଚଳ ହୋଇ ଉଠିଲା]

 

 

 

ବୀର

ନା, ମୁଁ ପାରିଲି ନାହିଁ । କାହାରି ମୁଁ କିଛି କରିପାରିଲି ନାହିଁ । ଏଣିକି ନିଜ ଉପରେ ମୁଁ ପ୍ରତିଶୋଧ ନେବି । (ଜୀବନେଶ୍ୱରଙ୍କ ପ୍ରବେଶ) ଜୀବନେଶ୍ୱର । ଦରଜା ସବୁ ଖୋଲି ଦିଅ ।

 

 

 

ଜୀବ

ଆଗରୁ ସବୁ ଖୋଲି ଦେଇଚି ସାର୍‌ ।

 

 

 

ବୀର

[ବିରକ୍ତ ହୋଇ] ଆଗରୁ କିଏ ସେ କହିଲା ଖୋଲିବାକୁ ?

 

 

 

ଜୀବ

ଆଜ୍ଞା ବୃଷବାବୁ ।

(ବୃଷବାବୁଙ୍କ ପ୍ରବେଶ)

 

 

 

ବୀର

ବୃଷଭାଇ !

 

 

 

ବୃଷ

ହଁ, ମୁଁ । ପୋଲିସ୍‍ କାହିଁ ପୋଲିସ୍‌ । ଘନବାବୁ । ଆପଣ ପୋଲିସ୍‍ ନ ହେଲେ ବି ସାକ୍ଷୀ ରହନ୍ତୁ । ରାତି ବାରଟାବେଳେ ବୀରକିଶୋର ବାବୁ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ କ’ଣ କରୁଥିଲେ ? କ’ଣ ରମାଦେବୀ କହୁନାହାନ୍ତି ? ସେ କାହିଁକି ଆସିଥିଲେ ?

 

 

 

ଘନ

ଶଶୁର ଘରକୁ ଆସିବା ଅଧିକାର କ’ଣ ତାଙ୍କର ନାହିଁ ? ଏ ଘରେ ପାଦ ଦେଇ ସେ ଆମ ସମସ୍ତଙ୍କୁ କୃତାର୍ଥ କରିଛନ୍ତି ।

 

 

 

ବୀର

ଏସବୁ ବାଜେ କଥା ମୁଁ ଶୁଣିବାକୁ ଚାହେଁନା । (ପ୍ରସ୍ଥାନୋଦ୍ୟତ)

 

 

 

ବୃଷ

କୁଆଡ଼େ ଯାଉଛ ? ସମସ୍ତଙ୍କୁ ଦୋଷ ଦେଇ ନିଜକୁ ନିର୍ଦ୍ଦୋଷ ବୋଲି କହି ଚାଲିଛ । କିନ୍ତୁ ତୁମେ ଏତେ ନିରୀହ ନୁହଁ । ରମାଦେବୀଙ୍କ ସହିତ କଳି କଲାବେଳେ ତୁମ ଭୟଙ୍କର ରୂପ ମୁଁ ଦେଖିଛି ।

 

 

 

ଘନ

ରମା ବି ନିର୍ଦ୍ଦୋଷ ନୁହେଁ । ତା ଗୁଣ ଯୋଗୁଁ ବୀରବାବୁଙ୍କ ମନ ବିଷାକ୍ତ ହେଇଛି ।

 

 

 

ବୃଷ

ସେୟା ତ ମୁଁ କହୁଛି । କେହି କାହାକୁ କମ୍‌ ନୁହନ୍ତି । ଗୋଟାଏ ହାତରେ କ’ଣ କେବେ ତାଳି ବାଜିଲାଣି ।

 

 

 

ଘନ

ରମା ! ତୁ ଆଉ ଠିଆ ହେଇଛୁ କ’ଣ ?

 

 

 

ବୃଷ

ହଁ ଆଉ ଅଭିମାନ କାହିଁକି ? କଳ୍ପନା ଦେବୀ ଅଦ୍ୱୈତବାବୁଙ୍କୁ ବାହାହୋଇ ସାରିଲେଣି ।

 

 

 

ରମା

(ବୀରଙ୍କ ପାଦତଳେ ପଡ଼ି) ମତେ କ୍ଷମା କର ।

 

 

 

ବୀର

ଆଜି ସବୁ ସରିଯାଇଛି ରମା । ତୁମେ ବହୁତ ଡେରିରେ ଆସିଛ । you are too late. ମୁଁ ଆଜି ଶେଷ ନିଷ୍ପତ୍ତି କରି ସାରିଛି ।

 

 

 

ଶଙ୍କର

କଣ ନିଷ୍ପତ୍ତି କରିଛ ବାବୁ ? ସେ ନିଷ୍ପତ୍ତି କ’ଣ ବଦଳି ପାରିବ ନାହିଁ ?

 

 

 

ବୀର

ନା, ଦୁନିଆରେ ସବୁ ଛଳନା, ସବୁ ପ୍ରବଞ୍ଚନା !

 

 

 

ଶଙ୍କର

ମୁଁ ଯଦି ଦୋଷ ସ୍ୱୀକାର କରେ ତେବେ ବି କ’ଣ ବଦଳିବ ନାହିଁ ?

 

 

 

ବୃଷ

ଶଙ୍କର ବାବୁ !

 

 

 

ଶଙ୍କର

ମତେ କ୍ଷମା କର ବୀରକିଶୋର ବାବୁ ।

 

 

 

ବୀର

ବାପା !! (ଶଙ୍କରଙ୍କର ପାଦ ଛୁଇଁ ପରେ ଆଲିଙ୍ଗନ କଲେ ।)

 

 

 

ଶଙ୍କର

ଆ ରମା (ରମା ଓ ବୀରକୁ ଧରି) ମୋରି ନିଃଶ୍ୱାସରେ ଆଜି ଏତେ କଥା ଘଟିଯାଇଛି ।

 

 

 

ବୃଷ

ଦେଖନ୍ତୁ ଶଙ୍କରବାବୁ । ଆପଣଙ୍କ ନିଃଶ୍ୱାସ ପଡ଼ିବାରୁ ଏତେ ଗୋଳମାଳ ଘଟିଛି । ଆପଣ ସେ ଦୁହିଁଙ୍କୁ ଆଶୀର୍ବାଦ କରନ୍ତୁ ସେମାନଙ୍କ ମିଳନକୁ ସମର୍ଥନ ଜଣାନ୍ତୁ ।

 

 

 

ଶଙ୍କର

ନିଶ୍ଚୟ ଜଣେଇବି । ସାମାନ୍ୟ ଭୁଲ କରି ମୁଁ ସର୍ବନାଶକୁ ଡାକି ଆଣିଥିଲି । ଆଜି ମୁଁ ତାର ପ୍ରାୟଶ୍ଚିତ୍ତ କରିବି ! ଆ ରମା (ରମା ଓ ବୀରଙ୍କୁ ଦୁଇ ପାଖରେ ଧରି) ତୁମ ଦୁହିଙ୍କର ମଙ୍ଗଳ ହେଉ ।

 

 

 

ବୃଷ

ବୁଝିଲ ବୀରବାବୁ । ଘିଅ ଆଉ ନିଆଁ ବିନା ସଳିତା ଆପେ ଆପେ ଜଳେନା । ସିମିତି ଭଲପାଇ ବିବାହ କରି ଦେଲେ ସ୍ୱର୍ଗ ମିଳିଯାଏନା । ବିବାହିତ ଜୀବନର ସରସତାକୁ ବଞ୍ଚାଇ ରଖିବାକୁ ହେଲେ ପରସ୍ପର ଭିତରେ ବୁଝାମଣା ଥିବା ଦରକାର । ଏଇ କଥା ଆମ ଅରୁନ୍ଧତୀକୁ ବୁଝେଇଲି । କିନ୍ତୁ ସେ ବି ମୋତେ ଚିହ୍ନି ପାରିଲାନାହିଁ । ସେଇ ଦୁଃଖରେ ମୁଁ କହୁଛି ଦେଶ ଚିହ୍ନିଲା ନାହିଁ, ଜାତି ଚିହ୍ନିଲା ନାହିଁ । ହାୟରେ ହତଭାଗା ଦେଶ ।

Image